ଓଡଗାଁ : ପୋଲିସ ଆଖିରେ ଆଙ୍ଗୁଠି ଗେଂଜି ଚୋର କରୁଛନ୍ତି ଚୋରି 

0

ଦୋକାନ ଆଗରେ ପାଲ ଟାଣି ଅଳଙ୍କାର ମରାମତ ଦୋକାନରୁ ଚୋରି କଲେ ୩ ଲକ୍ଷ ଟଙ୍କାର ସାମାନ

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) :  ଓଡ଼ଗାଁ ଲକ୍ଷ୍ମୀ ବଜାର ଲଜ୍ ସାହିରେ ଥିବା ଏକ ମରାମତ ଦୋକାନରୁ ପ୍ରାୟ ୩ଲକ୍ଷ ଟଙ୍କାର ସୁନା ରୁପା ରବିବାର ବିଳମ୍ବିତ ରାତିରେ ଚୋରି ହୋଇ ଥିବା ନେଇ ଦୋକାନି ମାଲିକ କୁରାଳ ଗ୍ରାମର ନାଗେଶ୍ୱର ରାୟ ଆଜି ଓଡ଼ଗାଁ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ଓଡ଼ଗାଁ ଲକ୍ଷ୍ମୀ ବଜାର ଟ୍ରାଫିକ୍ ଛକରେ ପୋଲିସ ରାତିସାରା ପ୍ରହରା ଦେଉଥିବା ବେଳେ ଏହି ଚୋରି ଘଟଣାକୁ ନେଇ ପୋଲିସ ପ୍ରଶାସନ ଉପରୁ ସାଧାରଣରେ ଆସ୍ଥା ତୁଟିଯିବାକୁ ବସିଲାଣି । ଗତକାଲି ନାଗେଶ୍ୱର ରାୟ ଦୋକାନ ବନ୍ଦ କରି ରାତିରେ ଗାଁକୁ ଫେରିଥିଲେ । ପରଦିନ ସକାଳୁ ଦୋକାନ କବାଟ ଭାଙ୍ଗିଥିବା ନେଇ ପଡୋଶୀଙ୍କ ଠାରୁ ଖବର ପାଇ ଆସି ଦେଖିଲା ବେଳକୁ ସବୁକିଛି ଲୁଟ ହୋଇ ଯାଇଛି । ଚୋରମାନେ ଅନ୍ୟର ଦୃଷ୍ଟି ଆଢୁଆଲରେ ରହି ଚୋରି କରିବା ପାଇଁ ଦୋକାନ ସାମ୍ନାରେ ଏକ ପାଲ ଟାଣିଥିବା ଦେଖିବାକୁ ମିଳିଥିଲା । ଦୋକାନ ଆଗରେ ପାଲଟାଣି ଅନାୟାସରେ ଚୋରମାନେ ପୋଲିସ ଆଖିରେ ଆଙ୍ଗୁଠି ଗେଂଜି ଚୋରି କରିଛନ୍ତି | ପ୍ରକାଶ ଥାଉକି ବର୍ତମାନ ଚୋରୀ ହୋଇଥିବା ଘଟଣା ସ୍ଥଳ ଠାରୁ ୧୦ ମିଟର ଦୁରରେ ଥିବା ଏକ ଗହଣା ଦୋକାନରୁ ଅଳ୍ପଦିନ ତଳେ ଜଣେ ଦୁର୍ବୁତ ୫୦ହଜାର ଟଙ୍କାର ଗହଣା କିଣି ୭ଲକ୍ଷ ଟଙ୍କାର ସୁନା ଗହଣା ଧରି ଚମ୍ପଟ ହୋଇଥିଲା । ଶୁକ୍ରବାର ବିଳମ୍ବିତ ରାତ୍ରୀରେ ରାବରା ଗାଁରେ ଘରେ ପସି ଦୁର୍ବୁତମାନେ ୨ଲକ୍ଷ ଟଙ୍କାର ସୁନା ଗହଣା ଚୋରୀକରି ନେଇଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଥିଲା । ଚୋରୀ ବୃଦ୍ଧି ପାଇବାକୁ ନେଇ ସ୍ଥାନୀୟ ଅଂଚଳରେ ଜନସାଧାରଣଙ୍କ ମନରେ ଭୟ ଏବଂ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରତିକାର ପାଇଁ ପ୍ରଶାସନ ତରପରୁ ଗ୍ରହଣ କରାଯାଉଥିବା ପଦେକ୍ଷପ କୈାଣସି କାମରେ ଆସୁନାହିଁ । ତେଣୁ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । 

 

Leave A Reply

Your email address will not be published.