ସୀମା ବିବାଦକୁ ସମାଧାନ କରି ସୀମାବର୍ତୀ ଅଂଚଳର ଲୋକଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଅନ୍ତୁ ରାଜ୍ୟ ସରକାର :ସମୀର ମହାନ୍ତି

8

ଓଡିଶା ଝାଡଖଣ୍ଡ ସୀମାବର୍ତୀ ଡେଣୁଆଁ ଗାଁ ଗସ୍ତ କରି ବାସ୍ତବ ସ୍ଥିତି ପରଖିଲା ଉଚ୍ଚ ସ୍ତରୀୟ ବିଜେପି ପ୍ରତିନିଧୀ ଦଳ 

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଓଡିଶାର ସୀମାବର୍ତୀ ଅଂଚଳଗୁଡିକୁ ପଡୋଶୀ ରାଜ୍ୟମାନେ ଅକ୍ତିଆର କରିବାକୁ ଲାଗିଛନ୍ତି । କୋରାପୁଟ ଜିଲ୍ଲାର କୋଟିଆ ପରି ମୟରୁଭଂଜ ଜିଲ୍ଲାର ରରୁଆ ବ୍ଲକ ଡେଣୁଆଁ ଗାଁର ବାସିନ୍ଦାଙ୍କୁ ଝାଡଖଣ୍ଡ ରାଜ୍ୟ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଛି । ଝାଡଖଣ୍ଡ ସରକାର ଭତା ବାବଦକୁ ୧୦୦୦ ଟଙ୍କା ଦେଉଥିବାବେଳେ ରାଜ୍ୟ ସରକାର ୫୦୦ ଟଙ୍କା ଦେଉଛନ୍ତି । ସୀମାବର୍ତୀ ଅଂଚଳକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉନାହାଁନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ଓଡିଶା ଝାଡଖଣ୍ଡ ସୀମାବର୍ତୀ ଡେଣୁଆଁ ଗାଁ ଗସ୍ତକରିବା ସମୟରେ ଅଭିଯୋଗ କରିଛନ୍ତି । ଝାଡଖଣ୍ଡ ପାଇଁ ଓକିଲାତି କରୁଥିବା ଲୋକ ଏବେ ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ଅଛନ୍ତି ।  ତାଙ୍କ ଜିଲ୍ଲାର ଗାଁକୁ ପଡୋଶୀ ରାଜ୍ୟ ଅକ୍ତିଆର କରିବାକୁ ବସିଥିବା ବେଳେ ରାଜସ୍ୱ ମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି । ଡେଣୁଆ ଗାଁ ଲୋକଙ୍କ ସହ ଶ୍ରୀ ମହାନ୍ତି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଭାବାଗତ ଦୃଷ୍ଟିରୁ ଆମେ ସମସ୍ତେ ଏକ । ରାଜ୍ୟ ସରକାର ତୁରନ୍ତ ସୀମା ବିବାଦକୁ ସମାଧାନ କରିବା ସହ ସୀମାବର୍ତୀ ଅଂଚଳର ଲୋକଙ୍କ ବିକାଶ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସେମାନଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ଏହି ପ୍ରତିନିଧୀ ଦଳରେ ସାଂସଦ ତଥା ରାଷ୍ଟ୍ରୀୟ ସଂପାଦକ ବିଶେଶ୍ୱର ଟୁଡୁଙ୍କ ସମେତ ବିଜେପି ବିଧାୟକ ପ୍ରକାଶ ସୋରନେ, ନବ ମାଝୀ, ଗଣେଶ ରାମ ଖୁଂଟିଆ, ଭାସ୍କର ମଢେଇ, ବୁର୍ଦ୍ଧାନ ମୁର୍ମୁ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । 

ମୟୁରଭଂଜ ଜିଲ୍ଲା କରଂଜିଆ ଠାରେ ଏକ ମିଶ୍ରଣ ପର୍ବରେ ଶ୍ରୀ ମହାନ୍ତି ଯୋଗ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ବିଶିଷ୍ଟ ଆଇନଜୀବୀ ରୁକ୍ମଣୀ ମହନ୍ତ, ସୁବର୍ଣ୍ଣ ଢୁଙ୍ଗିଆ, ଏମ. ଭିତଲ ରୟ, ଅଜୟ କୁମାର ସେଠୀ, ବସ ମାଲିକ ସଂଘର ସଂପାଦକ ଅରୁଣ ଅଗ୍ରୱାଲ, ପୂର୍ବତନ ସରଂପଚ ଶୈଳେନ୍ଦ୍ର ଦେଉରୀ, ନିତ୍ୟାନନ୍ଦ ମୁର୍ମୁ, ଗଗନ ଟୁଡୁ, ସମିତିସଭ୍ୟ ହିମାଂଶୁ ନାୟକଙ୍କ ସମେତ ସାମାଜିକ କର୍ମୀ ଏବଂ ଶତାଧିକ ସଂଖ୍ୟାରେ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଓଡିଶାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜିର ମିଶ୍ରଣ ଦ୍ୱାରା ବିଜେପି ସଙ୍ଗଠନ ଆହୁରି ମଜବୁତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

ଏହା ପରେ କରଂଜିଆ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି । ମୟୁରଭଂଜ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନେକ ସମର୍ଥନ ମିଳିଛି । କିନ୍ତୁ ଯେଉଁଭଳି ଭାବରେ ମୟୁରଭଂଜର ସାଧାରଣ ନାଗରିକ ସେମାନଙ୍କ ମୌଳିକ ଅଧିକାରରୁ ବଂଚିତ ରହିଛନ୍ତି , ସେଥିପାଇଁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣଭାବେ ଦାୟୀ । ବିଜେଡି ଶାସନରେ ଜିଲ୍ଲାର ସୀମା ଅସୁରକ୍ଷିତ ହୋଇଛି । ପଡୋଶୀ ରାଜ୍ୟ ଝାଡଖଣ୍ଡ ଅନାଧିକାର ପ୍ରବେଶ କରିଛି । ଓଡିଶାର ୧୪ଟି ଜିଲ୍ଲାରେ ଏହି ସମସ୍ୟା ଦେଖାଦେଇଛି । ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଛି । ୧୪ ଜଣ ଡାକ୍ତରଙ୍କ ସ୍ଥାନରେ ଜଣେ ଡାକ୍ତର ଅଛନ୍ତି । ଶିକ୍ଷକମାନଙ୍କର ଭିତିଭୂମିରେ ସୁଧାର ଆସୁନାହିଁ । ଆଦିବାସୀ ଅଧୂଷିତ ଅଂଚଳରେ ଫରେଷ୍ଟ ଲ୍ୟାଣ୍ଡ ଆକ୍ଟ ପ୍ରୋଭିଜନ ଅନୁସାରେ ସେମାନଙ୍କୁ ଜମି ଦେବା କଥା, କିନ୍ତୁ ରାଜସ୍ୱ ବିଭାଗ ପଟ୍ଟା ଦେଇଦେଲେ କିନ୍ତୁ ଫିଜିକାଲ ପୋଜିସନ ଦେଲେ ନାହିଁ । ଜିଲ୍ଲାର ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଅବହେଳା କରାଯାଉଛି । ଜିଲ୍ଲାର ବାଲି, ଲୁହାପଥର ଆଦି ପ୍ରାକୃତିକ ସଂପଦକୁ ଲୁଟ୍ କରାଯାଉଛି । ପଡୋଶୀ ରାଜ୍ୟକୁ ବାଲି ଚୋରା ଚାଲାଣ କରାଯାଉଛି । ଜିଲ୍ଲାର ଲୋକମାନେ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ମୋଦି ସରକାର ବ୍ୟାପକ ଯୋଜନା କରିଛନ୍ତି କିନ୍ତୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଲୋକଙ୍କ ପାଖରେ ସମସ୍ତ ଯୋଜନା ପହଂଚାଇବାରେ ବିଫଳ ହୋଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

 

Leave A Reply

Your email address will not be published.