ନରସିଂହ ବିଷ୍ଣୁପ୍ରିୟା ଟ୍ରଷ୍ଟ ପକ୍ଷରୁ ଏକ ଆଇସିୟୁ, ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲାନ୍ସ ଲୋକାର୍ପିତ 

0 2

ଆଗାମୀ ଦିନରେ ଜିଲାର ସମସ୍ତ ବ୍ଲକରେ ଆମ୍ବୁଲାନ୍ସ ଯେମିତି ରହିବ ସେଥିପାଇଁ ଆମେ ଚେଷ୍ଟିତ ଅଛୁ : ନବ ଦାସ

ଝାରସୁଗୁଡ଼ା :(ସୁଭାଷ ସହାରେ): ଏଣିକି ବୁର୍ଲା ବଡ଼ଡାକ୍ତରଖାନା କିମ୍ବା​‌ କଟକ, ଭୁବନେଶ୍ବରକୁ ଗୁରୁତର ରୋଗୀ ସ୍ଥାନାନ୍ତର କଲାବେଳେ ଅଣନିଃଶ୍ବାସୀ ହୋଇ ବାଟରେ ପ୍ରାଣ ଯିବ ନାହିଁ । କାରଣ ଝାରସୁଗୁଡ଼ା ଠାରେ ନରସିଂହ ବିଷ୍ଣୁପ୍ରିୟା ଟ୍ରଷ୍ଟ ପକ୍ଷରୁ ଏକ ଆଇସିୟୁ, ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲାନ୍ସ ଉଦ୍‌ଘାଟନ କରାଯାଇଛି । ନରସିଂହ ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟ ପକ୍ଷରୁ ପ୍ରଦତ୍ତ ଏହି ଆମ୍ବୁଲାନ୍ସରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ସ୍ଥାନୀୟ କାଳିମନ୍ଦିର ରାସ୍ତା ସ୍ଥିତ ରାଉତରାୟ ବଗିଚାରେ ଏଥିନେଇ ଆୟୋଜିତ ଏକ ସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଥିଲେ ଯେ, ଆଗାମୀ ଦିନରେ ଜିଲାର ସମସ୍ତ ବ୍ଲକରେ ଆମ୍ବୁଲାନ୍ସ ଯେମିତି ରହିବ ସେଥିପାଇଁ ଆମେ ଚେଷ୍ଟିତ ଅଛୁ । ତା ଛଡ଼ା​‌ ଲାଇଫ ସପୋର୍ଟ(ଆଇସିୟୁ) ଆମ୍ବୁଲାନ୍ସ ୪ଟି ମଧ୍ୟରେ ସୀମିତ ରହିବ । ଆଗାମୀ ଦିନରେ ଝାରସୁଗୁଡ଼ାର ନବନିର୍ମାଣ ସକାଶେ ବହୁତ ଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ସବୁ ପୂରଣ କରାଯିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସାଂସଦ ସୁରେଶ ପୂଜାରୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଝାରସୁଗୁଡ଼ା ଏକ ଛୋଟ ଜିଲା ହୋଇଥିଲେ ହେଁ କନକତୋରାରୁ କିର୍ମିରା ପର୍ଯ୍ୟନ୍ତ ଏହାର ଦୈର୍ଘ୍ୟ ଖୁବ୍ ବଡ଼ । ଆମ୍ବୁଲାନ୍ସ ତ ବହୁତ ଅଛି କିନ୍ତୁ   ଆଇସିୟୁରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ହୁଏ ତାହା ସାଧାରଣ ଆମ୍ବୁଲାନ୍ସରେ ସମ୍ଭବ ହେଊ ନ ଥିବାରୁ ଆଇସିୟୁ ଆମ୍ବୁଲାନ୍ସର ନିତାନ୍ତ ଆବଶ୍ୟକତା ରହିଥିଲା । ଏହି ଆବଶ୍ୟକତାକୁ ଉପଲବ୍ଧି କରି କରୋନା କାଳରେ ସାଂସଦ ଉନ୍ନୟନ ପାଣ୍ଠିରୁ ୪୫ଲକ୍ଷ ଟଙ୍କାର ଅନୁଦାନ ଆଇସିୟୁ ଆମ୍ବୁଲାନ୍ସ କ୍ରୟ କରିବାକୁ ରାଜ୍ୟ ସରକାରଙ୍କୁ ଦେଇଥିଲେ ହେଁ ସମ୍ଭବତଃ ବିଳମ୍ବ ହେବା ଯୋଗୁଁ ତାହା କ୍ରୟ କରାଯାଇ ପାରି ନ ଥିଲା । ସେ ଟଙ୍କାରେ ନା ଆମ୍ବୁଲାନ୍ସ କିଣା ହେଲା ନା ସେ ଟଙ୍କା​‌ ରାଜ୍ୟବାସୀଙ୍କ ଉନ୍ନତିରେ ଲାଗିଲା । ତେବେ ଆଗାମୀ ଦିନରେ ଯେମିତି ଉକ୍ତ ପାଣ୍ଠିରୁ ଆଉ ଏକ ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲାନ୍ସ କିଣାଯାଇପାରିବ ସ୍ବାସ୍ଥ୍ୟମନ୍ତ୍ରୀ ସେ ପ୍ରତି ଗୁରୁତ୍ବ ଦେବାକୁ ଅନୁରୋଧ କରିଥିଲେ । ଝାରସୁଗୁଡ଼ା ଜିଲା ମୁଖ୍ୟାଳୟରେ ଗୋଟିଏ ଏବଂ ବେଲପାହାଡ଼ ସହରରେ ଗୋଟିଏ ଆମ୍ବୁଲାନ୍ସ ରଖିବା ପାଇଁ ପରାମର୍ଶ ଦେଇଥିଲେ ।

ସଭାରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିକାଶମୂଳକ କାର୍ଯ୍ୟ ସକାଶେ ରାଜନୈତିକ ସଂକୀର୍ଣ୍ଣତାରୁ ଉପରେ ରହି କାମ କରିବା ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ । ଝାରସୁଗୁଡ଼ା ନାଗରିକ ଜନ ସଚେତନତା ମଞ୍ଚ ପକ୍ଷରୁ ଆୟୋଜିତ ଏହି ସମାରୋହରେ ସନ୍ଦୀପ ଅବସ୍ତି ସଭା ପରିଚାଳନା କରିଥିବା ବେଳେ ପ୍ରଫେସର ଟହଲୁ ସାହୁ ପ୍ରାଥମିକ ସୂଚନା, ସୁଶ୍ରୀ ଦୀପାଳୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ସମାଜସେବୀ ତାପସ ରାୟ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ବେଦମନ୍ତ୍ର ପାଠ ସହିତ ଆମ୍ବୁଲାନ୍ସର ଲୋକାର୍ପଣ କରାଯାଇଥିଲା ।

Leave A Reply

Your email address will not be published.