ଧର୍ମେନ୍ଦ୍ରଙ୍କୁ ଜବାବ ଦେଲେ ବିଜୟ : କହିଲେ ‘କେନ୍ଦ୍ର ମନ୍ତ୍ରୀଙ୍କ ବକ୍ତବ୍ୟ ଗାଲୁଆଙ୍କ ବାରବାଟୀ ଚାଷ’ ଭଳି

0

 

 ‘ଗୁଜୁରାଟୀ ବିକାଶ ମଡେଲର ନଙ୍ଗଳା ଚିତ୍ର ଏବେ ଦାଣ୍ଡରେ ଗଡି ହାଟରେ ପଡୁଛି  । ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ଗୁଜୁରାଟ ଗସ୍ତ ପଦାରେ ପକାଇଛି ଅସଲ ଚେହେରା  । ଜିଏସଟି-ବିମୂଦ୍ରାକରଣ ଯୋଗୁ ଦେଶର ଅର୍ଥନୀତି ହୋଇଛି ବିପର୍ଯ୍ୟସ୍ତ । ବିଜେଡିକୁ କହିଲା ବେଳେ ଗୋଦରୀ ଭଳି ନିଜ ଗୋଡକୁ ଅନାନ୍ତୁ ମନ୍ତ୍ରୀ  । ଶାସନର ୯ ବର୍ଷର ଭାଗିଦାର ବିଜେପି ହାତରେ ଥିଲା ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ, ରାଜସ୍ୱ, ଶିଳ୍ପ ଶିକ୍ଷା ସମବାୟ ଭଳି ଗୁରୁତ୍ୱପୂର୍ଣ ବିଭାଗ । ମନ୍ତ୍ରୀ ଥିବା ନିଜ ଦଳର ନେତାଙ୍କ ନେତାଙ୍କ ପାରବାରପଣିଆ ପରଖି ବକ୍ତବ୍ୟ ରଖନ୍ତୁ ! ପ୍ରଜାତନ୍ତ୍ରରେ ଲୋକମାଲିକ, ଆପଣ ମାଲିକ ଭଳି ଆଚରଣ ଓ ଅହଙ୍କାର ଦେଖାନ୍ତୁ ନାହିଁ  ।’

କେନ୍ଦ୍ରରେ ବିହାରରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଝିରେ ମଝିରେ ଓଡ଼ିଶା ଆସି ଯେଉଁଭଳି ବୟାନବାଜି କରୁଛନ୍ତି, ସେଥିରୁ ତାଙ୍କର ଅହଂକାର, ଅହମିକା ଓ ଔଦ୍ଧତ୍ୟ ସ୍ପଷ୍ଟ ପ୍ରକାଶିତ ହେଉଛି । ସେ ଅନେକ ସମୟରେ ଶାଳୀନତାର ସୀମା ଉଲ୍ଲଂଘନ କରି ନିଜର ଅସଲ ଚେହେରା ପଦାରେ ପକାଉଛନ୍ତି । ତାଙ୍କର ବାହାସ୍ପୋଟ ଶୁଣିଲେ ମନେ ହୁଏ ଯେ ସେ ପବନରେ ଦୁର୍ଗ ନିର୍ମାଣ କରୁଛନ୍ତି, ତୃଣମୂଳ ସ୍ତରୀୟ ବାସ୍ତବ ସ୍ଥିତି ସଂପର୍କରେ ତାଙ୍କର ସାମାନ୍ୟତମ ଧାରଣା ନାହିଁ । ସମଗ୍ର ଭାରତବର୍ଷରେ ସଂପ୍ରତି କେନ୍ଦ୍ର ସରକାର ବିରୋଧୀ ଜନଅସନ୍ତୋଷ ଉଗ୍ର ହେବାରେ ଲାଗିଛି । ଜିଏସ୍‍ଟି, ବିମୁଦ୍ରାକରଣ ଆଦି ଅପରିଣାମଦର୍ଶୀ ପଦକ୍ଷେପ ଭାରତର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଛନ୍ତି । ସାଧାରଣ ଲୋକମାନେ ବିଜେପିକୁ ଉଚିତ୍‍ ଶିକ୍ଷା ଦେବା ପାଇଁ ସୁଯୋଗ ଅପେକ୍ଷାରେ ଅଛନ୍ତି । ଭାରତୀୟ ଅର୍ଥନୀତି, ସ୍ୱରାଜ, ସଂସ୍କୃତି, ସଂଘୀୟ ବ୍ୟବସ୍ଥା ଆଦି ସବୁ କ୍ଷେତ୍ରରେ ବିଜେପି ବିବୃତି ଓ ବିଭ୍ରାନ୍ତି ସୃଷ୍ଟି କରିଛି । ଓଡ଼ିଶା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅବହେଳା ଓ ପାତର ଅନ୍ତର ମନୋଭାବ ସହିବାର ସୀମା ଟପିଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ବିୁଜ ଜନତା ଦଳର ସମ୍ପାଦକ ବିଜୟ ନାୟକ  । 

ଶ୍ରୀ ନାୟକ କହିଛନ୍ତି ଯେ, ଗୁଜରାଟର ବିକାଶକୁ କେନ୍ଦ୍ର କରି ମିଛ ଭେଳିକି ଦେଖାଇ ନରେନ୍ଦ୍ର ମୋଦି ଯେଉଁ ବାହାବା ନେଉଥିଲେ ତାହା ଯେ କେତେ ଫମ୍ପା, ଏହା କ୍ରମଶଃ ଧରାପଡିଯାଇଛି । ଗୁଜୁରାଟ ବିକାଶ ମଡେଲ ଏବେ ଦାଣ୍ଡରେ ଗଡି ହାଟରେ ପଡୁଛି  । ଗୁଜରାଟର ବିକାଶକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଗୁଜରାଟର ବାସ୍ତବ କ୍ଷେତ୍ରରେ ବିକାଶ ହୋଇନାହିଁ, ଯାହା ହୋଇଛି ତାହା କେବଳ କାଗଜପତ୍ରରେ । ଯେଉଁ ବିକାଶ ସେଠି ହୋଇଛି, ଲୋକମାନଙ୍କ ବ୍ୟକ୍ତିଗତ ଉଦ୍ୟମରେ । ସରକାରଙ୍କର କୌଣସି ଭୂମିକା ନାହିଁ । ଏହି ତଥ୍ୟ ଓ ସୂଚନା ପ୍ରକାଶିତ ହେଲା ପରେ ବିଜେପିର ମୁଣ୍ଡବିନ୍ଧା ବଢ଼ିଯାଇଛି । ପ୍ରଧାନମନ୍ତ୍ରୀ ଗତ ୨ମାସ ମଧ୍ୟରେ ବାରମ୍ବାର ଗୁଜରାଟ ଗସ୍ତରେ ଯାଇ ଲୋକମତକୁ ନିଜ ପକ୍ଷକୁ ଆଣିବ ପାଇଁ ଉଦ୍ୟମ କରିଚାଲିଛନ୍ତି । ଆଜି ବି ସେଠି ପିଇବା ପାଣି, ଗୃହ ନିର୍ମାଣ, ଗମନାଗମନ କ୍ଷେତ୍ରରେ ଭିତ୍ତିପ୍ରସ୍ତର ସ୍ଥାପନ ହେଉଛି । ଏଥିରୁ ଜଣାପଡୁଛି, ଗୁଜରାଟର ବିକାଶ କେଉଁ ସ୍ତରରେ ଅଛି । ଗୁଜରାଟକୁ ମଡେଲ୍‍ କରି ବିଜେପି ଯେଉଁ ପ୍ରଚାର କରୁଥିଲା, ତାହାର ବିଫଳତା ଏବେ ଜଳ ଜଳ ଦିଶୁଛି । ଗୁଜରାଟରୁ ଆରମ୍ଭ କରି ସାରା ଭାରତରେ ଯେତେବେଳେ ବିଜେପିର ରେଖାଚିତ୍ର ନିମ୍ନମୁଖୀ ହୋଇଛି, ସେତେବେଳେ ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀଙ୍କ ଆସ୍ଫାଳନ ହାସ୍ୟାସ୍ପଦ ମନେ ହେଉଛି । ନବୀନ ପଟ୍ଟନାୟକଙ୍କ ଶାସନର ୧୭ବର୍ଷ ମଧ୍ୟରେ ୯ବର୍ଷ ବିଜେପି ଶାସନର ଅଂଶୀଦାର ଥିଲା ଏବଂ ଗୁରୁତ୍ୱପୂର୍ଣ୍ଣ ନଗର ଉନ୍ନୟନ, ରାଜସ୍ୱ, ଶିଳ୍ପ, ଶିକ୍ଷା ଭଳି ବିଭାଗରେ ବିଜେପି ମନ୍ତ୍ରୀମାନେ ଦାୟିତ୍ୱ ନିର୍ବାହ କରିଥିଲେ । ଧର୍ମେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କଲାବେଳେ ଏହି ୯ବର୍ଷ ଓ ସେହି ବିଭାଗରେ ଥିବା ବିଜେପି ମନ୍ତ୍ରୀମାନଙ୍କର ପାରିବା ପଣିଆକୁ କେବେ ପରଖିଛନ୍ତି କି? ଅଟଳ ବିହାରୀ ବାଜପେୟୀ ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରକୁ ବାରମ୍ବାର ପ୍ରଶ୍ନ କରିବା ଧର୍ମେନ୍ଦ୍ରଙ୍କ ରାଜନୈତିକ ଅପରିପକ୍ୱତାର ପରିଚୟ ଦିଏ ଶ୍ରୀ ନାୟକ କହିଛନ୍ତି  । 

ଶ୍ରୀ ନାୟକ ଆହୁରି କହିଛନ୍ତି ଯେ, ଗାଲୁଆଙ୍କ ବାରବାଟୀ ଚାଷ ଭଳି ସେ ପ୍ରଳାପ କରିଚାଲିଛନ୍ତି । ପ୍ରଜାତନ୍ତ୍ରରେ ଲୋକମାନେ ହେଲେ ମାଲିକ, ନେତା-ମନ୍ତ୍ରୀ ହେଲେ ସେବକ । କିନ୍ତୁ ସେ ମାଲିକ ସୁଲଭ ଆଚରଣ ଓ ଉଚ୍ଚାରଣ କରୁଛନ୍ତି । ନବୀନବାବୁଙ୍କୁ ପ୍ରକାଶ୍ୟରେ ପ୍ରଶଂସା କରିଥିଲେ ମଧ୍ୟ ସେ ନବୀନବାବୁଙ୍କ ଠାରୁ କାଣିଚାଏ ମଧ୍ୟ ଶିଖିପାରିନାହାନ୍ତି । ଜଣେ ସେବକ କିଭଳି ନମ୍ର, ଭଦ୍ର, ଶାନ୍ତ ଓ କର୍ମଠ ହେବ, ସେ ନବୀନବାବୁଙ୍କ ଠାରୁ ଶିଖନ୍ତୁ । ଓଡ଼ିଶାର ଲୋକମାନେ ଶାନ୍ତିପ୍ରିୟ ଓ ବିଚାରବନ୍ତ । ସେମାନେ କଥା ନୁହେଁ, କାମକୁ ପସନ୍ଦ କରନ୍ତି, ଯାହାକି ନବୀନବାବୁଙ୍କୁ କ୍ରମାଗତ ସଫଳତା ଆଣି ଦେଉଛନ୍ତି ଏବଂ ଏହି ସଫଳତା ଆଗକୁ ଜାରି ରହିବ । ଭାରତର ଲୋକମାନଙ୍କ ଭଳି ଓଡ଼ିଶାରେ ଜନସାଧାରଣ ପ୍ରସ୍ତୁତ ହୋଇ ଅଛନ୍ତି । ସୁଯୋଗ ମିଳିଲେ ସେମାନେ ବିଜେପିକୁ ନିଜର ସୀମା ଦେଖାଇଦେବେ ଶ୍ରୀ ନାୟକ କହିଛନ୍ତି ।

Leave A Reply

Your email address will not be published.