ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ କୋନକାଷ୍ଟର ପୂର୍ବତନ କର୍ମଚାରୀ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ାସ୍ଥିତ କୋନକାଷ୍ଟ ଷ୍ଟିଲ ଏବଂ ପାୱାର ଲିମିଟେଡର ପୂର୍ବତନ କର୍ମଚାରୀମାନେ ନିଜର ବକେୟା ଥିବା ଦରମା ଓ ପୁନଃନିଯୁକ୍ତି ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଧାରଣା ଦେଇଥିଲେ। କମ୍ପାନୀକୁ ବେନିୟମ ଭାବରେ ବନ୍ଦ କରି କର୍ମଚାରୀମାନଙ୍କୁ ଦରମା ଦେଇ ନ ଥିବା ଯୋଗୁଁ ବର୍ତ୍ତମାନ ସେମାନେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ବୋଲି କର୍ମଚାରୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। 

ସୂଚନାନୁଯାୟୀ, କୋନକାଷ୍ଟ ଷ୍ଟିଲ ଓ ପାୱାର କମ୍ପାନୀ ଲିମିଟେଡ ଗତ ଚାରି ବର୍ଷ ହେଲାଣି, ବନ୍ଦ ରହିଛି। ସେ ସମୟରେ ସେଠାରେ ନିଯୁକ୍ତ ଥିବା କର୍ମଚାରୀଙ୍କୁ ତାଙ୍କର ବକେୟା ଥିବା ଦରମା ନ ଦେଇ ଛଟେଇ କରାଯାଇଥିଲା। ଏହା ବିରୋଧରେ କର୍ମଚାରୀମାନେ ଗତ ସେପ୍ଟେମ୍ବର ୧୭ ତାରିଖରେ କମ୍ପାନୀ ଗେଟ ସାମନାରେ ଧାରଣା ଦେଇଥିଲେ। ଜିଲ୍ଲାପାଳ କାର୍ଯ୍ୟାଳୟଙ୍କ ହସ୍ତକ୍ଷେପ ଫଳରେ ସେମାନେ ଧାରଣାରୁ ବିରତ ରହି ପରବର୍ତ୍ତୀ ପଦକ୍ଷେପ ପାଇଁ ଅପେକ୍ଷା କରିଥିଲେ। ଏହାପରେ ମଧ୍ୟ ଜିଲ୍ଲାପାଳଙ୍କୁ ସମସ୍ୟାର ସମାଧାନ କରିବାକୁ ବାରମ୍ବାର ଲେଖି ଜଣାଇଥିଲେ। ମାତ୍ର ଜିଲ୍ଲାପାଳ କାର୍ଯ୍ୟାଳୟ ତରଫରୁ କୌଣସି ସମାଧାନ ନ ହେବାରୁ ସେମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଆସନ୍ତା ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତି। ନଚେତ ସେମାନେ ଆସନ୍ତା ୫ ନଭେମ୍ବରରୁ କମ୍ପାନୀ ଗେଟ ସମ୍ମୁଖରେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ପ୍ରଦର୍ଶନ କରିବା ପାଇଁ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.