ସାବାସ ଡା. ସୂର୍ଯ୍ୟକାନ୍ତ

0

ବଲାଙ୍ଗୀର (ନିରୋଜ ମିଶ୍ର) : କଥାରେ  ଅଛି ଦୃଢ ଇଚ୍ଚାଶକ୍ତି ଆଗରେ ସର୍ବଦା ଅସମ୍ଭବ ମୁଣ୍ଡ ନୁଆଁଇଛି। ଯଦି କିଛି କରିବାର ବିଶ୍ୱାସ ରହିଛି ତେବେ ଯେଉଁଭଳି ପରିସ୍ଥିତି ଆସୁନା କାହିଁକି ଲକ୍ଷ୍ୟ ହାସଲ ହେବା ସୁନିଶ୍ଚିତ। ଏମିତି ଏକ ଉଦାହରଣ ବଲାଙ୍ଗିର ଜିଲା ଲୋଇସିଂହା ବ୍ଲକରେ ଦେଖିବାକୁ ମିଲିଛି। ବର୍ଷକ ପୂର୍ବରୁ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ବାଦିମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଚର୍ଚ୍ଚାରେ ରହିଥିଲା। ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ଜରାଜୀର୍ଣ୍ଣ ହୋଇପଡିଥିବା ଡାକ୍ତରଖାନା ନୂଆ ଜୀବନ ପାଇଥିଲା। ଠିକ ସେହିପରି କୁଶଙ୍ଗ ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଏବେ ଜୋରଦୋର ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ମାସ ତଲେ ଏହି ଡାକ୍ତରଖାନାରେ ଅବସ୍ଥା ଯାହା ଥିଲା ତାହା ଆଜି ସଂପୂର୍ଣ୍ଣ ବଦଲିଯାଇଛି।ଡାକ୍ତରଖାନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଶେଷରେ ସଫଳ ହୋଇଛି।

ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କୁଶଙ୍ଗ ଓ ବାଦିମୁଣ୍ଡା ଠାରେ ଦୁଇଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। କିଛି ମାସ ତଲେ ଏହି ଦୁଇ ସ୍ୱାସ୍ଥ୍ୟକେନ୍ଦ୍ରର ଜରାଜୀର୍ଣ୍ଣ ଅବସ୍ଥା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା। କିନ୍ତୁ ଉଭୟ ଡାକ୍ତରଖାନାରେ କାମ କରୁଥିବା ଦୁଇ ଜଣ ଡାକ୍ତରଙ୍କ ପ୍ରଚେଷ୍ଟା ଯୋଗୁ ପୁଣି  ଏହି ଡାକ୍ତରଖାନା ପ୍ରଶଂସା ଗୋଟାଇଛନ୍ତି। ସ୍ବଚ୍ଛତା, ସୁନ୍ଦରତା ଓ ବ୍ୟବସ୍ଥା ଉପରେ ନଜର ପକାଇଲେ ଏହି ଦୁଇଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବି ପଛରେ ପକାଇଦେବ। ଲୋଇସିଂହା ବ୍ଲକ କୁଶଙ୍ଗ ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅବହେଳିତ ହୋଇପଡିରହିଥିଲା। ବାଡ ଥିଲା କିନ୍ତୁ ଇଟା ନଥିଲା। କୋଠରୀ ଥିଲା କିନ୍ତୁ ତାହା ଡାକ୍ତରଖାନା ବଦଳରେ ମଦୁଆଙ୍କ ପାଇଁ ବ୍ୟବହାର ହେଉଥିଲା। ଏହିଭଳି ପରିସ୍ଥିତିରେ ରୋଗୀ ମାନେ ଡାକ୍ତରଖାନା ଯିବା ପାଇଁ ନାକ ଟେକୁଥିଲେ। କିଛି ମାସ ତଲେ ଏହି ଡାକ୍ତରଖାନାରେ ମେଡିକାଲ ଅଫିସର ଭାବେ ଯୋଗଦେଇଥିଲେ  ଡା. ସୂର୍ଯ୍ୟକାନ୍ତ ମହାପାତ୍ର। ଡାକ୍ତରଖାନା ଅବ୍ୟବସ୍ଥାକୁ ନେଇ ସେ ପ୍ରଥମେ ଚିନ୍ତା ପ୍ରକଟ କରିଥିଲେ। କୌଣସି ବ୍ୟବସ୍ଥା ନଥିବା ବେଳେ ଡାକ୍ତରଖାନାର କାୟା କିପରି ପରିବର୍ତ୍ତନ ହେବ ସେ ଦିଗରେ ନିଜ ପ୍ରୟାସ ଆରମ୍ଭ କରିଥିଲେ। ମାତ୍ର କେଇଟା ମାସ ଭିତରେ କୁଶଙ୍ଗ ଡାକ୍ତରଖାନା ନୁଆ ଜୀବନ ପାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.