ଦଳୀୟ ପ୍ରାର୍ଥୀ ମାନସଙ୍କ ପାଇଁ ବିଜେପି ରାଜ୍ୟ ସଭାପତିଙ୍କ ପ୍ରଚାର ଜାରି

0

ବାଲେଶ୍ୱର,(ଶାସକ ପ୍ରଶାସକ): ଚଳିତ ବାଲେଶ୍ୱର ସଦର ଉପ-ନର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରମୁଖ ଦଳମାନଙ୍କର ହେଭିୱେଟ୍ ନେତାମାନେ ପ୍ରଚାର ଜାରି ରଖିଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ପାଇଁ ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି । ଆଜି ସେ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ସହରର ଫାଣ୍ଡିଛକ ଓ ନୂଆବଜାର ଅଞ୍ଚଳର ବ୍ୟବସାୟୀଙ୍କୁ ସାକ୍ଷାତ ସହ ମାନସଙ୍କ ପାଇଁ ଭୋଟଭିକ୍ଷା କରିଥିଲେ । ବାଲେଶ୍ୱରର ଅର୍ଥନୈତିକ ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ଲୋକାଭିମୁଖୀ ପ୍ରକଳ୍ପ ସମ୍ପର୍କରେ ସେ ଲୋକମାନଙ୍କୁ ସୂଚନା ଦେଇଥିଲେ । ବିଶେଷ କରି ୧୬ ନଂ ଜାତୀୟ ରାଜପଥର ଭଦ୍ରକରୁ ବାଲେଶ୍ୱର ରାସ୍ତାକୁ ୬ ଲେନ୍ ବିଶିଷ୍ଟ କରିବା ପାଇଁ କେନ୍ଦ୍ର ସରକାରଙ୍କ ୯୯୯ କୋଟି ଟଙ୍କା ମଞ୍ଜୁର, ହିଡ଼ିଗାଁରେ ଅଶୋଧିତ ତୈଳ ପାଇପ୍ ଲାଇନର ପମ୍ପ ଷ୍ଟେସନ ନିର୍ମାଣ ପ୍ରଭୃତି  ସମ୍ପର୍କରେ ଶ୍ରୀ ମହାନ୍ତି ବ୍ୟବସାୟୀମାନଙ୍କୁ କହିଥିଲେ । ଏଥି ସହିତ ସାମ୍ପ୍ରତିକ ସ୍ଥିତିରେ ରାଜ୍ୟ ସରକାରଙ୍କ ଅବହେଳା ତଥା ଅପାରଗତା ପାଇଁ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଦେଖାଦେଇଥିବା ଅରାଜକତା ସମ୍ପର୍କରେ ସେ ପ୍ରକାଶ କରିଥିଲେ । ବିଜେଡି ସରକାରରେ ବୃଦ୍ଧି ପାଇଥିବା ଦୁର୍ନୀତି ଓ ପ୍ରତିଟି ଯୋଜନାରେ ହେଉଥିବା ପାତରଅନ୍ତ ନୀତିରୁ ଉପେକ୍ଷିତ ଲୋକଙ୍କୁ ରକ୍ଷା କରିବା ତଥା ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ବିକାଶ କାର୍ଯ୍ୟକୁ ଆଗେଇନେବା ପାଇଁ ମାନସ କୁମାର ଦତ୍ତଙ୍କୁ ଅଧିକ ସଂଖ୍ୟାରେ ଭୋଟ ଦେବା ପାଇଁ ଶ୍ରୀ ମହାନ୍ତି ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଶୋଭନା ମହାନ୍ତି, ସୁଷମା ବିଶ୍ୱାଳ, ନଗର ସଭାପତି ଚିତ୍ତରଂଜନ ପଣ୍ଡା, ପିଙ୍କି ପ୍ରଧାନ ପ୍ରମୁଖଏହି ପ୍ରଚାର କାର୍ଯ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.