୨୯ ଘଣ୍ଟା ପରେ ବ୍ୟବଚ୍ଛେଦ ପାଇଁ ରାଜି ହେଲେ ପରିବାର ଲୋକେ। 

0

ଉପରିସ୍ଥ ଅଧିକାରୀଙ୍କ ଚାପରେ ମୃତ ଅଧିକାରୀଙ୍କ ମାମଲା।

 ଉଚ୍ଚ ପଦାଧିକାରୀ ନ ଆସିବା ଯାଏ ଶବ ବ୍ୟବଚ୍ଛେଦ କରାଇ ନ ଦେବାକୁ ଜିଦ ଧରି ବସିଥିଲେ ପରିବାର 

ଝାରସୁଗୁଡ଼ା :(ସୁଭାଷ ସହାରେ)- ‘ପ୍ରଥମେ ଆସନ୍ତୁ ଉଚ୍ଚ ପଦାଧିକାରୀ। ତାପରେ ମୃତ ଦେହକୁ ବ୍ୟବଚ୍ଛେଦ କରିବାକୁ ଦିଆଯିବ’। ଅତ୍ୟନ୍ତ ମାର୍ମିକ ଦୃଶ୍ୟ ସୃଷ୍ଟି ହୋଇଥିଲା ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଏହି ଜିଦରେ ଅଡି଼ ବସିଥିଲେ ଝାରସୁଗୁଡ଼ା ବନ ଉନ୍ନୟନ ବିଭାଗର ମୃତ ସବଡିଭିଜନାଲ ମ୍ୟାନେଜର ବାସୁଦେବ ପାଲଙ୍କ ପରିବାର ଲୋକେ। ଶେଷରେ ସମ୍ବଲପୁର ଜିଏମଙ୍କ ଦ୍ବାରା କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ଶବ ବ୍ୟବଚ୍ଛେଦ କରାଇବାକୁ ପରିବାର ଲୋକେ ରାଜି ହୋଇଥିଲେ। 

ଗତକାଲି ଝାରସୁଗୁଡ଼ା ବନ ଉନ୍ନୟନ ବିଭାଗର ସବଡିଭିଜନାଲ ମ୍ୟାନେଜର ବାସୁଦେବ ପାଲ  ଡିଭିଜନାଲ ମ୍ୟାନେଜର ଏ କେ ପଟ୍ଟନାୟକଙ୍କ ବାସଗୃହରେ ଅଚେତ ହୋଇ ପଡ଼ିଯାଇଥିଲେ। ଅନ୍ୟାନ୍ୟ ସହକର୍ମୀ ତାଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ତାଙ୍କର ଦୁଇ ଝିଅ ଏ କେ ପଟ୍ଟନାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଯେ ପୂର୍ବରୁ ତାଙ୍କ ବାପାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ଏ କେ ପଟ୍ଟନାୟକ କାଲି ମଧ୍ୟ ନିଜ ବାସଭବନକୁ ଡାକି ଗାଳିଗୁଲଜ କରିଥିଲେ। ଏହା ସହି ନ ପାରିବାରୁ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା। ଶବ ବ୍ୟବଚ୍ଛେଦ ପାଇଁ ପୋଲିସ କହୁଥିଲେ ମଧ୍ୟ ଯେତେବେଳ ପର୍ଯ୍ୟନ୍ତ ଉଚ୍ଚ ପଦାଧିକାରୀ ଆସିବେ ନାହିଁ, ସେମାନେ ଶବ ବ୍ୟବଚ୍ଛେଦ କରାଇ ଦେବେ ନାହିଁ ବୋଲି ମୃତ ପାଲଙ୍କ ପରିବାର ଲୋକେ କହିଥିଲେ ।ଏହା ବର୍ତ୍ତମାନ ବିଭାଗ,ପ୍ରଶାସନ,ଚିକିତ୍ସା ବିଭାଗ ଓ ପୋଲିସ ପାଇଁ ସମସ୍ୟା ହୋଇ ଛିଡ଼ା ହୋଇଥିଲା। ଶେଷରେ ସମ୍ବଲପୁର ଜିଏମଙ୍କ ପ୍ରତିଶ୍ରୁତି ପରେ ସେମାନେ ଶବ ବ୍ୟବଚ୍ଛେଦ ପାଇଁ ରାଜି ହୋଇଥିଲେ। ସଂଧ୍ୟା ୫ଟାରେ ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ନେଇ ପରିବାର ଶ୍ରୀ ପାଲଙ୍କ ପୈତୃକ ଗ୍ରାମ ସାଲେପୁର ଚାଲି ଯାଇଥିବା ଖବର ମିଳିଛି। 

ଅନ୍ୟପକ୍ଷରେ ମୃତ ପାଲଙ୍କ ସାନଝିଅ ପିତାଙ୍କ ମୃତ୍ୟୁ ଆଘାତ ସହି ନପାରି ଗତକାଲି ଡାକ୍ତରଖାନାରେ ଫିନାଇଲ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣା ପଡ଼ିଛି।

 

Leave A Reply

Your email address will not be published.