ଅସହାୟ ରମ୍ଭାଙ୍କୁ ସହଯୋଗର ହାତ ବଢ଼ାଇଲେ ଦିବସ 

0

ବରଗଡ / ଶାସକ ପ୍ରଶାସକ : ରାଜ୍ୟ ସରକାର ଲୋକଙ୍କ ହିତପାଇଁ କରୁଛନ୍ତି ଅନେକ ଯୋଜନା | କିନ୍ତୁ ସଚେତନତା ଅଭାବରୁ ହେଉ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ହେଉ ରାଜ୍ୟ ସରକାରଙ୍କ ଗରୀବ ଲୋକଙ୍କ ପାଇଁ  ଅନେକ ଯୋଜନା ଥାଇ ସତ୍ୱେ ଲୋକେ ତାହା ଉପଯୋଗ କରି ନ ପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏଭଳି ସ୍ଥଳରେ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡ଼ିକୁ ଲୋକଙ୍କ ପାଖେ ପହଞ୍ଚାଇ ସେଥରୁ କିଭଳି ଲୋକେ ଉପକୃତ ହେବେ ସେନେଇ କିଛି ସ୍ବେଚ୍ଛାସେବୀ ତଥା ସୁନାଗରିକ ସଦା ଚେଷ୍ଟିତ ଅଛନ୍ତି,ସେମାନଙ୍କ ମଧ୍ୟରୁ ଦିବସ କୁମାର ସାହୁ ଅନ୍ୟତମ | ଜଣେ ଅସହାୟ ବିଧବା ମହିଳା  ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଜାଣିବା ପରେ ତାଙ୍କ ଘରକୁ ଯାଇ ଚିକିତ୍ସା ପାଇଁ ଉପଦେଶ ଦେବା ସହ ତାଙ୍କ ପାଇଁ ଉଦ୍ଦିଷ୍ଟ ମହତ ସରକାରୀ ଯୋଜନା ରେ ଚିକିତ୍ସା ଯୋଗେଇଦେବା ପାଇଁ ପ୍ରତିଶ୍ରୁତି ଦେଇ ବଞ୍ଚିବାର ଆଶା ସଞ୍ଚାର କରିଛନ୍ତି ଦିବସ |

ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଛେତଗାଁ ଗ୍ରାମପଞ୍ଚାୟତ ଅଧିନସ୍ଥ ପରସଖଣ୍ଡି ଗ୍ରାମରେ ବାସ କରୁଥିବା  ରମ୍ଭା ବିଛି ଏକ ନିର୍ମାଣ ଶ୍ରମିକ ,କେଡୁପତ୍ର ତୋଳାଳୀ ତଥା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବିଧବା ମହିଳା | ୮ ବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁବରଣ ଘଟିଛି ଫଳରେ ବର୍ତ୍ତମାନ ସେ ଏକମାତ୍ର ରୋଜଗାରକ୍ଷମ ମହିଳା ହୋଇ କୁଟୁମ୍ବ ପୋଷୁଥିଲେ | ତାଙ୍କର ଏକ ୨୦ ବର୍ଷୀୟ ପୁଅ ଏବଂ ୧୮ ବର୍ଷୀୟ ଝିଅ ଅଛନ୍ତି | ସେ ଗତ ଏକବର୍ଷ ହେଲା ବେକରେ କର୍କଟ ରୋଗରେ ଆକ୍ରାନ୍ତ ଅଛନ୍ତି,ନିହାତି ଗରୀବ ପାରିବାରରୁ ହୋଇଥିବାରୁ ତାଙ୍କର ଚିକିତ୍ସା ନିମନ୍ତେ ଖର୍ଚ୍ଚ କରିବାର ସକ୍ଷମ ନୁହଁନ୍ତି | ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଖଣ୍ଡେ ପାଇଛନ୍ତି ହେଲେ ତାହା ସମ୍ପୂର୍ଣ୍ଣ ହୋଇପାରୁନାହିଁ| ଗତ ଏକବର୍ଷ ତଳେ  ତାଙ୍କ ଗଳାରେ ଏକ ଘା ସଦୃଶ ଏକ ଛୋଟ ବଥ ସୃଷ୍ଟି ହୋଇଥିଲା ସମୟ କ୍ରମେ ତାହା ବଡ଼ ହେବାକୁ ଲାଗିଲା | ତାଙ୍କ ଚିକିତ୍ସା ନିମନ୍ତେ ପାଇକମାଲ ଠାରୁ ଆରମ୍ଭ କରି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର,କଟକ ତଥା ରାୟପୁର ବାଲକୋ ଡାକ୍ତରଖାନାମଧ୍ୟ ଯାଇଛନ୍ତି | କିନ୍ତୁ କଟକରେ ଏହାର ଚିକିତ୍ସା ହୋଇନପାରିବାରୁ ତାଙ୍କୁ ଉଚ୍ଚତର ଡାକ୍ତରଖାନାରେ ଚିକିତ୍ସାଲାଭ କରିବାକୁ ଡାକ୍ତର ପ୍ରକାଶ କରିଥିଲେ | କିନ୍ତୁ ଗରୀବ ପରିବାର ପାଇଁ ଚିକିତ୍ସା ପାଇଁ ଆବଶ୍ୟକ ୫ ରୁ ୭ ଲକ୍ଷ ଟଙ୍କା ଖର୍ଚ୍ଚ ବହନ କରିବା ସମ୍ଭବପର ନ ଥିବାରୁ ତାଙ୍କ ପରିବାର ରମ୍ଭାଙ୍କୁ  କୌଣସି ଜାଗାକୁ ନ ନେଇ ଘରେ ରଖିଛନ୍ତି |

  ଏଭଳି ଅବସ୍ଥାରେ ଜଣେ ରୋଗୀ ମୃତ୍ୟୁ ସହ ସଂଘର୍ଷ କରୁଥିବା ଜାଣିବା ପରେ ଝାରବନ୍ଧ ବ୍ଲକରେ ଶିକ୍ଷାକତା କରୁଥିବା ଜଣେ ଦାୟିତ୍ୱବାନ ନାଗରିକର କର୍ତ୍ତବ୍ୟ ପାଳନ କରି ଦିବସ କୁମାର ସାହୁ ପରସଖଣ୍ଡି ଗ୍ରାମକୁ ଯାଇଥିଲେ ଏବଂ ରୋଗୀର ତଥ୍ୟ ସଂଗ୍ରହ କରିଥିଲେ | ରୋଗୀର ସାଙ୍ଗରେ ଯାଉଥିବା କିଶୋର ସୁନାଙ୍କ ଠାରୁ ସମସ୍ତ ତଥ୍ୟ ଜାଣିବା ପରେ ସେ ରାୟପୁର ସ୍ଥିତ ବାଲକୋ ଡାକ୍ତରଖାନା ସହ ଯୋଗାଯୋଗ କରିଥିଲେ | ଜାଣିବାକୁ ପାଇଲେ ଯେ ତାହା ଓଡିଶା ସରକାରଙ୍କ ସହ ଅନୁବନ୍ଧିତ ଏବଂ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠିରୁ ଚିକିତ୍ସା ସମ୍ଭବପର ହୋଇପାରିବ | କିନ୍ତୁ ସେଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୁପାରିଶ ନିହାତି ଆବଶ୍ୟକ | କିଶୋରଙ୍କ କହିବା ଅନୁଯାୟୀ ଓଡିଶା ବାହାରେ ହୋଇଥିବାରୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତାହା ଦେବାପାଇଁ ମନା କରିଦେଇଛନ୍ତି | ଏନେଇ ଦିବସ ବରଗଡ଼ ଜିଲ୍ଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସଂଯୋଜକଙ୍କୁ ପଚାରିବାରୁ ଏହି ଘଟଣା ପୂର୍ବରୁ ଅବଗତ ହୋଇଥିବା କହିଥିଲେ | ଆଗକୁ ମଧ୍ୟ ସହାୟତା କରିବା ପାଇଁ କହିଲେ | ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ରୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ରେ ଚିକିତ୍ସା କରାଯାଇପାରିବ ବୋଲି କହିବା ପରେ ଦିବସ ଏନେଇ ରୋଗୀର ପରିବାରକୁ ଭୁବନେଶ୍ୱର ଠାରେ ସମସ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି | ଯାହାଫଳରେ ରମ୍ଭାଙ୍କ ମନରେ ବଞ୍ଚିବାର ଏକ ନୂତନ ଆଶା ସଞ୍ଚାର ହୋଇଛି | ଏହାଛଡ଼ା ଶାସକ ପ୍ରଶାସକ ବାର୍ତ୍ତା ସମ୍ପାଦକ ଗୌରାଙ୍ଗ ଚରଣ ଦାସ ମଧ୍ୟ ପଦ୍ମପୁର ଉପଜିଲ୍ଲାପାଳଙ୍କ ସଂଗେ ଆଲୋଚନା କରି ରୋଗୀର ଚିକିତ୍ସା ପାଇଁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗେଇଦେବା ପାଇଁ ଅନୁରୋଧ କରିଛନ୍ତି | 

     ଜଣେ ଅପରିଚିତ ରୋଗୀର ସହାୟତା ପାଇଁ ସ୍ବେଚ୍ଛାକୃତ ଭାବେ ଘରକୁ ଯାଇ ଚିକିତ୍ସା ପାଇଁ ସହାୟତା କରିଥିବା ଶିକ୍ଷକ ଦିବସଙ୍କ ଏହି ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି |  

 

Leave A Reply

Your email address will not be published.