ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ଜିଲ୍ଲା ଅଧ୍ୟକ୍ଷ ମହେନ୍ଦ୍ର ନାୟକ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଗଠନର ଝାରସୁଗୁଡ଼ା ଜିଲ୍ଲା ସଭାପତି ରୂପେ ମନୋନୀତ ହୋଇଛନ୍ତି। ଏ ସମ୍ପର୍କରେ ରାଜ୍ୟ ସଭାପତି ଶ୍ରୀ ରାମଚନ୍ଦ୍ର ଖୁଣ୍ଟିଆ ଏକ ପତ୍ର ମାଧ୍ୟମରେ ଶ୍ରୀ ନାୟକଙ୍କୁ ଅବଗତ କରାଇଛନ୍ତି। ଦେଶରେ ସାଂପ୍ରତିକ ସମୟରେ ଚାଷୀ ଓ ମୂଲିଆଙ୍କ ଅବସ୍ଥା ଦିନକୁ ଦିନ ସଂକଟାପନ୍ନ ହୋଇ ପଡ଼ୁଥିବା ବେଳେ ଏମାନଙ୍କ ସଂଗଠନକୁ ଜିଲ୍ଲାରେ ଆହୁରି ମଜବୁତ କରିବା ପାଇଁ ଶ୍ରୀ ନାୟକ ତୁରନ୍ତ ପଦକ୍ଷେପ ନେବାକୁ ପତ୍ରରେ ଉଲ୍ଲେଖ ହୋଇଛି। ସଭାପତି ଭାବରେ ମନୋନୀତ ହେବା ପରେ ଶ୍ରୀ ନାୟକ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ତିନୋଟି କଳା କୃଷି ଆଇନ ଯାହାକି ଚାଷୀ ଓ ମୂଲିଆମାନଙ୍କ ସ୍ବାର୍ଥର ପରିପନ୍ଥୀ ଅଟେ, ସେହି ତିନୋଟି ଆଇନ ବିରୁଦ୍ଧରେ ଲଢ଼ିବା ତାଙ୍କର ପ୍ରମୁଖ ଦାୟିତ୍ବ ହେବ। ଏହି କଳା ଆଇନ ଯୋଗୁଁ କିପରି ଚାଷୀ, ମୂଲିଆ ଓ ଛୋଟ ଛୋଟ ବ୍ୟବସାୟୀମାନେ କ୍ଷତିରେ ପଡ଼ିବେ, ସେ ବିଷୟରେ ଲୋକଙ୍କୁ ଅବଗତ କରାଯିବ। ଏହା ବ୍ୟତୀତ ମନରେଗାରେ ନିଯୁକ୍ତ ଥିବା ଶ୍ରମିକ ମାନଙ୍କୁ ବର୍ଷକୁ ୨୦୦ ଦିନ କାର୍ଯ୍ୟ ଓ ଦିନକୁ ୫୦୦ ଟଙ୍କା ମଜୁରୀ ଦେବା ପାଇଁ ସଂଗଠନ ଆନ୍ଦୋଳନ କରିବ।ଏହା ବ୍ୟତୀତ ଅଟୋଚାଳକଠାରୁ ଆରମ୍ଭ କରି ଦୋକାନରେ କାମ କରୁଥିବା ଦିନ ମଜୁରିଆ ପର୍ଯ୍ୟନ୍ତ ସମସ୍ତଙ୍କ ହକ ପାଇଁ ମଧ୍ୟ ସଂଗଠନ କାର୍ଯ୍ୟ କରିବ। ଆଗାମୀ ୧୮ ଜାନୁଆରୀରେ କୃଷକ, ଶ୍ରମିକ, ଯୁବକ ଓ ଯୁବତୀମାନଙ୍କ ସମସ୍ୟାକୁ ନେଇ ସଂଗଠନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଦେବ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିବ ବୋଲି ଶ୍ରୀ ନାୟକ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.