ତେଜରାତି ଦୋକାନ ଖୋଲି ବସିଛନ୍ତି ଜାତୀୟ ସ୍ତରର ଫୁଟବଲ ଖେଳାଳୀ

0

ସରକାରଙ୍କ ଇଛାଶକ୍ତି ଥିଲେ କଣ ବଦଳି ପାରିବନି ଭାରତୀଙ୍କ ଭାଗ୍ୟ !!! 

ନାହିଁ ତ, କୋଟି କୋଟି ଟଙ୍କାର ଷ୍ଟାଡିଅମ ଓ ଅଡିଟୋରିୟମ କାହା ସ୍ବାର୍ଥରେ? 

ଝାରସୁଗୁଡ଼ା:(ସୁଭାଷ ସହାରେ)- ରାଜ୍ୟ ଓ କେନ୍ଦ୍ର ସରକାରମାନେ ଖେଳ ପାଇଁ ବିନିଯୋଗ କରନ୍ତି ଶହ ଶହ କୋଟି ଟଙ୍କା। ଅଡିଟୋରିୟମ, ଷ୍ଟାଡିଅମ ତିଆରି କରିବାରେ ହଜାର ହଜାର କୋଟି ଖର୍ଚ୍ଚ କରନ୍ତି। ଖେଳାଳୀ ରାଜ୍ୟ ପାଇଁ ବା ଦେଶ ପାଇଁ ଯେତେଦିନ ଖେଳନ୍ତି, ମେଡାଲ ଆଣନ୍ତି, ସେତେଦିନ ପର୍ଯ୍ୟନ୍ତ ସେମାନଙ୍କ ଯିବା ଆସିବା, ରହିବା ,ଖାଇବା ବାବଦରେ ଖର୍ଚ୍ଚ ତୁଲାଇବା ବାବଦରେ ଖେଳ ବିଭାଗ ଓ ମନ୍ତ୍ରାଳୟ କରେ କୋଟି କୋଟି ଟଙ୍କାର ବିଲ୍। ମାତ୍ର ରାଜ୍ୟ ଓ ଦେଶ ପାଇଁ ଏକଦା ସମ୍ମାନ ଓ ପଦକ ଆଣିଥିବା  ଖେଳାଳି ତାର ଖେଳ ସରିଯିବା ପରେ ସରକାରଙ୍କ ପାଇଁ ଅଲୋଡ଼ା ହୋଇପଡ଼େ। ଦିନେ ରାଜ୍ୟ ଓ ଦେଶର ଗର୍ବ ଭାବରେ ବିବେଚିତ ହେଉଥିବା ଖେଳାଳି ସତେ ଯେପରି ସେମାନଙ୍କ ପାଇଁ ବୋଝ ହୋଇ ପଡ଼ନ୍ତି। ସରକାର ବଦଳି ଯାଆନ୍ତି, ମାତ୍ର ସରକାରୀ ଚରିତ୍ର ବଦଳେ ନାହିଁ। ତେଲିଆ ମୁଣ୍ଡରେ ତେଲ ବୋଲିବା ଭଳିଆ କିଛି ସ୍ବନାମଧନ୍ୟ କ୍ରିକେଟ ଖେଳାଳୀ ତଥା କାଁ ଭାଁ ଅନ୍ୟ କ୍ରୀଡ଼ାର ଖେଳାଳିଙ୍କ ଛଡ଼ା ଏ ଦେଶର ଅଧିକାଂଶ ଖେଳାଳୀଙ୍କୁ ଏହିପରି ଜୀବନ ବଞ୍ଚିବାକୁ ହୁଏ। 

ସଦ୍ୟ ଏକ ଉଦାହରଣ ହେଉଛନ୍ତି ଝାରସୁଗୁଡ଼ାର ଦେବାଡିହି ଅଞ୍ଚଳର ପୂର୍ବତନ ଜାତୀୟ ସ୍ତରର ଫୁଟବଲ ଖେଳାଳୀ ଭାରତୀ ପାଣ୍ଡେ। ଏକଦା ରାଜ୍ୟର ବିଭିନ୍ନ ବିଜୟୀ ଦଳର ସଭ୍ୟ ଭାବରେ ଖେଳିଥିବା ଭାରତୀ ବର୍ତ୍ତମାନ ଏକ ତେଜରାତି ଦୋକାନ ଦେଇ ଚଳୁଛନ୍ତି। ଖେଳ ଓ ପାଠ ଉଭୟରୁ ନ ଚାହିଁବା ସତ୍ତ୍ୱେ ତାଙ୍କୁ ବିରତ ହେବାକୁ ପଡ଼ିଥିଲା। ଖେଳ ପ୍ରତି ତାଙ୍କର ଆଗ୍ରହ ଓ ପ୍ରତିଭା ଦେଖି ତାଙ୍କ ପିତା ଯଦିବା ତାଙ୍କ ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା କରିଥିଲେ, ମାତ୍ର ଆର୍ଥିକ ପରିସ୍ଥିତି ତଥା ସାମାଜିକ ବନ୍ଦୋବସ୍ତ ତାଙ୍କୁ ବେଶୀ ଦୂର ଯିବାକୁ ଦେଇ ନଥିଲା। ସ୍ବାମୀଙ୍କ ସ୍ବଳ୍ପ ଆୟ ତାଙ୍କୁ ଶେଷରେ ବାଧ୍ୟ କରିଥିଲା ଏକ ତେଜରାତି ଦୋକାନ ଖୋଲି ପରିବାରର ଆର୍ଥିକ ସମସ୍ୟାକୁ କିଛି ପରିମାଣରେ ଲାଘବ କରିବାପାଇଁ। ମାତ୍ର ଖେଳ ପ୍ରତି ଦୁର୍ବଳତା ଥିବା ଭାରତୀ ପାଣ୍ଡେ ଏଥିରେ ଆଦୌ ସନ୍ତୁଷ୍ଟ ନୁହଁନ୍ତି। କୌଣସି ଏକ ସରକାରୀ ବା ବେସରକାରୀ ଅନୁଷ୍ଠାନରେ ସେ ଖେଳ ପ୍ରଶିକ୍ଷକ ଭାବରେ ନିଯୁକ୍ତି ପାଇଲେ ଖେଳାଳି ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ ରାଜ୍ୟ ଓ ଜାତି ପାଇଁ କିଛି କରିବାକୁ ସୁଯୋଗ ପାଆନ୍ତେ ବୋଲି କହନ୍ତି। ଏହା ବ୍ୟତୀତ ତାଙ୍କ ଆର୍ଥିକ ପରିସ୍ଥିତିରେ ମଧ୍ୟ ଉନ୍ନତି ହୁଅନ୍ତା ବୋଲି ତାଙ୍କର ଆଶା। 

ଏହିପରି ଅନେକ ଖେଳାଳି ସରକାରୀ ପ୍ରୋତ୍ସାହନ ଓ ସହାୟତା ଅଭାବରୁ ଅନେକ ଅବହେଳାର ଶିକାର ହୋଇଛନ୍ତି। ଗଣ ମାଧ୍ୟମରେ ବାହାବା ନେବା ପାଇଁ କିଛି ସରକାରୀ ଓ ବେସରକାରୀ ଉଦ୍ୟମ ଲୋକ ଦେଖାଣିଆ ଭାବରେ ହୁଏ ସତ, ମାତ୍ର ଏଥିରେ ଆନ୍ତରିକତା ବହୁତ କମ ଥିବାର ଲକ୍ଷ କରାଯାଇଛି। ତନୁଜା ବାଗେ ଭଳି ଜଣେ ଫୁଟବଲ ଖେଳାଳୀ ମଧ୍ୟ ଏହିପରି ଏକ ଅବହେଳିତ ଜୀବନ ବଞ୍ଚୁଥିବା ଖବର ପାଇ ତାଙ୍କୁ ଯେପରି ଏକ ଥଇଥାନ କରାଯାଇଛି, ତାଙ୍କ ସ୍ଥାୟୀତ୍ୱ ନେଇ ମଧ୍ୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। 

ସୂଚନାଯୋଗ୍ୟ ଯେ,ଜଣେ  ଡିଫେଣ୍ଡର ଭାବରେ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଗାୟତ୍ରୀ ମଲ୍ଲିକ, ପିଙ୍କି ବୋମ୍ପାଲ ମୟଙ୍କ ଭଳି ଆନ୍ତର୍ଜାତୀୟ ସ୍ତରର ଖେଳାଳିମାନଙ୍କ ସହ ଖେଳିଥିବା ଭାରତୀ ପାଣ୍ଡେ ଓଡ଼ିଶା ଦଳରୁ ପ୍ରତିନିଧିତ୍ବ କରି ଜାତୀୟ ମହିଳା ଫେଡେରେସନ କପ, ଓଡ଼ିଶା ଦଳ ଚମ୍ପିଆନ ହୋଇଥିବା ୨୯ତମ ମହିଳା ଜାତୀୟ ଚାମ୍ପିଅନସିପ ଓ ୨୮ତମ ମହିଳା ଫୁଟବଲ ଫେଡେରେସନ କପରେ ଖେଳିଥିଲେ। ଏହା ବ୍ୟତୀତ ୨୦୦୮ ମସିହାରେ ଆୟୋଜିତ ହୋଇଥିବା ଆନ୍ତର୍ଜାତୀୟ ଫୁଟବଲ ପ୍ରତିଯୋଗିତା ଇଣ୍ଡୋ -ନେପାଳ ଆମନ୍ତ୍ରଣୀୟ ଫୁଟବଲ ମ୍ୟାଚରେ ମଧ୍ୟ ସେ ଖେଳିଥିଲେ।

Leave A Reply

Your email address will not be published.