ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସାଧାରଣ ପରିଷଦରେ ଏବଂ ସଂସ୍କୃତି ବିଭାଗରେ ଗଜପତି ଜିଲ୍ଲାକୁ ଉପେକ୍ଷିତ : ପାରଳା ବିଧାୟକ

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଅଧିନରେ ଥିବା ଓଡ଼ିଶା ସଂଗୀତ ନାଟକ ଏକାଡେମୀର ନୂତନ ପରିଷଦ ଗଠନ ହୋଇଛି। ଏହି ପରିଷଦ ଆଗାମୀ ତିନି ବର୍ଷ ପାଇଁ ଗଠନ ହୋଇଛି। ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ଅନୁଷ୍ଠାନରୁ ୩୨ ଜଣ ଚୟନ ହୋଇଥିବା ଜଣାପଡିଛି ,  ତେବେ ଏଥିରେ ଗଜପତି ଜିଲ୍ଲାରୁ କାହାକୁ ମଧ୍ୟ ସାମିଲ୍ କରାଯାଇନାହିଁ , କିନ୍ତୁ ପଡୋଶୀ ଗଞ୍ଜାମ ଜିଲ୍ଲାରୁ ଦୁଇ ଜଣ ଏବଂ ରାୟଗଡ଼ା ଜିଲ୍ଲାରୁ ଜଣଙ୍କୁ ପରିଷଦରେ ମୋନୋନିତ କରାଯାଇଥିବା ବେଳେ ଗଜପତିରୁ ଗତ ୩ ଟି ପରିଷଦରେ କାହାକୁ ସାମିଲ୍ ନକରିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ।

ଓଡ଼ିଶୀ ସଙ୍ଗୀତର ପ୍ରାଣକେନ୍ଦ୍ର ତଥା ପ୍ରଥମ ଓଡ଼ିଆ ନାଟକ ତଥା ରଙ୍ଗମଚକୁ ସୃଷ୍ଟି କରିଥିବା ପାରଳାମାଟି ତଥା ଗଜପତି ଜିଲ୍ଲାକୁ କ୍ରମାଗତ ଭାବେ ସାଂସ୍କୃତିକ କ୍ଷେତ୍ରରେ ଓଡିଶା ସରକାର ଅବହେଳା କରି ଆସୁଛନ୍ତି ଦୀର୍ଘ ୧୦ ବର୍ଷ ହେଲା ଓଡିଶା ସଙ୍ଗୀତ ନାଟକ ଏକାଡେମୀର ପରିଷଦରେ ଗଜପତି ଜିଲ୍ଲାର କୌଣିସ ଅନୁଷ୍ଠାନ କିମ୍ବା ବ୍ୟକ୍ତି ବିଶେଷକୁ ଅନ୍ତର୍ଭୁକ୍ତ  ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ଏପରିକି ଦୀର୍ଘ ୨୫ ବର୍ଷ ମଧ୍ୟରେ ଏଠାକାର କୌଣସି କଳାକାରଙ୍କୁ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ବାରା ପୁରସ୍କୃତ କରାନଯିବା ଏଠାରେଥିବା ବିଶିଷ୍ଟ ଓ ଅଭିଜ୍ଞ କଳାକାରମାନଙ୍କୁ ହତାଶ ସୃଷ୍ଟି କରିଛି । ପାରଳା ପରି ଏକଦ୍ବିଭାଷୀ ତଥା ଉପାନ୍ତ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ବହୁ ଅନୁଷ୍ଠାନ ଏବଂ କଳାକାର ଓଡ଼ିଆ ସଂସ୍କୃତି ଏବଂ ସାହିତ୍ୟ ତଥା ସଙ୍ଗୀତ ପରମ୍ପରାକୁ ବଞ୍ଚାଇ ରଖିଥିବା ବେଳେ ଏକାଡେମୀର ପରିଷଦରେ ସଦସ୍ୟ ଭାବେ କାହାକୁ ଗ୍ରହଣ କରାଯାଇନାହିଁ । ଏପରିକି ବର୍ଷ ବର୍ଷ ଧରି ଜିଲ୍ଲା ସଦରମହକୁମାରେ ସଂସ୍କୃତି ଭବନଟିଏ ମଧ୍ୟ ନିର୍ମାଣ ହୋଇପାରୁନାହିଁ ।

ସ୍ଥାୟୀ ରଙ୍ଗମଞ୍ଚ ନଥିବା ଯୋଗୁଁ ବିଭିନ୍ନ ସମୟରେ  ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ ବେଳେ ବିଭିନ୍ନ ସମସ୍ୟାର ସମୁଖୀନ ହେଉଛନ୍ତି ଯାହା ସାଂସ୍କୃତିକ ବିକାଶ କ୍ଷେତ୍ରରେ ଘୋର ଅନ୍ତରାୟ ସୃଷ୍ଟି କରୁଛି ।

 ଏକାଡେମୀର ଚଳିତ ପରିଷଦ ପାଇଁ ଗଜପତି ଜିଲ୍ଲା ପ୍ରଶାସନ ଏବଂ ମୁଁ ନିଜେ ଆମ ଜିଲ୍ଲାରୁ କୌଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତିଙ୍କୁ ସଦସ୍ୟ ଭାବେ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଏଥିରେ ଗଜପତି ଜିଲ୍ଲାକୁ ସାମିଲ ନକରିବା ଗଜପତିବାସୀ ତଥା କଳାପ୍ରେମୀଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ଆଗାମୀ ଦିନରେ ସଂସ୍କୃତି ବିଭାଗ ପକ୍ଷରୁ ଗଜପତି ଜିଲ୍ଲାକୁ ଗୁରୁତ୍ୱ ଦେବାକୁ ଦାବି କରି ବିଭାଗୀୟ ମନ୍ତ୍ରୀ ଙ୍କୁ ଚିଠି ଲେଖିଛନ୍ତି ପାରଳା ବିଧାୟକ କେ. ନାରାୟଣ ରାଓ।

Leave A Reply

Your email address will not be published.