ନିଆଁ ଲିଭାରେ ସ୍ଥାନୀୟ ଜନପ୍ରତିନିଧିଙ୍କୁ ସାମିଲ ଉପରେ ଗୁରୁତ୍ବାରୋପ

0

ଶିମିଳିପାଳ ନିଆଁକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା

ବାରିପଦା,/ ଦିଲ୍ଲୀପ ମହାନ୍ତି : ଶିମିଳିପାଳରେ ଲାଗିଥିବା ନିଆଁକୁ ନେଇ ଆଜି ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ହୋଇଥିବା ଏହି ବୈଠକରେ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଆରକ୍ଷୀ ଅଧିକ୍ଷକ ସ୍ମିତ୍ ପି ପରମାର୍, ଆରସିସିଏଫ୍ ଯୋଗ ଜୟାନନ୍ଦ, ଦୁଇ ଡିଫ୍ଓ, ଏସ୍ଟିଆରର ଦୁଇ ଉପନିର୍ଦ୍ଦେଶକଙ୍କ ସମତେ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ ଏହି ବୈଠକରେ ସାମିଲ ହୋଇଥିଲେ। ଏହି ଅବସରରେ ଯେଉଁ ବନାଞ୍ଚଳରେ ନିଆଁ ଲାଗିଛି, ସଂପୃକ୍ତ ଅଞ୍ଚଳର ସ୍ଥାନୀୟ ଜନପ୍ରତିନିଧିଙ୍କୁ ନିଆଁ ଲିଭା କାର୍ଯ୍ୟରେ ସାମିଲ କରିବାକୁ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜଙ୍ଗଲରେ ନିଆଁ ନଲଗାଇବାକୁ ଗ୍ରାମବାସୀଙ୍କୁ ସଚେତନ କରିବା ସହିତ ବ୍ଲକ୍ ସ୍ତରରେ ଅଧିକାରୀମାନେ ଜନପ୍ରତିନିଧି ଏବଂ ସଂପୃକ୍ତ ଅଞ୍ଚଳବାସୀଙ୍କ ସହିତ ମିଶି ନିଆଁ ଲିଭା କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଶ୍ରୀ ମାର୍ଣ୍ଡି ପରାମର୍ଶ ଦେଇଥିଲେ। ସେହିପରି ଶିମିଳିପାଳ ଆମ ସମସ୍ତଙ୍କ ଗର୍ବର ବିଷୟ ହୋଇଥିବାରୁ ଏହାକୁ ରକ୍ଷା କରିବାକୁ ସମସ୍ତେ ନିଜ ନିଜର ଅବଦାନ ଦେବାକୁ ଶ୍ରୀ ମାର୍ଣ୍ଡି ସମସ୍ତଙ୍କୁ ନିବେଦନ କରିଥିଲେ। ତୃଣମୂଳସ୍ତରରୁ ଶୀର୍ଷ ଯାଏଁ ସମସ୍ତେ ଶିମିଳିପାଳକୁ ନିଆଁ ଦାଉରୁ ରକ୍ଷା କରିବାକୁ ଉଦ୍ୟମ କରିବାକୁ ମନ୍ତ୍ରୀ ଆହ୍ବାନ କରିଥିଲେ। ବୈଠକ ପରେ ଗଣମାଧ୍ୟମ ସହିତ କଥା ହେବା ବେଳେ ରାଜସ୍ବ ମନ୍ତ୍ରୀ ସହିତ ସେ ବିଜେଡି ଜିଲ୍ଲା ସଭାପତି ହୋଇଥିବାରୁ ଦଳର ଯୁବ ଏବଂ ଛାତ୍ର ଶାଖାକୁ ଏହି ନିଆଁ ଲିଭା କାର୍ଯ୍ୟରେ ସାମିଲ ହୋଇ କାମ କରିବାକୁ ସେ ଆହ୍ବାନ କରିଥିଲେ। ଏଥିସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସାହାଯ୍ୟ ଯୋଗାଇଦେବାକୁ ସେ ପ୍ରକାଶ କରିଥିଲେ।     

Leave A Reply

Your email address will not be published.