‘ଆହାର’ ଯୋଗାଉଥିବା କର୍ମଚାରୀଙ୍କୁ ଆହାର ଯୋଗାଇବ କିଏ? 

0

ବକେୟା ଦରମା ପୁନଃନିଯୁକ୍ତି ପାଇଁ ଅନଶନରେ ବସିଲେ ଆହାର କେନ୍ଦ୍ରର କର୍ମଚାରୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଆହାର କେନ୍ଦ୍ରର କର୍ମଚାରୀମାନେ ବର୍ତ୍ତମାନ ଧାରଣାରେ ବସିଛନ୍ତି। ଲକଡାଉନ ସମୟରୁ ସେମାନଙ୍କ କାମ ଯାଇଛି, କଟା ଘା’ରେ ଚୂନ ଲଗାଇବା ଭଳି ଗତ ସାତ ମାସ ହେଲା ଦରମା ମଧ୍ୟ ପାଉନାହାଁନ୍ତି। ବିଭାଗ ତରଫରୁ ଅଧା ଦରମା ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ କାଣି କଉଡ଼ିଟିଏ ମଧ୍ୟ ମିଳିନାହିଁ। ଜୁନ ମାସ ପରେ ସେମାନଙ୍କୁ ପୁଣି କାର୍ଯ୍ୟରେ ଆହାର କେନ୍ଦ୍ରରେ   କାର୍ଯ୍ୟ ଯୋଗାଇ ଦିଆଯିବ ବୋଲି ମଧ୍ୟ ଭରସା ଦିଆଯାଇଥିଲା, ମାତ୍ର ତାହା ମଧ୍ୟ ପୂରଣ ହେଲା ନାହିଁ। ଅନ୍ୟପକ୍ଷରେ ବର୍ତ୍ତମାନ ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ବ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କ ହାତରେ ଟେକି ଦିଆଯିବ ବୋଲି ଶୁଣି, ପୂର୍ବରୁ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ବିଧବା ବା ଆଶ୍ରିତା ମହିଳା ବା ବେକାର ରହୁଥିବା ଶ୍ରେଣୀର ଅଟନ୍ତି। କମ ଦରମା ପାଇ ସୁଦ୍ଧା ଏମାନେ ପରିବାର ଚଳାଉଥିଲେ। କୋଭିଡ ସମସ୍ୟା ଲକ୍ଷ ଲକ୍ଷ ଲୋକଙ୍କ ପେଟପାଟଣା ପାଇଁ କିପରି ବାଧକ ସୃଷ୍ଟି ହୋଇଛି ଏହା ଏକ ଜ୍ବଳନ୍ତ ଉଦାହରଣ। ତେଣୁ ତାଙ୍କର ସାତ ମାସର ବକେୟା ଦରମା ପ୍ରଦାନ ଓ ପୁନଃଥଇଥାନ ଦାବୀ କରି ଆହାର କେନ୍ଦ୍ରର କର୍ମଚାରୀମାନେ ଗତ ଚାରି ଦିନ ହେଲା ଧାରଣାରେ ବସିଛନ୍ତି। 

ସୂଚନା ମୁତାବକ, ଗତ ୨ ନଭେମ୍ବରରୁ ଖୋଲାଯାଇଥିବା  ଝାରସୁଗୁଡ଼ାର ୬ଟି ଆହାର କେନ୍ଦ୍ରରେ ପୂର୍ବରୁ ନିଯୁକ୍ତ ଥିବା ୩୪ ଜଣ କର୍ମଚାରୀଙ୍କ ମଧ୍ୟରୁ ମାତ୍ର ୯ ଜଣଙ୍କୁ ନିଯୁକ୍ତି ମିଳିଛି ଓ ୨୫ ଜଣ କାର୍ଯ୍ୟ ହରାଇଛନ୍ତି। ଏମାନେ ସମସ୍ତେ ଗତ ଚାରିଦିନ ଧରି ଅନଶନରେ ବସିଥିବା ସତ୍ତ୍ୱେ ପ୍ରଶାସନ ତରଫରୁ କୌଣସି ସଂପର୍କ କରାଯାଇ ନାହିଁ। 

ଗତକାଲି କଂଗ୍ରେସ ଦଳର ଏକ ପ୍ରତିନିଧି ଦଳ ଧାରଣାସ୍ଥଳକୁ ଯାଇ ଏମାନଙ୍କ ପ୍ରତି ନିଜର ସମବେଦନା ପ୍ରକଟ କରିବା ସଙ୍ଗେସଙ୍ଗେ ନିଜର ସମର୍ଥନ ଜଣାଇଥିଲେ। ଶୀଘ୍ର ଏମାନଙ୍କ ଦାବୀକୁ ନେଇ ପରବର୍ତ୍ତୀ ପଦକ୍ଷେପ ନେଇ ପ୍ରଶାସନ ସହିତ ଆଲୋଚନା କରିବାକୁ କଂଗ୍ରେସର ପ୍ରତିନିଧି ଦଳ ଏମାନଙ୍କୁ ଆଶ୍ବାସନା ଦେଇଥିଲେ। ଏଥିରେ କଂଗ୍ରେସ ଜିଲ୍ଲା ସଭାପତି ଭରତ ଅୱସ୍ତି, ଭାଗିରଥି ପlତ୍ର, ଶ୍ରୀମତୀ ପ୍ରଦୀପ୍ତା ସାହୁ, ସଞ୍ଜୟ ମହାପାତ୍ର, ସମ୍ବିଦ ପଟେଲ, ମ.ଶାହରୁଖ ପ୍ରଭୃତି ଉପସ୍ଥିତ ଥିଲେ।

 

Leave A Reply

Your email address will not be published.