ଝାରସୁଗୁଡ଼ା ପୋଲିସର ବିରାଟ ସଫଳତା, ଅନଲାଇନ ଗ୍ୟାଙ୍ଗର ପର୍ଦ୍ଦାଫାସ। 

0 2
  • ଅପରାଧିଙ୍କ ଚେର ବିହାରରେ। 

  • ବିଭିନ୍ନ ଲୋକଙ୍କ ନାମରେ ଆକାଉଣ୍ଟ ଖୋଲି ଚାଲିଥିଲା କାରବାର। 

  • କୋଟି କୋଟି ଟଙ୍କାର ଧୋକାବାଜି। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଅନଲାଇନ ମାଧ୍ୟମରେ କେବଳ ଫୋନ ଫୋନ କଲ ଦ୍ବାରା ଲୋକଙ୍କଠାରୁ  ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିବା ଏକ ବଡ଼ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛନ୍ତି ଝାରସୁଗୁଡ଼ା ପୋଲିସ। ଏପର୍ଯ୍ୟନ୍ତ ରାଜ୍ୟରେ ଏହିପରି ଏକ ବିରାଟ ସଫଳତା ହାସଲ କରିବାରେ ଝାରସୁଗୁଡ଼ା ପୋଲିସ ପ୍ରଥମ ବୋଲି ଆଲୋଚନା ହେଉଛି। ସୁଦୂର ବିହାରରୁ ପରିଚାଳିତ ହୋଇଥିବା ଏହି ସାଇବର ଅପରାଧ କେତେ ଲୋକଙ୍କୁ ନିଃସ୍ବ କରିଛି, ସେ ଉପରେ କିଛି ଅଙ୍କୁଶ ଲଗାଇବା ପାଇଁ ଝାରସୁଗୁଡ଼ା ପୋଲିସ ସକ୍ଷମ ହୋଇଛନ୍ତି। 

ସୂଚନା ଅନୁସାରେ, ଗତ ଫେବୃଆରୀ ୨୩ ତାରିଖରେ ବେଲପାହାଡ଼ର ଗାନ୍ଧିନଗରର ଜଣେ ଦିନ ମଜୁରିଆ ଶକ୍ତି ଛତରଙ୍କ ଝିଅ ନୀତା ଛତରଙ୍କଠାରୁ କୌନ ବନେଗା କରୋଡ଼ପତି କାର୍ଯ୍ୟକ୍ରମରେ ଲଟେରୀ ଜିତିବା ବାବଦରେ ଏକ ଫୋନ କଲ୍ ଆସିଥିଲା। ଏହାପରେ ନୀତାଙ୍କଠାରୁ ଏହି ଠକମାନେ ପର୍ଯ୍ୟାୟ କ୍ରମେ ଲୁଟି ନେଇଥିଲେ ୧ ଲକ୍ଷ ୬୯ ହଜାର ଟଙ୍କା। ଶେଷରେ ନୀତାଙ୍କ ପରିବାର ପୋଲିସରେ ଅଭିଯୋଗ କରିବା ପରେ ଏହି ଠକମାନଙ୍କୁ ଧରିବା ନିମନ୍ତେ ଝାରସୁଗୁଡ଼ା ପୋଲିସ ଉଦ୍ୟମ ଆରମ୍ଭ କରିଥିଲେ। ଫୋନକଲକୁ ଟ୍ରାକ କରି ଜାଣିପାରିଥିଲେ ଯେ ଏହା ବିହାର ନେପାଳ ସୀମାର ଚମ୍ପାରଣରୁ ଆସିଥିଲା। ଠକମାନଙ୍କୁ ପ୍ରମୁଖ ନୀରଜ କୁମାର ଅନେକ ଲୋକଙ୍କୁ ଏହିପରି ଠକି ବିଭିନ୍ନ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଜମା କରିଥିବା ଜଣା ପଡ଼ିଛି। କେବଳ ନୀରଜର ଆକାଉଣ୍ଟରେ ୪୪ ଲକ୍ଷ ଟଙ୍କା ଫ୍ରିଜ କରାଯାଇଥିବା ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଏସପି ବିକାଶ ଚନ୍ଦ୍ର ଦାସ। ସେହିପରି ନୀରଜ ପାଖାପାଖି ତିନି କୋଟି ଟଙ୍କା ଲୁଟିଥିବା ଜଣାପଡ଼ିଛି। ଏହା ବ୍ୟତୀତ ନୀରଜ ସହ ଏହି କାର୍ଯ୍ୟରେ ସଂପୃକ୍ତ ଥିବା ଅନେକ ଅପରାଧି ମଧ୍ୟ ଆସନ୍ତା ସମୟରେ ଧରା ପଡ଼ିବେ ବୋଲି ଏସପି ସୂଚନା ଦେଇଛନ୍ତି। ବିହାର ପୋଲିସ ସହାୟତାରେ ଝାରସୁଗୁଡ଼ା ପୋଲିସ ନୀରଜକୁ ଗିରଫ କରି ଝାରସୁଗୁଡ଼ା ଆଣିଛି,ମାତ୍ର ଅନ୍ୟାନ୍ୟ ସଂପୃକ୍ତ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଅପରପକ୍ଷରେ ନିଜର ଅପରାଧକୁ ସ୍ବୀକାର କରି ନୀରଜ ଲୋଭର ବଶବର୍ତ୍ତୀ ହୋଇ ଏହିପରି କାମ କରିଥିବା କହି କ୍ୟାମେରା ଆଗରେ କାନ୍ଦିବାର ଅଭିନୟ କରିଥିଲା। 

ସାଇବର ଠକେଇର ଏହିପରି ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିବାର ସଫଳତାକୁ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ତଥା ଜିଲ୍ଲାର ଅନେକ ଲୋକ ପ୍ରଶଂସା କରିଛନ୍ତି। ଏହାବ୍ୟତୀତ ପୋଲିସ ଡିଜିପିଙ୍କ ପକ୍ଷରୁ ଝାରସୁଗୁଡ଼ା ପୋଲିସକୁ ୨୦,୦୦୦ ଟଙ୍କା ପୁରସ୍କାର ରାଶି ମଧ୍ୟ ଦେବାକୁ ଘୋଷଣା କରାଯାଇଛି।

Leave A Reply

Your email address will not be published.