କେନ୍ଦ୍ରକୁ ରାଜ୍ୟର ଚିଠି :  ତୁରନ୍ତ ଏନଏମଏ ଉପନିୟମକୁ ପ୍ରତ୍ୟାହାର କରନ୍ତୁ 

0 2

ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଜାରି ଉପ ନିୟମକୁ ନେଇ ଜଳୁଛି ନିଆଁ 

ବଢୁଛି ଅସନ୍ତୋଷ, କେନ୍ଦ୍ର ସଂସ୍କୃତି ସଚିବଙ୍କୁ ପତ୍ର ଲେଖିଲେ ମୁଖ୍ୟ ସଚିବ

ଭୁବନେଶ୍ୱର (ଶାସକ ପ୍ରଶାସକ) କେନ୍ଦ୍ର ସରକାର ନିଜ ଭୁଲ ସୁଧାରି ଗୋଟିଏ ବିବାଦୀୟ ଉପନିୟମକୁ ପ୍ରତ୍ୟାହାର କରିଥିବା ବେଳେ ଏବେ ଅନୁରୂପ ଭାବେ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷ (ନ୍ୟାସନାଲ୍ ମନୁମେଣ୍ଟ ଅଥରିଟି) ଦ୍ୱାରା ଏକାମ୍ର କ୍ଷେତ୍ରରେ ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଜାରି ହୋଇଥିବା ଉପ ନିୟମ ’ ପ୍ରତ୍ୟାହାର ଦାବିରେ ଏକାମ୍ର କ୍ଷେତ୍ରରେ ଜଳିଛି ଅସନ୍ତୋଷର ନିଆଁ | ଏହାକୁ ନେଇ ସେବାୟତ, ଶ୍ରଦ୍ଧାଳୁଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିବା ତଥା ଏହାକୁ ନେଇ ଅଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି ହେବାର ଆଶଙ୍କା ଥିବା କାରଣରୁ ଏହି ଉପ ନିୟମର ପ୍ରତ୍ୟାହାର ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର | ଆଜି ଏହି ମର୍ମରେ କେନ୍ଦ୍ର ସଂସ୍କୃତି ସଚିବ ରାଘବେନ୍ଦ୍ର ସିଂଙ୍କ ନିକଟକୁ ପତ୍ର ଲେଖି ଉପ ନିୟମ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିଛନ୍ତି  ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର |

ଶ୍ରୀ ମହାପାତ୍ର ତାଙ୍କ ପତ୍ରରେ ଲେଖିଛନ୍ତି ଯେ, ଏନଏମଏ ପକ୍ଷରୁ ଜାରି ହୋଇଥିବା ଉପନିୟମ ନେଇ ସେବାୟତ, ଶ୍ରଦ୍ଧାଳୁ ଓ ଲୋକ ପ୍ରତିନିଧିମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି | ଏଭଳି ନିୟମ ପ୍ରଣୟନ କରିବା ପୂର୍ବରୁ ଷ୍ଟେକ ହୋଲଡର ମାନଙ୍କ ସହ ପରାମର୍ଶ କରାନଯାଇ ଏହି ଉପନିୟମ ବିଜ୍ଞପିତ କରାଯାଇଛି | ଏ ସମ୍ପର୍କରେ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ଖୋାର୍ଦ୍ଧା ଜିଲ୍ଲାପାଳ ଓ ଦେବୋତ୍ତର କମିଶନର ଏ ପ୍ରସଙ୍ଗରେ ଏନଏମଏର ସଦସ୍ୟ ସଚିବଙ୍କୁ ପତ୍ର ଲେଖି ପୂର୍ବରୁ ଏ ଉପନିୟମ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିସାରିଛନ୍ତି | ହେଲେ ଏହାରି ଉପରେ କୌଣସି ନିଷ୍ପତ୍ତି ନିଆଯାଉନଥିବା ଯୋଗୁ ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ବା ଅଶାନ୍ତ ବାତାବରଣ ସୃଷ୍ଟି ହେଉଛି | ମନ୍ଦିର ଭିତରେ ଯେଉଁ ବାତାବରଣ ସୃଷ୍ଟି ହେଉଛି, ତାହା ମନ୍ଦିରର ନୀତିକାନ୍ତି ଆଉ ମନ୍ଦିରର ପରିବେଶ ଉପରେ କୁ ପ୍ରଭାବ ପକାଉଛି | ଏହାଦ୍ୱାରା ମନ୍ଦିରକୁ ଆସୁଥିବା  ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଉପରେ ଖରାପ ପ୍ରଭାବ ପଡ଼ିବାର ଆଶଙ୍କା ବି ରହିଛି | ଆସନ୍ତା ମାର୍ଚ ୧୧ ତାରୀଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବିରାଟ ସମାଗମ ମହା ଶିବରାତ୍ରି ଉପରେ ଏହାର ନିଶ୍ଚିତ ପ୍ରଭାବ ପଡିବ ବୋଲି ତାଙ୍କ ପତ୍ରରେ ଆଶଙ୍କା ବ୍ୟକ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର |  

 ଆସନ୍ତା ମାର୍ଚ ୧୧ ତାରୀଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ବିରାଟ ସମାଗମ ମହା ଶିବରାତ୍ରି ପୂର୍ବରୁ  ମନ୍ଦିର ପରିସରରେ ଓ ସେବାୟତଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ନିହାତି ଆବଶ୍ୟକ | ତେଣୁ ତୁରନ୍ତ ଏହି ଉପନିୟମକୁ ପ୍ରତ୍ୟାହାର କରିବା ପାଇଁ ଶ୍ରୀ ମହାପାତ୍ର ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି | ଯେଉଁ ମନ୍ଦିରରେ ଅଧିଷ୍ଠାତା ଠାକୁର ଓ ନୀତିକାନ୍ତି ସହିତ ସମ୍ପର୍କିତ ସେଭଳି ପୀଠ ସମ୍ପର୍କରେ ନୀତି ନିୟମ ପ୍ରଣୟନ ପୂର୍ବରୁ ରାଜ୍ୟ ସରକାର, ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କୁ ବିଶ୍ୱାସକୁ ନେବା ପାଇଁ ଏନଏମଏକୁ ପରାମର୍ଶ ଦେବାକୁ  ମୁଖ୍ୟ ସଚିବ ତାଙ୍କ ପାତ୍ରରେ କେନ୍ଦ୍ର ସଂସ୍କୃତି ସଚିବଙ୍କୁ ଅନୁରୋଧ କରିଛନ୍ତି |

 

Leave A Reply

Your email address will not be published.