ଅଶୋଧିତ ତୈଳ ଦର ବାରମ୍ବାର କମୁଥିବା ବେଳେ ଭାରତରେ ତେଲ ଦର ଆକାଶଛୁଆଁ,  ତେଲ ମନ୍ତ୍ରୀଙ୍କ ଜିଏସଟି ବକ୍ତବ୍ୟ  ଏକ ସୁଆଙ୍ଗ ବ୍ୟତୀତ ଆଉ କିଛି ନୁହେଁ 

0

 ପେଟ୍ରୋଲ, ଡିଜେଲ୍‍ ଦରବୃଦ୍ଧି ପ୍ରତିବାଦରେ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର 

ଅଶୋଧିତ ତୈଳ ଦର ବାରମ୍ବାର କମୁଥିବା ବେଳେ ଭାରତରେ ତେଲ ଦର ଆକାଶଛୁଆଁ,  ତେଲ ମନ୍ତ୍ରୀଙ୍କ ଜିଏସଟି ବକ୍ତବ୍ୟ  ଏକ ସୁଆଙ୍ଗ ବ୍ୟତୀତ ଆଉ କିଛି ନୁହେଁ 

ଭୁବନେଶ୍ୱର,: ବିଗତ ୪ବର୍ଷ ମଧ୍ୟରେ କେନ୍ଦ୍ରରେ ଥିବା ଏନ୍‍ଡିଏ ମେଣ୍ଟ ସରକାର ଅମଳରେ ପେଟ୍ରୋଲ ଲିଟର ୭୭ ଓ ଡିଜେଲ୍‍ ଲିଟର ୭୩ ଟଙ୍କା ଟପିସାରିଲାଣି । ସୋମବାର ଏପରି ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିବାଦମୂଳକ ଧାରଣା ଦିଆଯାଇଥିଲା । ଏହି ଦରବୃଦ୍ଧିକୁ ପ୍ରତିବାଦ କରି ରାଜଭବନ ସମ୍ମୁଖରେ ଆଜି ବିଜେଡି କର୍ମକର୍ତ୍ତାମାନେ ଧାରଣା ଦେବା ସହ ପ୍ରତିବାଦ ସଭା ମଧ୍ୟ ଅନୁଷ୍ଠିତ  ହୋଇଥିଲା । ବିଜେଡିର ଏକ ୩୦ଜଣିଆ ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଦଳର ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ଶଶୀଭୂଷଣ ବେହେରା, ପ୍ରଫୁଲ୍ଲ ସାମଲ, ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଡ. ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାସ, ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପ୍ରମିଳା ମଲିକ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପ୍ରଭାତ କୁମାର ତ୍ରିପାଠୀ, ପ୍ରଶାନ୍ତ କୁମାର ଜଗଦେବ, ଦେବାଶିଷ ନାୟକ, ପ୍ରଣବ କୁମାର ବଳବନ୍ତରାୟ, ବ୍ୟୋମକେଶ ରାୟ, କିଶୋର ଚନ୍ଦ୍ର ତରାଇ, ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, ରଘୁନାଥ ସାହୁ, ରବି ନାରାୟଣ ପାଣି, ରାଜ୍ୟ ସଂପାଦକ ବିଜୟ ନାୟକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ମହାସଚିବ ଶିଶିର ପରିଜା, ଉପଦେଷ୍ଟା ଅମରେଶ ଜେନା, କୁନବିହାରୀ ଦାସ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ପୂର୍ବତନ ମେୟର ମିହିର କୁମାର ମହାନ୍ତି, ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ମୁଖପାତ୍ର ସୁଲୋଚନା ଦାସ, ବିଜୁ ଶ୍ରମିକ ସାମ୍ମୁଖ୍ୟ ମହାସଚିବ ସୁବାସ ସିଂହ, ସୁଲତା ଦେଓ, ଗୀତା ବସ୍ତିଆ, ସଂଯୁକ୍ତା ମହଲ, ଏଲିନା ଦାଶ ପ୍ରମୁଖ ଏହି ଧାରଣା ଓ ପ୍ରତିବାଦ ସଭାରେ ଯୋଗ ଦେଇଥିଲେ ।

ଉପସ୍ଥିତ ନେତୃବୃନ୍ଦ ଧାରଣାସ୍ଥଳରେ ଅନୁଷ୍ଠିତ  ପ୍ରତିବାଦ ସଭାରେ ନିଜ ନିଜ ବକ୍ତବ୍ୟରେ କହିଛନ୍ତି ଯେ ଗତ ୪ବର୍ଷ ମଧ୍ୟରେ କେନ୍ଦ୍ରରେ ବିଜେପି ନେତୃତ୍ୱରେ ଗଠିତ ଏନ୍‍ଡିଏ ସରକାର ଅମଳରେ ପେଟ୍ରୋଲ ଓ ଡିଜେଲ୍‍ ଦର କ୍ରମାଗତ ଭାବେ ବଢ଼ି ଚାଲିଛି । ଅଥଚ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବାରମ୍ବାର ହ୍ରାସ ପାଇଛି । ସବୁଠାରୁ କ୍ଷୋଭର ବିଷୟ ହେଲା ଯେ ଆନ୍ତର୍ଜାତିକ ବଜାରରେ ତୈଳ ଦର କମିବା ପ୍ରଭାବ ଆମ ଦେଶରେ ପେଟ୍ରୋଲ ଓ ଡିଜେଲ୍‍ର ବର୍ଦ୍ଧିତ ଦରକୁ ଆଦୌ ପ୍ରଭାବିତ କରିପାରି ନାହିଁ । ବରଂ କେନ୍ଦ୍ର ସରକାର ବାରମ୍ବାର ଉତ୍ପାଦ  ଶୁଳ୍କ ବୃଦ୍ଧି କରିଥିବାରୁ ପେଟ୍ରୋଲ ଓ ଡିଜେଲ୍‍ ଦର ବଢ଼ି ଏବେ ଆକାଶଛୁଆଁ ହେଲାଣି । ସେଥିରେ ଜିଏସ୍‍ଟି ପ୍ୟାନେଲ୍‍ ମୁଖ୍ୟ ତଥା ବିହାର ଅର୍ଥମନ୍ତ୍ରୀ ସୁଶୀଲ କୁମାର ମୋଦି କହିଛନ୍ତି, ପେଟ୍ରୋଲ ଜାତ ଦ୍ରବ୍ୟଗୁଡିକୁ ଜିଏସ୍‍ଟି ଅନ୍ତର୍ଭୁକ୍ତ କରାଯିବା ନେଇ ହେଉଥିବା ଆଲୋଚନା ସଂପୂର୍ଣ୍ଣ ଅମୂଳକ । ତେଣୁ ପେଟ୍ରୋଲିୟମ୍‍ ମନ୍ତ୍ରୀ ଏହା ପୂର୍ବରୁ ପେଟ୍ରୋଲ ଓ ଡିଜେଲ୍‍କୁ ଜିଏସ୍‍ଟି ଅନ୍ତର୍ଭୁକ୍ତ କରିବା ଲାଗି କେନ୍ଦ୍ର ସରକାର ବିିଚାରବିମର୍ଶ ଚଳାଇଥିବା ନେଇ ଦେଇଥିବା ବିବୃତି ତାଙ୍କର ଏକ ସୁଆଙ୍ଗ ବ୍ୟତୀତ ଆଉ କିଛି ନୁହେଁ । ପେଟ୍ରୋଲ ଓ ଡିଜେଲ୍‍ ଉପରେ ଉତ୍ପାଦ  ଶୁଳ୍କ ହ୍ରାସ ପାଇଁ ବିଜେଡି କରିଥିବା ଯଥାର୍ଥ ଦାବିକୁ ମହାମହିମ ରାଷ୍ଟ୍ରପତି ଉପଲବ୍ଧି କରିବା ସହ ଉପଯୁକ୍ତ ବିଚାର କରିବେ ବୋଲି ଆମେ ଆଶା କରୁଛୁ । ଆମ ରାଜ୍ୟ ସମେତ ସାରା ଦେଶର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବା ଦାୟିତ୍ୱ ହେଉଛି କେନ୍ଦ୍ରର । ସେଥିଯୋଗୁ ଉତ୍ପାଦ ଦ ଶୁଳ୍କ ହ୍ରାସ ପାଇଁ ରାଷ୍ଟ୍ରପତି ହସ୍ତକ୍ଷେପ କରିବାକୁ ଉପସ୍ଥିତ ବିଜେଡି ନେତୃବୃନ୍ଦ ଦାବି କରିଥିଲେ ।

Leave A Reply

Your email address will not be published.