ଭଞ୍ଜନଗର ( ନିଲୁ ବିଷୋୟୀଙ୍କ ସ୍ୱତନ୍ତ୍ର ରିପୋର୍ଟ ) – ବୟସ ୮୭ ଟପିଲାଣି ହେଲେ ଥକି ନାହାନ୍ତି ଉଦୟନାଥ। ଆଜି ମଧ୍ୟ ବି କର୍ମଠ । ପ୍ରତିଦିନ ସକାଳୁ ସାଇକେଲରେ ଆଖପାଖ ଗାଁକୁ ଚୁଡ଼ି ଓ ଶଂଖା ବିକିବାକୁ ନଗଲେ ତାଙ୍କ ଦିନ ଭଲରେ କଟେନାହିଁ। ଘରେ ଦୁଇ ଦୁଇଟି ପୁଅ ସମସ୍ତେ ରୋଜଗାରିଆ। ଘରେ ମଧ୍ୟ କୌଣସି ଅଭାବ ନାହିଁ। ହେଲେ ଉଦୟଙ୍କୁ ଘରେ ବସି ଖାଇବାକୁ ଭଲ ଲାଗେ ନାହିଁ। ଆଉ ସେଇଥିପାଇଁ ସେ ଚମ ଧୁଡ଼ୁଧୁଡ଼ୁ ଦେହ ସାଙ୍ଗକୁ କାନକୁ ଭଲ ଭାବେ ଶୁଭୁ ନଥିଲେ ମଧ୍ୟ ଶୀତ କାକରକୁ ଖାତିର ନକରି ସକାଳୁ ଚୁଡ଼ି ବିକ୍ରି କରିବା ପାଇଁ ବାହାରି ପଡ଼ନ୍ତି। ଚୁଡ଼ି ବିକ୍ରି କରି ମଧ୍ୟାହ୍ନ ୧୨ଟାକୁ ଫେରନ୍ତି। ବଳ ନଥିଲେ ମଧ୍ୟ ସାଇକେଲକୁ ଗଡ଼ାଇ ଗଡ଼ାଇ ପ୍ରତିଦିନ ୫ରୁ ୬ କିଲୋମିଟର ବୁଲିଥାନ୍ତି। ଜଗନ୍ନାଥପ୍ରସାଦ ବ୍ଲକ୍ କଲ୍ୟାଣପୁର ଗ୍ରାମର ଉଦୟନାଥ ସାହୁ। ଗତ ୫୦ ବର୍ଷ ହେବ ଶଂଖା ବ୍ୟବସାୟ କରି ଆସୁଛନ୍ତି। ତାଙ୍କର ସନ୍ତୋଷ ଓ ସୀମାଞ୍ଚଳ ନାମରେ ଦୁଇଟି ପୁଅ ଅଛନ୍ତି। ସେମାନେ ମଧ୍ୟ ଭଲ ରୋଜଗାର କରନ୍ତି। ତେଣୁ ଉଦୟନାଥଙ୍କ ଘରେ କୌଣସି ଅସୁବିଧା ନାହିଁ। ପୁଅମାନେ ଶଂଖା ବିକ୍ରି କରିବା ପାଇଁ ମନା କରୁଥିଲେ ହେଁ ଉଦୟନାଥ ମାନନ୍ତି ନାହିଁ। ସେ ତାଙ୍କ ଗୋଡ଼ ହାତ ଚାଲୁଥିବା ପର୍ଯ୍ୟନ୍ତ ବ୍ୟବସାୟ କରିବେ ବୋଲି କହିଛନ୍ତି। ଦିନେ କି ଦୁଇଦିନ ବ୍ୟବସାୟକୁ ନଗଲେ ତାଙ୍କ ଗୋଡ଼ ଫୁଲିଯାଉ ଥିବା ସେ କହିଛନ୍ତି। ଏଣୁ ସେ ଘରେ ବସି ରହିବାକୁ ପସନ୍ଦ କରନ୍ତି ନାହିଁ। ବୁଲି ବୁଲି ଦିନକରେ ସେ ୫୦ରୁ ୬୦ ଟଙ୍କା ରୋଜଗାର କରନ୍ତି। ତଥାପି ଦୁଃଖ ନାହିଁ। ସରକାରଙ୍କ ତରଫରୁ ଭତ୍ତା ଭାବେ ୭୦୦ ଟଙ୍କା ମିଳୁଛି। କିନ୍ତୁ ଅଳସୁଆ ନ ହୋଇ କର୍ମଠ ହେବା ପାଇଁ ଉଦୟ ଆହ୍ବାନ୍ ଦେଇଛନ୍ତି। ଆଉ ଗୋଟେ କଥା ହେଲା ଲାଭ ଯେତିକି ପାଉଛନ୍ତି ତାହା ବଡ଼କଥା ନୁହେ, ଦୀର୍ଘଦିନର ବ୍ୟବସାୟରେ ସେ ଯେଉଁ ସେନେହ, ଶରଧା ଆଉ ଆତ୍ମିୟତା ଅରଜିଛନ୍ତି ସେ ସମ୍ପର୍କ ଓ ସେନେହର ଡୋରିକୁ ଛିଣ୍ଡାଇବାକୁ ଚାହୁଁନାହାନ୍ତି ଉଦୟନାଥ | ତେବେ ଉଦୟ ଆଜିର ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ବୋଲି କହିଲେ ଜମାରୁ ଅତ୍ୟୁକ୍ତି ହେବନି।
Sign in
Sign in
Recover your password.
A password will be e-mailed to you.
Prev Post