ମ୍ୟାଲେରିଆ ଗବେଷଣା କେନ୍ଦ୍ରକୁ ଓଡିଶାରୁ ଝାରଖଣ୍ଡ ଉଠାଇ ନେବାକୁ କେନ୍ଦ୍ରର ନିଷ୍ପତ୍ତି

0 2

 ସ୍ଥାନାନ୍ତରିତ ନ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ରାଉରକେଲାଠାରେ ଅବସ୍ଥିତ ଓଡ଼ିଶାର ଏକମାତ୍ର ମ୍ୟାଲେରିଆ ଗବେଷଣା କେନ୍ଦ୍ରକୁ ରାଞ୍ଚିକୁ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ବାତିଲ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ। ଆଜି ଏ ସଂକ୍ରାନ୍ତରେ ଏକ ଚିଠି ଲେଖି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ଦାସ। 

ସୂଚନାଯୋଗ୍ୟ ଯେ ଗତ ୧୯୮୮ ମସିହାରେ ମ୍ୟାଲେରିଆ ସଂକ୍ରାନ୍ତରେ ଗବେଷଣା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ରାଉରକେଲାଠାରେ ଏକ ମ୍ୟାଲେରିଆ ଗବେଷଣା କେନ୍ଦ୍ର ସ୍ଥାପନ କରାଯାଇଥିଲା। ମ୍ୟାଲେରିଆ ସଂକ୍ରାନ୍ତ ଗବେଷଣା ବ୍ୟତୀତ ଏହି ରୋଗର ନିୟନ୍ତ୍ରଣ ନିମନ୍ତେ ବିଭିନ୍ନ ଉପାୟ ଉଦ୍ଭାବନ ଓ ପ୍ରଦର୍ଶନ କରିବା ତଥା ଜଙ୍ଗଲ ଓ ପାହାଡ଼ ପରିବେଷ୍ଟିତ ସୁନ୍ଦରଗଡ଼ ଓ ଆଖପାଖର ଜିଲ୍ଲା ମାନଙ୍କରେ ସାମାଜିକ ଓ ଅର୍ଥନୈତିକ କାରଣଗୁଡ଼ିକ ବିଷୟରେ ଅନୁଧ୍ୟାନ କରିବା ଏହି ଗବେଷଣା କେନ୍ଦ୍ରର ଲକ୍ଷ୍ୟ ଥିଲା। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଜଣାଇଛନ୍ତି ଯେ ଏହି ଗବେଷଣା କେନ୍ଦ୍ର ମ୍ୟାଲେରିଆ ନିରାକରଣ ନିମନ୍ତେ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହା ମଧ୍ୟରେ ରହିଛି ମଶା ପ୍ରକୋପରୁ ରକ୍ଷା କରିବା ପାଇଁ ମଶାରୀ ବ୍ୟବହାର କରିବା ପାଇଁ ସଚେତନତା ସୃଷ୍ଟି କରିବା ଓ ମଶା ଲାର୍ଭାକୁ ଖାଇ ଦେଉଥିବା ମାଛଚାଷ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା ପଦକ୍ଷେପ।  ଓଡ଼ିଶା ମ୍ୟାଲେରିଆ ନିରାକରଣ ନିମନ୍ତେ ଏପର୍ଯ୍ୟନ୍ତ ପ୍ରଶଂସନୀୟ କାର୍ଯ୍ୟ କରିଛି ଏବଂ ମ୍ୟାଲେରିଆକୁ ସଂପୂର୍ଣ୍ଣ ଭାବରେ ନିପାତ କରିବା ପାଇଁ ରାଷ୍ଟ୍ରୀୟ ଲକ୍ଷ୍ୟର ଖୁବ ନିକଟବର୍ତ୍ତୀ ଅଟେ। ଏହି ସମୟରେ ଗବେଷଣା କେନ୍ଦ୍ରକୁ ରାଞ୍ଚି ସ୍ଥାନାନ୍ତରିତ କରିବା ଆଦୌ ଉଚିତ ହେବ ନାହିଁ ବୋଲି ଶ୍ରୀ ଦାସ ଜଣାଇଛନ୍ତି।

Leave A Reply

Your email address will not be published.