ସଂପ୍ରସାରିତ ହେଲା କୋଭିଡ ଚିକିତ୍ସା ସୁବିଧା: ଜାରି ହେଲା ନୂଆ ହେଲ୍ପଲାଇନ ନମ୍ବର। 

7

ଝାରସୁଗୁଡ଼ା :(ସୁଭାଷ ସହାରେ) -କୋଭିଡ ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସା ବ୍ୟବସ୍ଥାକୁ ସଂପ୍ରସାରିତ କରାଯାଇଛି। ରୋଗୀଙ୍କ ସଂପର୍କୀୟମାନେ ଚିକିତ୍ସା ବିଷୟରେ ପୂର୍ବରୁ କୌଣସି ତଥ୍ୟ ପାଇବାକୁ ସକ୍ଷମ ହେଉ ନ ଥିବା ବେଳେ  ବର୍ତ୍ତମାନ କୋଭିଡ ହସ୍ପିଟାଲ କ୍ୟାମ୍ପସ ମଧ୍ୟରେ ଏକ ସ୍ୱତନ୍ତ୍ର ବିଲଡିଂରେ ଚବିଶ ଘଣ୍ଟିଆ ସହାୟତା କେନ୍ଦ୍ର ( ହେଲ୍ପ ଡେସ୍କ )କାର୍ଯ୍ୟକ୍ଷମ କରାଯାଇଛି । ହେଲ୍ପ ଡେସ୍କରେ ଦୁଇଟି ଫୋନ ନମ୍ବର ୦୬୬୪୫ – ୨୭୦୦୧୦ ୭୮୪୮୦୯୮୫୯୨ ଲୋକଙ୍କ ପାଇଁ ଉପଲବ୍ଧ କରାଯାଇଛି। ଏହା ଦ୍ଵାରା ଝାରସୁଗୁଡ଼ା ଓ ପାର୍ଶ୍ବବର୍ତ୍ତୀ ଜିଲ୍ଲାରୁ ଆସୁଥିବା ରୋଗୀମାନେ ଉପକୃତ ହୋଇପାରିବେ। 

ସେହିପରି, ଘରେ ରହି ଚିକିତ୍ସିତ ହେଉଥିବା କୋରୋନା ସଂକ୍ରମିତମାନଙ୍କ ପାଇଁ ଜିଲ୍ଲାରେ ଆଠଟି ମୋବାଇଲ ମେଡିକାଲ ଟିମକୁ କାର୍ଯ୍ୟକ୍ଷମ କରାଯାଇଛି। ବର୍ତ୍ତମାନ ରୋଗୀଙ୍କ ମେଡିକାଲ କିଟରେ ମେଡିକାଲ ଟିମର ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ଫୋନ ନମ୍ବର ମଧ୍ୟ ଦିଆଯିବ। ସେବା ବ୍ୟବସ୍ଥାରେ ଥିବା ମୋବାଇଲ ମେଡିକାଲ ଟିମର କାର୍ଯ୍ୟକୁ ତଦାରଖ କରିବା ପାଇଁ ସଂପୃକ୍ତ ବିଡିଓ ଓ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଦାୟୀତ୍ୱ ଦିଆଯାଇଛି। ଏହାସହ ମୂଖ୍ୟ ଚିକିତ୍ସାଳୟରେ ଏକ ନିୟନ୍ତ୍ରଣ କକ୍ଷ ଆସନ୍ତା ଦୁଇ ଦିନ ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। 

ଏହା ବ୍ୟତୀତ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ବାସ୍ଥ୍ୟଗତ ଜଟିଳତାକୁ ସମାଧାନ କରିବା ପାଇଁ ସେମାନଙ୍କ ପାଇଁ ଆମ୍ବୁଲାନ୍ସ ଆଟ କଲ ସେବା ମାଧ୍ୟମରେ ଯେ କୌଣସି ସମୟରେ କୋଭିଡ ହସ୍ପିଟାଲ,କୋଭିଡ ହେଲଥ୍ ସେଣ୍ଟର ଵା କୋଭିଡ କେୟାର ସେଣ୍ଟରକୁ ଅଣାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ହେଲ୍ପ ଡେସ୍କର ନମ୍ବରରେ ଫୋନ କରି ସଂକ୍ରମିତ ବ୍ୟକ୍ତି ସେବା ପାଇ ପାରିବେ।

 

Leave A Reply

Your email address will not be published.