ଏଲ ଇ ଡି ଲାଇଟ କିଣା ଦୁର୍ନୀତି ମାମଲା। ୬ ବର୍ଷ ପରେ ପୁଣି ଖୋଲିଲା ଫାଇଲ। 

3

ଝାରସୁଗୁଡ଼ା :(ସୁଭାଷ ସହାରେ) -ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ୱ ହେଲାଣି ବନ୍ଦ ପଡ଼ିଥିଲା ଫାଇଲ। ତଦନ୍ତ କାର୍ଯ୍ୟ କେଉଁ କାରଣରୁ ଶିଥିଳ ପଡ଼ିଥିଲା, ଜଣା ନାହିଁ। ମାତ୍ର ୬ ବର୍ଷ ପରେ ବେଲପାହାଡ଼ ପୌର ପରିଷଦ ଦ୍ବାରା କିଣା ଯାଇଥିବା  ଏଲଇଡି ବଲବ ଦୁର୍ନୀତି ମାମଲାର ଫାଇଲ ପୁଣି ଖୋଲାଯାଇଛି। ତଦନ୍ତକାରୀ ଭିଜିଲାନ୍ସ ଅଧିକାରୀ ପ୍ରଦୀପ କୁମାରଙ୍କ ନେତୃତ୍ୱରେ ଗତକାଲି ୯ ଜଣଙ୍କୁ ଜେରା ପାଇଁ ନୋଟିସ୍ କରାଯାଇଥିଲା। 

ଯେଉଁମାନଙ୍କ ନାମରେ ନୋଟିସ୍ ଜାରି କରାଯାଇଥିଲା, ସେମାନେ ହେଉଛନ୍ତି ପୂର୍ବତନ ପୌରାଧ୍ୟକ୍ଷା ରଶ୍ମିରେଖା ମିଶ୍ର, ପୁର୍ବତନ ପୌରାଧ୍ୟକ୍ଷ ପର୍ଶୁରାମ ସାହୁ,ପୂର୍ବତନ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀ ଓ ତାପସ ରଞ୍ଜନ ଜେନା, କିରାଣୀ ଅଶୋକ କୁମାର ସାହୁ, ଲାଇନମେନ ପ୍ରମୋଦ କୁମାର ରଥ, ହେଲପରଦ୍ବୟ ଦେବାନନ୍ଦ ପ୍ରଧାନ ଓ ଅଶୋକ ଭଇଁସାଲ ତଥା ଲାଇଟ ଯୋଗାଣକାରୀ ସଂସ୍ଥା ଭୁବନେଶ୍ୱରର ଟେକମେକର ମାଲିକ ସଚ୍ଚିଦାନନ୍ଦ ମିଶ୍ର। ୫ ପର୍ଯ୍ୟାୟରେ ଜେରା କରାଯାଇଥିବା ବେଳେ ଦସ୍ତଖତ କରାଯାଇଥିବା କାଗଜପତ୍ର ବିଷୟରେ ଯାଞ୍ଚ କରିବା ପାଇଁ ଭୁବନେଶ୍ୱରକୁ ପଠାଯିବା ପାଇଁ ବ୍ୟବସ୍ଥା କରାଯାଉଥିବା କଥା ଜଣାଇଛନ୍ତି ତଦନ୍ତ ଅଧିକାରୀ। 

ସୂଚାଇ ଦିଆଯାଇ ପାରେ ଯେ,  ଗତ ୨୦୧୫ରେ କୌଣସି ଟେଣ୍ଡର ନ କରି ଭୁବନେଶ୍ବରର ଏକ କମ୍ପାନୀଠାରୁ ୪୩୨ଟି ବଲବ ଯାହାର ପ୍ରକୃତ ମୂଲ୍ୟ ସେ ସମୟରେ ବଲବ ପ୍ରତି ୧୦,୪୦୪ ଟଙ୍କା ରହିଥିବା ବେଳେ ୪୪,୧୫୧ ଟଙ୍କା ୫୦ ପଇସାରେ କିଣାଯାଇଥିଲା। ଏହାଦ୍ବାରା ଏହି କାରବାରରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡ଼ିଥିଲା। ତଦନ୍ତର ଭାର ଭିଜିଲାନ୍ସକୁ ଦିଆଯାଇଥିଲା। ମାତ୍ର କେଜାଣି କାହିଁକି ତଦନ୍ତର କାର୍ଯ୍ୟ ୬ ବର୍ଷରେ ଆଗେଇ ନଥିଲା। ଏବେ ଦ୍ବିତୀୟ ଥର ପାଇଁ ଫାଇଲ ଖୋଲାଯିବା ପରେ ତଦନ୍ତର ଫଳାଫଳ କ’ଣ ଆସୁଛି, ଲୋକେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।

Leave A Reply

Your email address will not be published.