୨୪ ଘଣ୍ଟା ଭିତରେ ସବୁ ଓଲଟ ପାଲଟ, ବଦଳିଗଲା ଅଦାଲତଙ୍କ ଆଦେଶ

0

ବେଦାନ୍ତ ଜନଶୁଣାଣି କରାଇବାକୁ ସକ୍ଷମ ହେଲା ନିର୍ଦ୍ଧାରିତ ତାରିଖରେ। 

ଝାରସୁଗୁଡ଼ା : ଶେଷରେ ବେଦାନ୍ତ ନିଜର ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ ଜନଶୁଣାଣି କରାଇବାରେ ସକ୍ଷମ ହୋଇଛି। ନାଟକୀୟ ଭାବରେ ଗତକାଲି ଜାରି କରାଯାଇଥିବା ସ୍ଥଗିତାଦେଶକୁ ପରିବର୍ତ୍ତିତ କରି ଆଜି ନିଜ ସପକ୍ଷରେ ହାଇକୋର୍ଟରୁ ଆଉ ଏକ ରାୟ ଆଣି ବେଦାନ୍ତ ସରକାରଙ୍କୁ ଜନଶୁଣାଣି କରାଇବାରେ ଏକରକମ ବାଧ୍ୟ କରିଦେଇଛି। 

ବେଦାନ୍ତ କମ୍ପାନୀ ନିଜର ଉତ୍ପାଦନ କ୍ଷମତାକୁ ୧୬ ଲକ୍ଷ ମେଟ୍ରିକ ଟନରୁ ୧୮ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରେ ଆବେଦନ କରିଥିଲା। ବୋର୍ଡ ଏଥିପାଇଁ ୩୦/୦୯/୨୦୨୦ ରେ ଏକ ଜନଶୁଣାଣି ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ମାତ୍ର କୋରୋନା ସମୟରେ ଏହିପରି ଏକ ଜନଶୁଣାଣିକୁ ବିରୋଧ କରି ଆଞ୍ଚଳିକ ପରିବେଶ ସୁରକ୍ଷା ମଞ୍ଚ ଓ ଅନ୍ୟ କିଛି ସାମାଜିକ ସଂଗଠନ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ, ଯାହାକୁ ହାଇକୋର୍ଟ ଗତ ୨୮/୦୯/୨୦ରେ ଖାରଜ କରିଦେଇଥିଲେ। ପରେ ଗତକାଲି ଆଉ ଏକ ରିଟ୍ ପିଟିସନ ଦାଖଲ କରିବା ପରେ ହାଇକୋର୍ଟ ଏହି ଜନଶୁଣାଣି ଉପରେ ରୋକ ଲଗାଇଥିଲେ। ପୂର୍ବରୁ ଜନଶୁଣାଣି ପାଇଁ ସଂପୂର୍ଣ୍ଣ ବ୍ୟବସ୍ଥା କରି ରଖିଥିବା ବେଦାନ୍ତ ଆଜି ଏହି ସ୍ଥଗିତାଦେଶକୁ ଖାରଜ କରିବା ପାଇଁ ଆଉ ଏକ ପିଟିସନ ଦାଖଲ କରିଥିଲା। ମାନ୍ୟବର ହାଇକୋର୍ଟଙ୍କ ଅନ୍ୟ ଏକ ଖଣ୍ଡପୀଠ ଏହି ପିଟିସନ ସପକ୍ଷରେ ରାୟ ଦେଇ ପୂର୍ବ ରାୟକୁ ବାତିଲ କରି ଜନଶୁଣାଣିକୁ ଆଜି କରିବା ପାଇଁ ଅନୁମତି ଦେଲେ। ସମସ୍ତ ପ୍ରସ୍ତୁତି କରି ରଖିଥିବା ବେଦାନ୍ତ ଆଜି ଅପରାହ୍ନ ୪ଟା ରୁ ୮ଟା ପର୍ଯ୍ୟନ୍ତ ଏହି ଜନଶୁଣାଣିକୁ ଆୟୋଜନ କରିବାରେ ଆଦୌ ହେଳା କରି ନ ଥିଲେ। ଝାରସୁଗୁଡ଼ା ବ୍ଲକର ଦଲକି ପଞ୍ଚାୟତର କୁରେବଗାରେ ଅନୁଷ୍ଠିତ ଏହି ଜନଶୁଣାଣିରେ ବେଦାନ୍ତ ଅଧିକାରୀ, ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଅଧିକାରୀ ହେମେନ୍ଦ୍ର ନାଏକ, ବରିଷ୍ଠ ପୋଲିସ ଅଧିକାରୀ ତଥା ବେଦାନ୍ତ ଆଖପାଖର ପ୍ରଭାବିତ ୨୦୦୦ ଲୋକ ଉପସ୍ଥିତ ଥିଲେ। ଦୁଇ ହଜାର ଲୋକ ଲକଡାଉନ ସମୟରେ ଏକତ୍ର ହେବା ଏହା ପ୍ରଥମ ଘଟଣା। ଏଥିରୁ ବେଦାନ୍ତର ସରକାରଙ୍କ ଉପରେ ଥିବା ପ୍ରଭାବକୁ ସ୍ପଷ୍ଟ ପ୍ରମାଣିତ କରୁଛି। ବେଦାନ୍ତର ଉତ୍ପାଦନ କ୍ଷମତା ବୃଦ୍ଧିକୁ ସମର୍ଥନ କରି ଅନେକ ଗ୍ରାମବାସୀ ବ୍ୟାନର ନେଇ ଆସିବା ମଧ୍ୟ ଦେଖାଯାଇଥିଲା। ଏମାନେ ବେଦାନ୍ତ ପାଇଁ ଏ ଅଞ୍ଚଳର ଉନ୍ନତି ହୋଇଥିବା କହିଥିଲେ। ତେବେ କିଛି ଲୋକ ବେଦାନ୍ତରେ ସ୍ଥାନୀୟ ନିଯୁକ୍ତି ଓ ପାରିପାର୍ଶ୍ବିକ ଉନ୍ନୟନ ପାଇଁ ମଧ୍ୟ ଦାବି କରିଥିଲେ। 

ଏହି ଜନଶୁଣାଣି ପରେ ବେଦାନ୍ତ ନିଜର ଉତ୍ପାଦନ କ୍ଷମତାକୁ ୧୬ ଲକ୍ଷ ମେଟ୍ରିକ ଟନ୍ ରୁ ୧୮ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କରିପାରିବ। ଏହା ବ୍ୟତୀତ ଏହାର ସିପିପିର ଉତ୍ପାଦନ କ୍ଷମତା ମଧ୍ୟ ୧୨୧୫ ମେଗାୱାଟ ହେବ।

Leave A Reply

Your email address will not be published.