http://www.youtube.com/watch?v=EqAQFDKor_c
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ନିକଟସ୍ଥ ବେତାଗୁଡା ସ୍ଥିତ ସଂରକ୍ଷୀତ ସଶସ୍ତ୍ର ଆରକ୍ଷୀ କାର୍ଯ୍ୟାଳୟର ପଡିଆ ଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ୬୧ ତମ ଶହୀଦ ସ୍ମୃତି-ଚାରଣ ଦିବସ ପରେଡ଼-୨୦୨୦ କାର୍ଯ୍ୟକ୍ରମ ନିରାଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଗଜପତି ଆରକ୍ଷୀ ଅଧିକ୍ଷକ ଶ୍ରୀ ତପନ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଏସପି ଶ୍ରୀ ପଟ୍ଟନାୟକ ପ୍ରଥମେ ଦେଶ ମାତୃକାର ସେବା କରି ଶହୀଦ ହୋଇଥିବା ଅମର ପୋଲିସ ଯବାନ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ବୀରତ୍ବର ସହିତ ଯୁଦ୍ଧକରି ବିରଗତି ପ୍ରାପ୍ତତ୍ୱ ହୋଇଥିବା ପୋଲିସ ଯବାନ ମାନଙ୍କ ସେହି ଘଟଣାର ସ୍ମୃତିଚାରଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖ ଦିନ ପୋଲିସ ଶହୀଦ ଦିବସ ରୂପେ ସ୍ଵତନ୍ତ୍ର ଭାରତ ବର୍ଷରେ ପାଳନ କରାଯାଇଥାଏ ।ତାଙ୍କ ଅଭିଭାଷଣରେ ସେ କହିଥିଲେ ଯେ , ପୋଲିସ ଯବାନ ମାନେ ନିଜ ପରିବାର କଥା ଚିନ୍ତା ନ କରି ନିଜ ଜୀବନକୁ ଦେଶ ଓ ଜାତି ସୁରକ୍ଷା ଦିଗରେ ବାଜି ଲଗାଇ ବିଭିନ୍ନ ସମୟରେ ଏବଂ ବିଭିନ୍ନ ସ୍ଥାନରେ ସୁରକ୍ଷା ସେବା ଦେଇ ଆସୁଛନ୍ତି । ଦେଶ ଓ ସମାଜର ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ କରି ଆସୁଛନ୍ତି । ସେମାନେ କୌଣସି କ୍ଷେତ୍ରରେ ହେଲେ ମଧ୍ୟ ପଛଘୁଞ୍ଚା ନ ଦେଇ ବୀରତ୍ବର ସହିତ ମୁକାବିଲା କରିଥାନ୍ତି । ପ୍ରତ୍ୟେକ କ୍ଷେତ୍ରରେ ତାଙ୍କ ଦାୟିତ୍ୱ ପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲେ ।
ଗତ ୧/୯/୨୦୧୯ ରୁ ୩୧/୮/୨୦୨୦ ତାରିଖ ମଧ୍ୟରେ ଭାରତ ବର୍ଷର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ କର୍ତ୍ତବ୍ୟରତ ଥିବା ପୋଲିସ ଯବାନ ମାନେ ନିଜ ଜୀବନକୁ ଉତ୍ସର୍ଗ କରି ଦେଶ ଓ ଜାତି ପାଇଁ ମୋଟ ୨୬୫ ଜଣ ପ୍ରାଣବଳି ଦେଇଛନ୍ତି । ତା ସହିତ ଓଡ଼ିଶାର ୪୧ ଜଣ ପୋଲିସ କର୍ମଚାରୀ ଓ ଅଧିକାରୀ କୋଭିଡ୍ ଯୋଦ୍ଧା କରୋନା ଦ୍ୱାରା ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ସେ ସମସ୍ତଙ୍କ ନାମ ପାଠ କରି ସେମାନଙ୍କ ସ୍ମୃତି ଚାରଣ କରିଥିଲେ ।
ପରେ ଏହି ଅବସରରେ ଶହୀଦ ମାନଙ୍କ ଉଦ୍ଦେଶରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷି ଲାଲ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରିତ ବାର୍ତ୍ତା ପାଠ କରିଥିଲେ ।
ପରେ ଏସପି: ଶ୍ରୀ ପଟ୍ଟନାୟକ ଓ ଅନ୍ୟ ପୋଲିସ ଅଧିକାରୀ ମାନେ ଶହୀଦ ସ୍ତମ୍ଭ ଠାରେ ଫୁଲତୋଡା ଦେଇ ଶହୀଦ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସମ୍ମିଳିତ ପ୍ୟାରେଡ଼କୁ ରିଜର୍ଭ ଇନିସ୍ପେକ୍ଟର ଡମ୍ବରୁ ଧର ହନାଗା ଏବଂ ସରଜେଣ୍ଟ ପି:ଲକ୍ଷ୍ମୀ ପ୍ରମୁଖ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କମାନଡେଣ୍ଟ ଶ୍ରୀ ଜୁରିଆ ବେହେରା , ଅତିରିକ୍ତ ଏସପି: ଶ୍ରୀ ସୀତାରାମ ଶତପଥୀ , ଏସଡ଼ିପିଓ:- ଶ୍ରୀ ରାମକୃଷ୍ଣ କୁମାର ପତି , ଡିଏସପି:ରାଧା ଚରଣ ପଟ୍ଟନାୟକ , ପାରଳାଖେମୁଣ୍ଡି ଆଦର୍ଶ ଥାନାଧିକାରୀ ବିବେକା ନନ୍ଦ ସ୍ୱାଇଁ ପ୍ରମୁଖଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ କର୍ମଚାରି ଉପସ୍ଥିତ ଥିଲେ ।