ବରଗଡରେ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ପ୍ରସଙ୍ଗ : ଜିଲ୍ଲାପାଳଙ୍କୁ ଭେଟିଲେ ୟୁନାଇଟେଡ ଫୋରମର ସଦସ୍ୟ 

0

ବରଗଡ଼(ଶାସକ ପ୍ରଶାସକ) : ବରଗଡରେ କ୍ୟାନ୍ସର ହସ୍ପିଟାଲ ସ୍ଥାପନା କରିବା ପାଇଁ ବାରମ୍ବାର ଆନ୍ଦୋଳନ ପରେ ମୁଖ୍ୟମନ୍ତ୍ରୀ ଏହାକୁ ଗ୍ରହଣକରି ବରଗଡରେ କ୍ୟାନ୍ସର ହସ୍ପିଟାଲ ହେବ ବୋଲି ଘୋଷଣା କରିଥିଲେ । କିନ୍ତୁ, କାର୍ଯ୍ୟରେ କୌଣସି ପ୍ରଗତି ପରିଲକ୍ଷିତ ନ ହେବାରୁ ୟୁନାଇଟେଡ ଫୋରମ ଫର କ୍ୟାନ୍ସର ହସ୍ପିଟାଲ ଇନ ବରଗଡ ପୁଣି ଆନ୍ଦୋଳନ ପାଇଁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇ ମୁଖ୍ୟ ସଚିବଙ୍କ ଅଧ୍ୟତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ବରଗଡର ପ୍ରସ୍ତାବିତ କ୍ୟାନ୍ସର ହସ୍ପିଟାଲ ପାଇଁ ସମସ୍ତ ଆନୁସଙ୍ଗିକ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ, ଏହା ଉପରେ କଣ ପ୍ରଗତି ହେଉଛି, ତାହା ଜାଣିବା ପାଇଁ ଫୋରମ ପକ୍ଷରୁ ଏକ ପ୍ରତିନିଧିଦଳ ଆଜି ତା.୪/୧/୨୦୨୧ ଦିନ ଜିଲ୍ଲାପାଳ ଶ୍ରୀ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲା। ଜିଲ୍ଲାପାଳ କାର୍ଯ୍ୟର ପ୍ରଗତି ସମ୍ପର୍କରେ ସୂଚନା ଦେଇ କହିଲେ, ପ୍ଲାନ ପ୍ରସ୍ତୂତ ହୋଇ ଭୁବନେଶ୍ୱର ପଠାହୋଇଛି ଓ ସେଠାରେ ଅନୁଧ୍ୟାନ ଶେଷ ହୋଇ ଶୀଘ୍ର ବଙ୍କର କାର୍ଯ୍ୟ ନିର୍ମାଣ ଆରମ୍ଭ ହେବ ତଥା ଚିକିତ୍ସା ଉପକରଣ ଓ ଷ୍ଟାଫ ପାଇଁ କାର୍ଯ୍ୟାରମ୍ଭ ହୋଇଯାଇଛି । ଆଜିର ଏହି ସାକ୍ଷାତ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅରୁଣ କୁମାର ପାତ୍ର ଓ ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ତଥା କ୍ୟାନ୍ସର ହସ୍ପିଟାଲର ନୋଡାଲ ଅଫିସର ସାଧୁ ଚରଣ ଦାଶଙ୍କ ସହ ଫୋରମ ତରଫରୁ ପ୍ରଦୀପ ଦେବତା, କୃଷ୍ଣ ଚନ୍ଦ୍ର ପଣ୍ଡା, ରବି ପଣ୍ଡା, ପ୍ରିତମ ସିଂହ, ଅଭିଜିତ ପ୍ରତିହାର, ପ୍ରତାପ ନାୟକ, ଦୀପକ ରଥ, ଗୋପାଳ ଶର୍ମା, ଦୀପେଶ ଯୋଷୀ, ଭରତ ସାହୁ ଓ ରଶ୍ମୀ ସାହୁ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.