ଭୀମଜୋର ମହିଳା ହତ୍ୟା ଘଟଣା : ଦୁଇ ଅସହାୟ ଶିଶୁଙ୍କ ସହାୟତା ପାଇଁ ହାତ ବଢ଼ାଇଲେ ଚାଇଲ୍ଡଲାଇନ। 

0

ଝାରସୁଗୁଡ଼ା 🙁 ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ଥାନା ଅନ୍ତର୍ଗତ ଭୀମଜୋର ଗ୍ରାମରେ ମହିଳାଙ୍କ ହତ୍ୟା ଘଟଣା ପରେ ସ୍ବାମୀ ଜେଲରେ। ବର୍ତ୍ତମାନ ଘରେ ତାଙ୍କର ଦୁଇ ସନ୍ତାନ। ପିତାମାତାଙ୍କ ଅବର୍ତ୍ତମାନରେ ଉଭୟେ ଅସହାୟ ହୋଇ ପଡ଼ିଛନ୍ତି। ଏମାନଙ୍କ ସହାୟତା ପାଇଁ ଆଗକୁ ଆସିଛି ଚାଇଲ୍ଡଲାଇନ। ଏଥିପାଇଁ ଚାଇଲ୍ଡଲାଇନ ତତ୍ପରତା ପ୍ରକାଶ କରି ସେମାନଙ୍କ ଥଇଥାନ ପାଇଁ ଉଦ୍ୟମ କରିଛି। 

ଗତ ଶନିବାର ପାରିବାରିକ କଳହରୁ ସ୍ବାମୀ ସନ୍ତୋଷ ପ୍ରଧାନ ନିଜର ସ୍ତ୍ରୀଙ୍କୁ ମାଡ଼ ମାରି ପ୍ରଥମେ ସଂଜ୍ଞାହୀନ କରି ଦେଇଥିଲେ ଏବଂ ପରେ କିରୋସିନି ଢାଳି ତାଙ୍କୁ ପୋଡ଼ି ଦେଇଥିଲେ। ବାସନ୍ତୀଙ୍କ ପିତାଙ୍କ ଅଭିଯୋଗ ଓ ପୋଲିସର ପ୍ରାଥମିକ ତଦନ୍ତରୁ ସନ୍ତୋଷ ହତ୍ୟା ଅଭିଯୋଗରେ ଗିରଫ ହୋଇ ବର୍ତ୍ତମାନ ଜେଲରେ ଅଛନ୍ତି। ତେଣୁ ଆଜି ଚାଇଲ୍ଡଲାଇନର କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା, ସଦସ୍ୟ ରାଧେଶ୍ୟାମ ନାଏକ ଓ କୋଲାବିରା ଥାନାଧିକାରୀ ସୁକୁମାର ତ୍ରିପାଠୀ ଶିଶୁଦ୍ବୟଙ୍କ ଘରକୁ ପହଞ୍ଚିଥିଲେ।ସେଠାରେ ସେମାନେ ଶିଶୁମାନଙ୍କ କାକାଙ୍କ ସହ ସେମାନଙ୍କ ବିଷୟରେ ଆଲୋଚନା କରିବା ପରେ ଉଭୟ ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଶିଶୁ ମଙ୍ଗଳ ଅଧିକାରୀ ସେମାନଙ୍କ ମାଆଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ପର୍ଯ୍ୟନ୍ତ କାକାଙ୍କଠାରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଚାଇଲ୍ଡଲାଇନ ସେମାନଙ୍କୁ ପୁଣି ଥରେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। 

ଅନ୍ତ୍ୟେଷ୍ଟି କ୍ରିୟା ସମାପନ ପରେ ଉଭୟ ଶିଶୁଙ୍କ ପାଠପଢ଼ା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯିବ ବୋଲି ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷା ଶ୍ରୀମତୀ ଆନନ୍ଦିନି ପାଢ଼ୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଉଭୟ ଶିଶୁଙ୍କ ମଧ୍ୟରୁ ବଡ଼ ଜଣକ ୧୨ ବର୍ଷର କନ୍ୟା ସନ୍ତାନ ଓ ସାନ ଜଣକ ୯ ବର୍ଷର ପୁତ୍ର ସନ୍ତାନ। ସେମାନେ ଗ୍ରାମର ଭୀମଯୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯଥାକ୍ରମେ ସପ୍ତମ ଓ ଚତୁର୍ଥ ଶ୍ରେଣୀରେ ପଢ଼ନ୍ତି ବୋଲି ଚାଇଲ୍ଡଲାଇନର କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ସୂଚନା ଦେଇଛନ୍ତି।

Leave A Reply

Your email address will not be published.