ବାରମ୍ବାର ଛତିଶଗଡ଼ ଯୋଗୁଁ ହଇରାଣ ହେଉଛନ୍ତି ସୀମାନ୍ତବର୍ତ୍ତୀ ଗ୍ରାମର ଲୋକେ। 

0

ଛତିଶଗଡ଼ ଲରା ଏନଟିପିସି ପାଉଁଶ ପାଣିରେ କ୍ଷତିଗ୍ରସ୍ତ ଓଡ଼ିଶା, ମହାନଦୀର ପାଣି ହେବ ବିଷାକ୍ତ। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଛତିଶଗଡ଼ ଯୋଗୁଁ ବାରମ୍ବାର ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକ ଓ ମହାନଦୀ କ୍ଷତିଗ୍ରସ୍ତ ହେଉଥିବା ଦେଖିବାକୁ ମିଳିଛି। ପୂର୍ବରୁ ମହାନଦୀ ପାଣି ନେଇ ଉଭୟ ରାଜ୍ୟ ମଧ୍ୟରେ ଆଇନଗତ ବିବାଦ ଚାଲିଥିବା ବେଳେ ଅନେକ ସମୟରେ ଛତିଶଗଡ଼ ପୋଲିସ ପଶି ଆସି ସୀମାନ୍ତବର୍ତ୍ତୀ ଜିଲ୍ଲାର ଲୋକଙ୍କ  ଉପରେ ଦାଦାଗିରି କରୁଥିବା ଅଭିଯୋଗ ଆସିଥାଏ। ଏବେ ଛତିଶଗଡ଼ ରାଜ୍ୟର ଶିଳ୍ପ ଯୋଗୁଁ ମହାନଦୀ ପାଣି ଆଗାମୀ ସମୟରେ ବିଷାକ୍ତ ହେବାର ସମ୍ଭାବନା ରହିଛି ବୋଲି ଜଣା ପଡ଼ିଛି। 

ସୂଚନା ଅନୁଯାୟୀ, ଛତିଶଗଡ଼ ଓଡ଼ିଶା ସୀମାରେ ଲରାସ୍ଥିତ ଏନଟିପିସିର ଦୁଇଟି ୟୁନିଟରୁ  ୮୦୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ହୋଇଥାଏ। ଏଥିରୁ ନିର୍ଗତ ହେଉଥିବା ପାଉଁଶ ପୋଖରୀ ଓଡ଼ିଶା ସୀମାରୁ ମାତ୍ର ୧୫୦ ମିଟର ଦୂରରେ ଥିବା ବେଳେ ଏହାର ତିନୋଟି ଯାକ ନିଷ୍କାସନ ଦ୍ବାର ଓଡ଼ିଶା ମୁହାଁ। ଏହି ଆଉଟଲେଟ ଦ୍ବାରା ପ୍ରତ୍ୟହ ଘଣ୍ଟା ଘଣ୍ଟା ଧରି ପାଉଁଶଯୁକ୍ତ ପାଣି ଶୁଖାନରା ନାଳାକୁ ଛଡ଼ାଯିବାରୁ ଆଖପାଖରେ ଥିବା ଜମିରେ ଏହି ପାଣି ମିଶି ଫସଲ ନଷ୍ଟ ହେଉଛି। ଆଗକୁ ଶୁଖାନରା ନାଳ ଧୁଲୁଣ୍ଡା ନିକଟରେ ବଡ଼କେଲୋ ନଦୀରେ ଓ ନନ୍ଦପାଲିଠାରେ ବଡ଼କେଲୋ ନଦୀ ମହାନଦୀରେ ମିଶିଛି। ତେଣୁ ଏଥିଯୋଗୁଁ ମହାନଦୀ ପାଣି ବିଷାକ୍ତ ହେବା ଜଳଜଳ ଦିଶୁଛି। ସୂଚନା ପାଇ ଚାରପାଲି ସରପଞ୍ଚ ପ୍ରଦୀପ ବିଶ୍ବାଳ, ଗୁଣନିଧି ସା,ଘନଶ୍ୟାମ ସାହୁ, ସୁଦନ ମାହାରା ପ୍ରମୁଖ ଶୁଖାନରା ନାଳକୁ ଯାଇ ଦେଖି ଛତିଶଗଡ଼ ଏନଟିପିସି ଜିଏମଙ୍କୁ ଏ ବିଷୟରେ ଅବଗତ କରାଇବାରୁ ଗତକାଲି ସଂଧ୍ୟା ୬ଟାରେ ଏନଟିପିସି ପାଉଁଶ ପୋଖରୀରେ ମାଟି ବନ୍ଧ ଦେଇ ମରାମତି କରାଇଥିଲେ। କିନ୍ତୁ ଏନଟିପିସିର ଏହିପରି ଅବହେଳା ମନୋଭାବକୁ ଜନସାଧାରଣ ତୀବ୍ର ବିରୋଧ କରିଛନ୍ତି।

Leave A Reply

Your email address will not be published.