ଠିକ ସମୟରେ ଦରମା ଦାବି କରି ଗୋଟିଏ ଦିନ କାର୍ଯ୍ୟବନ୍ଦ କଲେ ସଫେଇ କର୍ମଚାରୀ।

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ପୌରପାଳିକାର ସଫେଇ କର୍ମଚାରୀ ସଂଘ ପ୍ରତ୍ୟେକ ମାସ ୫ ତାରିଖ ସୁଦ୍ଧା ଦରମା ଦାବିରେ ଆଜି ଗୋଟିଏ ଦିନ କାର୍ଯ୍ୟବନ୍ଦ କରିଥିଲେ। ପ୍ରତ୍ୟେକ ମାସ ସେମାନଙ୍କ ଦରମା ଠିକ୍ ସମୟରେ ନ ମିଳୁଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। 

ସୂଚନା ଅନୁସାରେ, ପ୍ରତ୍ୟେକ ମାସ ସଫେଇ କର୍ମଚାରୀଙ୍କ ଦରମା ଅନେକ ବିଳମ୍ବରେ ମିଳେ ବୋଲି ସେମାନେ ଅଭିଯୋଗ କରିଛନ୍ତି। କେଉଁ ମାସରେ ୨୦ ତାରିଖରେ ଦରମା ମିଳେ, ପୁଣି କେଉଁ ମାସରେ ୨୫ ତାରିଖରେ। ମାତ୍ର ଇପିଏଫ ଟଙ୍କା କାଟିବାକୁ ବିଳମ୍ବ ହୁଏ ନାହିଁ। ଏ ନେଇ ବାରମ୍ବାର ମୌଖିକ ଓ ଲିଖିତ ଆକାରରେ କର୍ତ୍ତୃପକ୍ଷଙ୍କୁ ଦାବି ଜଣାଇଥିଲେ ସୁଦ୍ଧା,କୌଣସି ସୁଫଳ ମିଳେ ନାହିଁ। ବରଂ କର୍ତ୍ତୃପକ୍ଷଙ୍କ ନାଲି ଆଖିର ଶୀକାର ହେବାକୁ ପଡ଼େ ବୋଲି ଅଭିଯୋଗ କରିଛନ୍ତି ସଂଘର ସଦସ୍ୟମାନେ। 

ତେବେ ତିନି ଘଣ୍ଟା ଧରି କାର୍ଯ୍ୟବନ୍ଦ କରିବା ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ମାସର ୫ ତାରିଖ ସୁଦ୍ଧା ଦରମା ମିଳିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା। ଯଦି ଏହାର ଖିଲାପ ହୁଏ, ତେବେ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

Leave A Reply

Your email address will not be published.