ଜୁଙ୍ଗା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଓ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନରେ ବ୍ୟାପକ ହେରଫେର

0

    କେନ୍ଦୁଝର (ଶାସକ ପ୍ରଶାସକ):  କେନ୍ଦୁଝର ଜିଲ୍ଲା ହରିଚନ୍ଦନ ପୁର ବ୍ଲକ ଅନ୍ତର୍ଗତ ଜୁଙ୍ଗା ଗ୍ରାମପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଓ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନରେ ବ୍ୟାପକ ହେରଫେର ହେଉଥିବାର ଅଭିଯୋଗ ହେଉଛି । ଏଠି ଯୋଗ୍ୟ ଏବଂ ପ୍ରାପ୍ତ ବୟସ୍କ ଲୋକଙ୍କୁ ଅଣଦେଖା କରାଯାଉଥିବା ବେଳେ, ଅପେକ୍ଷାକୃତ ସ୍ଵଛଳ ଓ କମ ବୟସ୍କ ହିତାଧିକାରୀଙ୍କୁ  ଘର ଏବଂ ଭତ୍ତା ମିଳୁଛି । ବୀନା ଲାଞ୍ଚରେ ଏଠି ନା ଘର ମିଳେ, ନା କୌଣସି ଭତ୍ତା ମିଳେ। ଅଭାବିଙ୍କ ନ୍ୟାୟ ଏଠି ଲାଞ୍ଚ ପାଖରେ ବନ୍ଧା ପଡିଛି । 

    ଜୁଙ୍ଗା ପଞ୍ଚାୟତ ଏକ ଆଦିବାସୀ ଅଞ୍ଚଳ । ଏହାର ଅର୍ଦ୍ଧାଧିକ ଲୋକ ନିରକ୍ଷର ଏବଂ ଗରିବୀ ସୀମାରେଖା ତଳେ ଜୀବନ ବଞ୍ଚନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ , ଏମାନେ ବିଗତ କୋଡିଏ ବର୍ଷଧରି ଲଗାତର ଭାବେ ଶାସକ ବିଜୁ ଜନତା ଦଳକୁ ଭୋଟ ଦେଇ ଆସୁଛନ୍ତି। ଏଠାକାର ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ , ବିଧାୟକ ଓ ସାଂସଦ ସମସ୍ତେ  ଶାସକ ଦଳର ହୋଇଥିଲେହେଁ , ଏମାନଙ୍କ ଦୁଖ ଶୁଣିବାକୁ କେହି ନ।ହିଁ। ଏମାନଙ୍କର ଅସଚେତନତା ଓ ସରଳତାର ସୁଯୋଗ ନେଇ ଏମାନଙ୍କୁ ଶୋଷଣ କରାଯାଉଛି । ମୌଳିକ ଅଧିକାରରୁ ବଞ୍ଚିତ କରାଯାଉଛି । 

   ଅଭିଯୋଗ ଅନୁଯାୟୀ ଏଠି ଯୋଗ୍ୟ ଏବଂ ପ୍ରାପ୍ତ ବୟସ୍କ ଲୋକ ପ୍ରଧାନମନ୍ତ୍ରୀ ଆବାସ ପାଉନଥିବା ବେଳେ,  ଅପର ପକ୍ଷରେ ଅଯୋଗ୍ୟ ଏବଂ ଅପେକ୍ଷାକୃତ ସ୍ଵଛଳ ବ୍ୟକ୍ତି ଗ୍ରାମପଞ୍ଚାୟତ ଅଧିକାରୀଙ୍କୁ ହାତକରି ଘର ପାଉଛି । ଦୀର୍ଘ ଦିନରୁ ଦରଖାସ୍ତ କରିଥିବା ଲୋକର  ଗୁହାରି ବିଚାର କରାଯାଉନଥିବା ବେଳେ , ପରବର୍ତ୍ତୀ  କାଳରେ ଦରଖାସ୍ତ କରିଥିବା ଲୋକ ସୁବିଧା ହତେଇବାରେ ସଫଳ ହେଉଛି । ଏଠି ଯୋଗ୍ୟତା ଓ ଅଭାବ ସ୍ଥାନରେ ଲାଞ୍ଚ ଓ ପ୍ରିୟାପ୍ରୀତି ମାପକାଠି ସାଜିଛି। ସବୁଠାରୁ ଗୁରୁତ୍ଵପୂର୍ଣ ବିଷୟ ହେଲା , ହିତାଧିକାରୀ ତାଲିକା ପ୍ରସ୍ତୁତ କାଳରେ ବ୍ୟାପକ ହେରଫେର ହେଉଛି। ଏପରିକି ଗ୍ରାମସଭାର ସୁପାରିଶକୁ ପଞ୍ଚାୟତ ଓ ବ୍ଲକ ସ୍ତରରେ ଓଲଟ ପାଲଟ କରିଦିଆଯାଉଛି । ବୀନା ଲାଞ୍ଚରେ ହିତାଧିକାରୀ ନା ତାଲିକାଭୁକ୍ତ ହୋଇପାରୁଛି , ନା ଘର ପାଇପାରୁଛି। ଏପରିକି ଷାଠିଏ ବର୍ଷରୁ ଉର୍ଦ୍ଧ ବୟସ୍କ  ବ୍ୟକ୍ତି ଘର ପାଇବାରୁ ବଞ୍ଚିତ ହେଉଥିବା  ବେଳେ, ଚାଳିଶ ବର୍ଷର ବ୍ୟକ୍ତି ଘର ପାଇଛି ।  ପଂଚାୟତ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ , ସେ ବ୍ଲକ ଅଧିକାରୀଙ୍କ ଉପରକୁ ଦୋଷ ଖସାଇ ଦେଉଛନ୍ତି। ଅଭାବି ଲୋକ ନିଜ ଜଞ୍ଜାଳ ଭିତରୁ ଫିଟି ଅଫିସରୁ ଅଫିସକୁ ଧାଇଁବାକୁ ତା’ର ସମୟ ନ।ହିଁ। 

  ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କ୍ଷେତ୍ରରେ ମଧ୍ୟ ସମାନ ଅଭିଯୋଗ ଆସିଛି। ଅଧିକ ବୟସ୍କ ସାଙ୍ଗକୁ ଅଭାବି ଲୋକ ଭତ୍ତାର ସୁବିଧା ପାଉନଥିବା ବେଳେ , ଅପେକ୍ଷାକୃତ କମ ବୟସର ବ୍ୟକ୍ତି ଏ ସୁବିଧା ପାଉଛି। କେତେକ ଠିକାଦାର ଠିକାଦାରି ସାଙ୍ଗକୁ ଏକ୍ଷେତ୍ରରେ ପଞ୍ଚାୟତ ଅଧିକାରୀଙ୍କ ନିକଟରେ ଦଲାଲି କରୁଛନ୍ତି। ବଲାଣି ପୋଶି , ଭଗାମୁଣ୍ଡା, ନିତ୍ୟାନନ୍ଦପୁର, ନଈଗୋଡା, ଡିମିରିନାଳୀ ପରି କେତେକ ଗାଁରୁ ଏପରି ଅଭିଯୋଗ ଆସିଛି । ହିତାଧିକାରୀମାନେ ଏଥିପ୍ରତି ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଧୀରେ ଧୀରେ ଲୋକେ ଶାସକ ବିଜୁ ଜନତା ଦଳଠାରୁ ମୁହଁ ଫେରାଇଲେଣି । 

 

Leave A Reply

Your email address will not be published.