ପୁଣି  ବେଦାନ୍ତ ଗେଟ୍ ବନ୍ଦ ହେଲା : କର୍ମଚାରୀମାନଙ୍କୁ ପୁରାଇ ଦେଲେ ନାହିଁ ଆନ୍ଦୋଳନକାରୀ

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ାରେ ବେଦାନ୍ତ ବିରୋଧୀ ଝଡ଼ ଥମିବାର ନାମ ନେଉ ନାହିଁ। କେତେବେଳେ ଆଶ୍ ପଣ୍ଡ ମାମଲା ତ କେତେବେଳେ ରାତାରାତି କୋର୍ଟ ନିଷ୍ପତ୍ତି ବଦଳାଇ ଜନଶୁଣାଣି କରିବା ଘଟଣା ଯୋଗୁଁ ବିରୋଧର ସମ୍ମୁଖୀନ ହେଉଛି ବେଦାନ୍ତ। ସ୍ଥାନୀୟ ଲୋକଙ୍କ ସମସ୍ତ ନ୍ୟାଯ୍ୟ ଦାବି ଓ ଅଧିକାରକୁ ଭୃକ୍ଷେପ ନ କରି ନିଜର ମନମୁଖୀ ଚଳାଇଛି ଏହି କମ୍ପାନୀ। ଆଜି ମଧ୍ୟ ବେଦାନ୍ତ ଗେଟ ସମ୍ମୁଖରେ ପ୍ରଦର୍ଶନ କରି ଗେଟକୁ ବନ୍ଦ କରି କର୍ମଚାରୀମାନଙ୍କୁ ପ୍ରବେଶ କରିବାକୁ ଦେଇ ନ ଥିଲେ ଜମି ଅଧିଗ୍ରହଣ ପରେ କ୍ଷତିଗ୍ରସ୍ତ ହୋଇଥିବା କାତିକେଲା ଗ୍ରାମର ଅଧିବାସୀ। 

ସୂଚନାନୁସାରେ ଆଜି ସକାଳୁ କାତିକେଲା ଗ୍ରାମର କ୍ଷତିଗ୍ରସ୍ତ ପରିବାରମାନେ ପୁଣି ଥରେ ଆଜି ବେଦାନ୍ତର ଦୁଇଟି ଗେଟକୁ ବନ୍ଦ କରିଦେଇ ମୂଖ୍ୟ ପ୍ରବେଶ ଦ୍ବାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ତିନିବର୍ଷ ହେଲାଣି, ବେଦାନ୍ତ ସେମାନଙ୍କ ଜମି ବଦଳରେ ସଂପୂର୍ଣ୍ଣ କ୍ଷତିପୂରଣ ରାଶି ଓ ଚାକିରୀ ଦେବାର ପ୍ରତିଶ୍ରୁତିକୁ ରକ୍ଷା କରିନାହିଁ ଏବଂ ସବୁବେଳେ ଟାଳଟୁଳ ନୀତି ଅବଲମ୍ବନ କରୁଛି ବୋଲି ପ୍ରଦର୍ଶନକାରୀମାନେ ଅଭିଯୋଗ କରିଥିଲେ। ଗତ ୧୪ ତାରିଖରେ ମଧ୍ୟ ବେଦାନ୍ତ କର୍ତ୍ତୃପକ୍ଷ ସେମାନଙ୍କ ଦାବିକୁ ଦଶ ଦିନ ମଧ୍ୟରେ ପୂରଣ କରିବେ ବୋଲି କଥା ଦେଇଥିଲେ, ମାତ୍ର ସମୟ ଅବଧି ପୂରଣ ହେବା ପରେ ମଧ୍ୟ ବେଦାନ୍ତ ନିଜର ପ୍ରତିଶ୍ରୁତି ରକ୍ଷା କରୁନାହିଁ। ତେଣୁ ଯେ ପର୍ଯ୍ୟନ୍ତ ବେଦାନ୍ତ କର୍ତ୍ତୃପକ୍ଷ ସେମାନଙ୍କ ଦାବି ପୂରଣ ପାଇଁ ଷ୍ଟାମ୍ପ ପେପରରେ ଲେଖି ନ ଦେବେ, ସେତେଦିନ ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ପ୍ରଦର୍ଶନକାରୀମାନେ ଗଣମାଧ୍ୟମ ଆଗରେ କହିଛନ୍ତି।

Leave A Reply

Your email address will not be published.