ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ଜଗତସିଂହପୁର ଜିଲ୍ଲାପାଳଙ୍କୁ ବଦଳାଇବା ପାଇଁ ଲିଖିତ ଆକାରରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଶ୍ରୀ ରାଉତରାୟ ଅଭିଯୋଗ କରିଥିଲେ ଯେ ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଜନ୍ମସ୍ଥାନ ତିର୍ତୋଲ ନିର୍ବାଚନ ମଣ୍ଡଳୀର ଶଙ୍ଖେଶ୍ୱର ପଂଚାୟତରେ ଏବଂ ତାଙ୍କର ପିତା ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର ଜନତା ଦଳର ଜଣେ ସ୍ଥାନୀୟ ନେତା ଥିଲେ ଏବଂ ୧୯୯୭-୯୭ ମସିହା ପର୍ଯ୍ୟନ୍ତ ଶଙ୍ଖେଶ୍ୱର ପଂଚାୟତର ସରପଂଚ ମଧ୍ୟ ଥିଲେ । ଏଣୁ ତିର୍ତୋଲ ଉପନିର୍ବାଚନରେ ମୁକ୍ତ ଏବଂ ଅବାଧ ନିର୍ବାଚନ ପରିଚାଳନାରେ ନିଶ୍ଚୟ ବାଧା ସୃଷ୍ଟି ହେବ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଯେହେତୁ ଜିଲ୍ଲାପାଳଙ୍କ ଘର ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏବଂ ତାଙ୍କର ପରିବାର ଶାସକ ଦଳର ସମର୍ଥକ ଏହି ପରିସ୍ଥିତିରେ ଜିଲ୍ଲାପାଳ ଏହି ଉପନିର୍ବାଚନକୁ ନିଶ୍ଚୟ ପ୍ରଭାବିତ କରିବେ ବୋଲି ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତି । ସ୍ଥାନୀୟ ନିର୍ବାଚନ ମଣ୍ଡଳୀର ଭୋଟରମାନଙ୍କର ମଧ୍ୟ ଅଭିଯୋଗ ରହିଛି ଯେ ଭୋଟରମାନଙ୍କୁ ନିର୍ବାଚନ ପୂର୍ବରୁ ପ୍ରଶାସନ ପ୍ରଲୋଭିତ କରୁଛି ଏବଂ ଶାସକ ଦଳକୁ ଭୋଟ ଦେବା ପାଇଁ ବାଧ୍ୟ କରୁଛି । ଶ୍ରୀ ରାଉତରାୟଙ୍କ ଦାବିକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଗ୍ରହଣ କରିବା ସହ ଏ ସଂପର୍କରେ ତୁରନ୍ତ ନିଷ୍ପତି ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ସୁଶାନ୍ତ ତ୍ରିପାଠୀ ଓ ଦୀପକ ମହାପାତ୍ର ପ୍ରମୁଖ ଶ୍ରୀ ରାଉତରାୟଙ୍କ ସହିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.