ଦିନିକିଆ କଳାହାଣ୍ଡି ଗସ୍ତରେ ସ୍ୱାସ୍ଥ୍ୟ-ପରିବାର କଲ୍ୟାଣ, ଆଇନ ମନ୍ତ୍ରୀ 

0

ହାତୀନଦୀ ଉପରେ  ବିଜୁ ସେତୁର ଭିତିପ୍ରସ୍ତର ସ୍ଥାପନ 

06-06-18-pratapjena.jpg - 81.75 kB  

ଭବାନୀପାଟଣା/ଧର୍ମଗଡ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ , ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରତାପ ଜେନା ବୁଧବାର ଦିନ ଦିନିକିଆ କଳାହାଣ୍ଡି ଗସ୍ତରେ ଆସିଥିବାବେଳେ ପ୍ରଥମେ ଭବାନୀପାଟଣା କାର୍ଯ୍ୟକ୍ରମ ସାରି ହେଲିକେପ୍ଟର  ଯୋଗେ କଲମପୁର ବ୍ଲକର ବନ୍ଧକନା ଖେଳ ପଡିଆରେ ଅସ୍ଥାୟୀଭାବେ ନିର୍ମିତ ହେଲିପେଡରେ  ଅବତରଣକରି ବନ୍ଧକନା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରିଥିଲେ ଏବଂ ସେଠାରୁ କାରରେ ଟେମରା ଗ୍ରାମକୁ ଯାଇଥିଲେ । ଚୀରସ୍ରୋତା  ହାତୀନଦୀର ଟେମରା – କାଦୋପଦର ଘାଟ ଠାରେ ୭କୋଟି ୩୧ଲକ୍ଷ ବ୍ୟୟରେ ନିର୍ମାଣ ହେବାକୁ ଥିବା ଏକ ବିଜୁସେତୁ ର ଭିତ୍ତିପ୍ରସ୍ତର  ସ୍ଥାପନ କରିଥିଲେ ଏବଂ ସେଠାରେ ଆୟୋଜିତ ସଭାରେ ମୁଖ୍ୟ  ଅତିଥି ଭାବେ ଯୋଗ ଦେଇଥିଲେ । 

ଏହି ସଭାରେ ସମ୍ମାନିତ ଅତିଥି ଭାବେ ସାଂସଦ ଅର୍କ କେଶରୀ ଦେଓ,  ଧର୍ମଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ  ପୁଷ୍ପେନ୍ଦ୍ର  ସିଂହଦେଓ , ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଜିତେନ୍ଦ୍ର ନାରାୟଣ ସିଂହଦେଓ , ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ରାଉତ , ବ୍ଲକ ଅଧ୍ୟକ୍ଷା ମଂଜୁଳା ସାହୁ , ବନ୍ଦକନା ସରପଂଚ ମଧୁଛନ୍ଦା ଭଂଜ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ମହେନ୍ଦ୍ର ନାଥ  ସାହୁ ପ୍ରମୁଖ ମଂଚାସିନ ଥିଲେ ।  ବ୍ଲକ ସଭାପତି ପ୍ରଦୀପ କୁମାର ବେହେରା ମଂଚ ପରିଚାଳନା କରିଥିଲେ । ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ସାରି ମନ୍ତ୍ରୀ ଶ୍ରୀ ଜେନା ଏବଂ ବିଧାୟକ ଦ୍ୱୟ କଲମପୁର ଯାଇଥିଲେ ଏବଂ ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନବ ନିର୍ମିତ ଔଷଧ ଭଣ୍ଡାର ଏବଂ ମଣ୍ଡଳ ଓ କଲମପୁର ଉପକେନ୍ଦ୍ରକୁ ସାମୁହିକ ଭାବେ ଉଦ୍ଘାଟନ କରିଥିଲେ ।  ଏହାସହ କଲମପୁର , କୋକସରା ଏବଂ ଧର୍ମଗଡ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଦ୍ୱାରା ପ୍ରଦତ ତିନୋଟି ମହାପ୍ରୟାଣ  ଅମ୍ବୁଲାନ୍ସକୁ ପତାକା ପ୍ରଦର୍ଶନ ପୂର୍ବକ ମନ୍ତ୍ରୀ ଶ୍ରୀ ଜେନା ଉଦ୍ଘାଟନ କରିଥିଲେ । 

ଏହାପରେ  କଲମପୁରରୁ ବନ୍ଧକନା ହେଲିପ୍ୟାଡକୁ ଯାଇ ସେଠାରୁ ହେଲିକେପ୍ଟର ଯୋଗେ ବିଶ୍ୱନାଥପୁର ଅଭିମୁଖେ ଯାତ୍ରା କରିଥିଲେ ।  ମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିବା ପାଇଁ ଧର୍ମଗଡ ଉପଜିଲ୍ଲାପାଳ ପଦ୍ମନାଭ ବେହେରା,  କଲମପୁର ଗୋଷ୍ଠୀ  ଉନ୍ନୟନ ଅଧିକାରୀ ସୈାରଭ ଦାସ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜୟପାଟଣା ଥାନା ଅଧିକାରୀ ଶୁଶାନ୍ତ ସାହୁ ଓ କଲମପୁର ଫାଣ୍ଡି ଅଧିକାରୀ ମନୋରଂଜନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

 

 

 

 

Leave A Reply

Your email address will not be published.