ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କ୍ଷେତ୍ର ପରିଦର୍ଶନ କଲେ ମହାପ୍ରବନ୍ଧକ  ଉମେଶ ସିଂ

0

 

 ଅକ୍ଟୋବର ସୁଦ୍ଧା ବଲାଙ୍ଗୀର ଆଡୁ ଭୈଁସାପାଲିକୁ ଟ୍ରେନ୍‌ ଚାଲିବ

13-05-18-bolangir.jpg - 72.49 kB

Bolangir/ ନିରୋଜ ମିଶ୍ର : ଖୋର୍ଦ୍ଧା-ବଲାଙ୍ଗୀର ବହୁପ୍ରତୀକ୍ଷିତ ରେଳପଥ କାର୍ଯ୍ୟ ଅଗ୍ରଗତି ନେଇ ମଙ୍ଗଳବାର ପୂର୍ବତଟ ରେଲୱେ ମହାପ୍ରବନ୍ଧକ (ଜିଏମ୍‌) ଉମେଶ ସିଂ ନୟାଗଡରୁ ବଲାଙ୍ଗୀର ପର୍ଯ୍ୟନ୍ତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ବଲାଙ୍ଗୀର ପଟରୁ ଭୈଁସାପାଲି ପର୍ଯ୍ୟନ୍ତ ପ୍ରାୟ ୧୫କିଲୋମିଟର ଚାଲିଥିବା ରେଳଲାଇନ୍‌ କାମ ଅଗ୍ରଗତିର ସମୀକ୍ଷା କରିଥିଲେ। ସମୀକ୍ଷା ପରେ ଆସନ୍ତା ଅକ୍ଟୋବର ସୁଦ୍ଧା ବଲାଙ୍ଗୀର ରେଳ ଷ୍ଟେଶନରୁ ଭୈଁସାପାଲି ପର୍ଯ୍ୟନ୍ତ ରେଳ ଚଳାଚଳ କରିବ ବୋଲି ସେ ସୂଚନା ଦେଇଛନ୍ତି। ଜିଏମ୍‌ ସିଂଙ୍କଠାରୁ ଏଭଳି ସୂଚନା ମିଳିବା ପରେ ବହୁ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ବଲାଙ୍ଗୀର ପଟରୁ ଟ୍ରେନ୍‌ ଚଳାଚଳ ଆଶା ଉଜ୍ଜୀବିତ ହୋଇଛି।
ଜିଏମ୍‌ ସିଂ କହିଥିଲେ ଯେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ଅଗ୍ରଗତି ନେଇ ରେଳ ବିଭାଗ ଗୁରୁତ୍ୱ ଦେଉଛି। ମଙ୍ଗଳବାର ଏହି ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ତଦାରଖ କରିବା ପାଇଁ ଭୁବନେଶ୍ୱରରୁ ସ୍ପେଶାଲ ଟ୍ରେନ୍‌ ଯୋଗେ ନୟାଗଡ଼ ପର୍ଯ୍ୟନ୍ତ ଆସିଥିଲେ। ଏହାପରେ ନୟାଗଡ଼ରୁ ନୂଆଗଁ। ପର୍ଯ୍ୟନ୍ତ ରେଳଲାଇନ୍‌ କାମ ପରିଦର୍ଶନ କରିଥିଲେ। ନୟାଗଡ଼ରୁ ନୂଆଗଁ। ପର୍ଯ୍ୟନ୍ତ ରେଳ ଅଗ୍ରଗତି କାମକୁ ନେଇ ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହାପରେ ନୂଆଗାଁରୁ ସଡ଼କପଥରେ ଦଶପଲ୍ଲା, ବୌଦ୍ଧ, ସୋନପୁର ଓ ତରଭା ନିକଟସ୍ଥ ଭୈଁସାପାଲି ପର୍ଯ୍ୟନ୍ତ ରେଳପଥ ଯିବା ରାସ୍ତା ପରିଦର୍ଶନ କରିଥିଲେ। ବଲାଙ୍ଗୀର ରେଳଷ୍ଟେଶନ୍‌ରୁ ଭୈଁସାପାଲି ପର୍ଯ୍ୟନ୍ତ ପ୍ରାୟ ୧୫ କିଲୋମିଟର ରେଳପଥ ନିର୍ମାଣ କାର୍ଯ୍ୟ ଆପାତତଃ ସରିବା ଉପରେ ରହିଛି। ଏହି ରେଳପଥ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହ ଭୈଁସାପାଲିଠାରେ ତିଆରି ହେବାକୁ ଥିବା ରେଳଷ୍ଟେଶନ୍‌ ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ। ସେଠାରୁ ବଲାଙ୍ଗୀର ଫେରିବା ପରେ ଆସନ୍ତା ଅକ୍ଟୋବର ସୁଦ୍ଧା ବଲାଙ୍ଗୀରରୁ ଭୈଁସାପାଲି ପର୍ଯ୍ୟନ୍ତ ରେଳ ଚଳାଚଳ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଂ କହିଥିଲେ। ଏହାପରେ ସେଠାରୁ ସୋନପୁର ଓ ବୌଦ୍ଧ ପର୍ଯ୍ୟନ୍ତ ରେଳ ସଂଯୋଗ କିଭଳି ଶୀଘ୍ର କାର୍ଯ୍ୟକାରୀ ହେବ ସେନେଇ ଦୃଷ୍ଟି ଦିଆଯାଉଛି ବୋଲି କହିଥିଲେ। ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲାରେ ଥିବା ଜଙ୍ଗଲ ଜମି ସମସ୍ୟାକୁ ନେଇ ଅନୁମତି ମିଳିବା ଦିଗରେ ମଧ୍ୟ କିଛି କାମ ଅଗ୍ରଗତି ହୋଇଥିବା ସିଂ ସୂଚନା ଦେଇଛନ୍ତି। ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାରେ ଜମି ଅଧିଗ୍ରହଣ ସମସ୍ୟା ରହିଛି। ତେବେ ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ ପାଇଁ ସରକାର ସମ୍ପୂର୍ଣ୍ଣ ରୂପେ ସକାରାତ୍ମକ ପଦକ୍ଷେପ ଗ୍ରହଣ କରୁଥିବା ଜିଏମ୍‌ ସିଂ ସୂଚନା ଦେଇ ଶୀଘ୍ର କିଭଳି ଏହି ପ୍ରକଳ୍ପ ସମାପ୍ତ ହେବ ସେନେଇ ରେଳବିଭାଗ ମଧ୍ୟ ଗୁରୁତ୍ୱ ଦେଉଥିବା କହିଥିଲେ। ବଲାଙ୍ଗୀର ରେଳଷ୍ଟେଶନ୍‌ରୁ ସ୍ପେଶାଲ ଟ୍ରେନ୍‌ ଯୋଗେ ଜିଏମ୍‌ ସିଂ, ସମ୍ବଲପୁର ଡିଆର୍‌ଏମ୍‌ ଜୟଦୀପ ଗୁପ୍ତା ଓ ଅନ୍ୟ ଅଧିକାରୀମାନେ ଭୁବନେଶ୍ୱର ଅଭିମୁଖେ ଅପରାହ୍ଣରେ ଫେରିଥିଲେ।
ସୂଚନାଯୋଗ୍ୟ, ଖୋର୍ଦ୍ଧା-ବଲାଙ୍ଗୀର ୨୮୯ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରେଳପଥର ଖୋର୍ଦ୍ଧା ପଟରୁ ପ୍ରାୟ ୬୫ କିଲୋମିଟର ରେଳପଥ ନିର୍ମାଣ ସରି ନୟାଗଡ଼ ପର୍ଯ୍ୟନ୍ତ ରେଳ ଚଳାଚଳ କରୁଛି। ବଲାଙ୍ଗୀର ପଟରୁ ପ୍ରାୟ ୧୫ କିଲୋମିଟର ଭୈଁସାପାଲି ପର୍ଯ୍ୟନ୍ତ ରେଳପଥ କାମ ସରିବା ଉପରେ। ତେବେ ସୁବର୍ଣ୍ଣପୁର ଜିଲାରେ ପ୍ରାୟ ୨୯ କିଲୋମିଟର ଏବଂ ବୌଦ୍ଧ ଜିଲାରେ ୧୦୭ କିମି ରେଳପଥ ଆଦୌ କାମ ଆରମ୍ଭ ହୋଇନାହିଁ।

 

 
Leave A Reply

Your email address will not be published.