ସାଲ୍ୟୁଟ : ଦିବ୍ୟାଙ୍ଗ ଯୁବତୀଙ୍କ ଅଭିନବ ସେବା, ନିଶୁଳ୍କ ପାଠ ପଢ଼ାଉଛନ୍ତି ପିଲାଙ୍କୁ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ କୁରେମାଲ ଗ୍ରାମର ଖଡ଼ିଆପଡ଼ାରୁ ଆସିଛି ମାନବତାର ଏକ ବଡ଼ ଉଦାହରଣ। ଏହି ଗ୍ରାମର ଜଣେ ୨୬ ବର୍ଷର ଦିବ୍ୟାଙ୍ଗ ଯୁବତୀ ନୂଆଦେଇ ଖଡ଼ିଆ  ଲକଡାଉନ ଓ ପରବର୍ତ୍ତୀ ସମୟରେ ଯେଉଁ  ଛାତ୍ରଛାତ୍ରୀମାନେ ଅନଲାଇନ ପଢ଼ାରୁ ବଞ୍ଚିତ ହେଉଛନ୍ତି, ସେମାନଙ୍କୁ ପଢ଼ାଇବାରେ ନିଜକୁ ନିୟୋଜିତ କରିଛନ୍ତି। ଅର୍ଥାଭାବରୁ ନିଜେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ପାଠପଢ଼ାରୁ ଡୋରି ବାନ୍ଧିବାକୁ ପଡ଼ିଥିଲା ନୂଆଦେଇଙ୍କୁ। ମାତ୍ର ଅନ୍ୟ ଛାତ୍ରଛାତ୍ରୀଙ୍କ ପଢ଼ା ନେଇ ସେ ସବୁବେଳେ ଚିନ୍ତିତ। ଅନଲାଇନ ପଢ଼ାରୁ ଅନେକ ଛାତ୍ରଛାତ୍ରୀ ଯେତେବେଳେ ବଞ୍ଚିତ ହୋଇଛନ୍ତି, ସେହି ସମୟରେ ସେ ନିଜ ଗ୍ରାମର ଏହିପରି ବଞ୍ଚିତ ଛାତ୍ରଛାତ୍ରୀଙ୍କୁ ପଢ଼ାଇବାର ଦାୟୀତ୍ୱ ନେଲେ ।ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପଢ଼ୁଥିବା ଏହିପରି ୩୫ ଜଣ ଛାତ୍ରଛାତ୍ରୀଙ୍କୁ ନିଶୁଳ୍କ ପାଠ ପଢ଼ାଉଛନ୍ତି ନୂଆଦେଇ। 

ନୂଆଦେଇଙ୍କ ପାରିବାରିକ ଜୀବନ ମଧ୍ୟ କମ ଯନ୍ତ୍ରଣାଦାୟକ ନୁହେଁ। କିଛିବର୍ଷ ପୂର୍ବେ ତାଙ୍କ ମା’ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ପରିବାରର ରୋଜଗାରକ୍ଷମ ବଡ଼ଭାଇ ଏକ ଟ୍ରାକ୍ଟର ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ଘରେ ସେ ନିଜ ବୃଦ୍ଧ ବାପା, ବିଧବା ଭାଉଜ ଓ ୬ ବର୍ଷର ଝିଆରୀଙ୍କ ସହ ରହୁଛନ୍ତି। 

ସ୍ଥାନୀୟ ଗରିବ ଆଦିବାସୀ ପିଲାମାନଙ୍କୁ ପଢ଼ାଇବା ପାଇଁ ସେ ଏକ ଇନ୍ଦିରା ଆବାସକୁ ବ୍ୟବହାର କରିଥିଲେ। କଳାପଟା ଅଭାବରୁ ଘର କବାଟରେ ଲେଖି ପଢ଼ାଉଥିଲେ। ଯିବା ଆସିବା କରିବା ପାଇଁ ନିଜ ପାଖରେ ଥିବା ଏକ ଭଙ୍ଗା ପୁରୁଣା ତିନି ଚକିଆ ସାଇକଲ ବ୍ୟବହାର କରୁଥିଲେ। ନୂଆଦେଇଙ୍କର ଏହି କାର୍ଯ୍ୟ ବିଷୟରେ ଅବଗତ ହେବା ପରେ ଝାରସୁଗୁଡ଼ା ଅଞ୍ଚଳର ଏକ ସାମାଜିକ ସଙ୍ଗଠନ “ଏଇ ତ ଜୀବନ” ତାଙ୍କ ପାଖକୁ ଯାଇ  କଳାପଟା, ଚକ, ଡଷ୍ଟର ତଥା କଲମ ଭଳି ପାଠ୍ୟସାମଗ୍ରୀ ପ୍ରଦାନ କରିଥିଲେ। ଜିଲ୍ଲାପାଳ କାର୍ଯ୍ୟାଳୟରେ ସଂପର୍କ କରି ତାଙ୍କ ପାଇଁ ବ୍ଲକ ଅଫିସରୁ ଏକ ନୂତନ ତିନି ଚକିଆ ସାଇକେଲର ବ୍ୟବସ୍ଥା ମଧ୍ୟ କରାଇଛନ୍ତି। ଆଗାମୀ ଦିନରେ ସେହି ଗ୍ରାମରେ ତାଙ୍କ ପାଇଁ ନିଯୁକ୍ତିର ବ୍ୟବସ୍ଥା କରିବା ପାଇଁ ସେମାନେ ଜିଲ୍ଲା ପ୍ରଶାସନ ପାଖରେ ନିବେଦନ କରିଛନ୍ତି। 

ସୂଚନାଯୋଗ୍ୟ ଯେ, ନୂଆଦେଇଙ୍କ ମା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବନ ବିଭାଗ ପକ୍ଷରୁ ତାଙ୍କୁ ଏକ ଚାକିରି ଓ ବ୍ଲକ ଅଫିସ ତରଫରୁ ଏକ ଆବାସ ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାହା ପୂରଣ ହୋଇ ପାରି ନାହିଁ।

Leave A Reply

Your email address will not be published.