ଆମର ସମ୍ବଲପୁର ସାମାଜିକ ସଂଗଠନ ପକ୍ଷରୁ କୋଭିଡ ରୋଗୀଙ୍କ ପରିଜନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି। 

0

 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ସାମାଜିକ ସଂଗଠନ “ଆମର ସମ୍ବଲପୁର’ ପକ୍ଷରୁ ଏଠାରେ ଚିକିତ୍ସିତ କୋଭିଡ ରୋଗୀଙ୍କ ପରିଜନଙ୍କ ପାଇଁ ଅତ୍ୟାବଶ୍ୟକ ସୁବିଧା ସେବା ଯୋଗାଇ ଦେବା ପାଇଁ ଦାବି କରାଯାଇଛି । ସଂଗଠନର କିଛି ସକ୍ରିୟ କର୍ମକର୍ତ୍ତା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ସାକ୍ଷାତ କରିବା ସହ ଏ ବିଷୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ଅନୁସାରେ ସମ୍ବଲପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ରୋଗୀଙ୍କ ପରିଜନଙ୍କ ପ୍ରତି ଘୋର ଉପେକ୍ଷାକୁ ମାନବିକତା ବିରୁଦ୍ଧାଚରଣ କହି ନିନ୍ଦା କରା ଯାଇଛି । ସେମାନଙ୍କ ପାଇଁ ପୂର୍ବରୁ ଉତ୍‌ଥାପିତ ଦାବି ଯଥା, ସାହାଯ୍ୟ ପାଇଁ ହେଲ୍ପଡେସ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ କରାଯାଇ ନ ଥିବାରୁ ଉଦବେଗ ପ୍ରକାଶ ସହିତ ନୂତନ ଦାବି ରୂପେ ଆଶ୍ରୟ ସୁବିଧା ଯୋଗାଇ ଦେବା କଥା ଉତ୍‌ଥାପନ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମ୍ବଲପୁର ଠାରେ ସଂଚାଳିତ କୋଭିଡ ହସ୍ପିଟାଲ ଉପରେ କେବଳ ମାତ୍ର ସମ୍ବଲପୁର କାହିଁକି, ଆଖପାଖ ଜିଲ୍ଲାର ଲୋକେ ନିର୍ଭର କରନ୍ତି ଓ ସେମାନେ ଅଧିକାଂଶ ଅତ୍ୟନ୍ତ ଗରିବ ଶ୍ରେଣୀଭୁକ୍ତ । ଚିକିତ୍ସା ପାଇଁ ରୋଗୀକୁ ନେଇ ଆସିଥିବା ତାହାର ପରିଜନଙ୍କ ବିଷୟରେ କେହି ଚିନ୍ତା କରୁ ନାହାନ୍ତି । ହସ୍ପିଟାଲ ପରିସର ଭିତରେ ସେମାନଙ୍କ ପାଇଁ ଆଗରୁ ସୁବିଧା କରାଯାଇଥିଲା କିନ୍ତୁ ବର୍ତ୍ତମାନ କୋଭିଡ ଚିକିତ୍ସା ଆଳରେ ତାହା ସମ୍ପୂର୍ଣ୍ଣ ରୂପେ ବନ୍ଦକରି ଦିଆଯାଇଛି ଓ ସେମାନଙ୍କୁ ଖରା, ବର୍ଷା ଓ ଶୀତରେ ଖୋଲା ଆକାଶ ତଲେ ରାତ୍ରି ଯାପନ ପାଇଁ ଅମାନବୀୟ ଭାବେ ଛାଡି ଦିଆ ଯାଇଛି । ବର୍ତ୍ତମାନ ଉକ୍ତ ସୁବିଧାକୁ ପୁଣି ଯୋଗାଇ ଦିଆଯାଉ, ଅନ୍ୟଥା “ଆମର ସମ୍ବଲପୁର’ ପକ୍ଷରୁ ସେମାନଙ୍କ ପାଇଁ ପରିସର ବାହାରେ ଅସ୍ଥାୟୀ ଆଶ୍ରୟ ନିର୍ମାଣ କରିବା ପାଇଁ ପ୍ରସ୍ତୁତ ରହିଛି, ଏଣୁ ଏଥିପାଇଁ ଆବଶ୍ୟକ ଅନୁମତି ପ୍ରଦାନ କରାଯାଉ ବୋଲି ସଂଗଠନ ପକ୍ଷରୁ  ଦାବି କରାଯାଇଛି ।

Leave A Reply

Your email address will not be published.