ଜିଲ୍ଲା କୃଷକ ସଂଗଠନର ନୂତନ କୃଷି ବିଧେୟକକୁ ବିରୋଧ। ପ୍ରଧାନମନ୍ତ୍ରୀଙ୍କୁ ପଠାଇଲେ ସ୍ମାରକପତ୍ର। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ନୂତନ କୃଷି ବିଧେୟକ ସଂସଦର ଉଭୟ ଗୃହରେ ଗୃହୀତ ହୋଇଯାଇଛି। ରାଷ୍ଟ୍ରପତିଙ୍କ ସ୍ବୀକୃତି ପରେ ଏହା ଆଇନରେ ପରିଣତ ହୋଇଯିବ। ଏହା ପରେ କୋଟି କୋଟି କୃଷକମାନଙ୍କ  ଭାଗ୍ୟ ଲେଖା ହେବ କର୍ପୋରେଟ ଦ୍ବାରା। କୃଷି ସାମଗ୍ରୀ ଉପରେ ନିର୍ଭର କରୁଥବା ଦେଶର ଜନତାଙ୍କୁ ପ୍ରଭାବିତ ଏହି ନୂତନ କୃଷକ ଆଇନ। ପ୍ରଥମେ ଅଧ୍ୟାଦେଶ ଦ୍ବାରା ଓ ପରେ ସଂସଦରେ ତରବରିଆ ଭାବରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଯେପରି ଭାବରେ ଏହି ବିଲ୍ କୁ ଗୃହୀତ କରି ନିଆଗଲା ତାହା ସରକାରଙ୍କୁ ସନ୍ଦେହ ଘେରକୁ ନେଇ ଆସୁଛି। ଏହାଦ୍ୱାରା ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରୁ କଟକଣା ଉଠିଯାଇ କଳାବଜାରୀ ଓ ବେପାରୀମାନଙ୍କୁ କୃଷିଜାତ ଦ୍ରବ୍ୟ ଉପରେ ଏକଚାଟିଆ ଅଧିକାର ମିଳିଯିବ ଓ ଏସବୁ କୃଷିଜାତ ଦ୍ରବ୍ୟର ମୂଲ୍ୟ ଖାଉଟି ମାନଙ୍କପାଇଁ ଆକାଶଛୁଆଁ ହୋଇଯିବ। ମଣ୍ଡି ବାହାରେ ବେସରକାରୀ ମଣ୍ଡିର ପ୍ରଭାବ ଯୋଗୁଁ ସରକାରୀ ମଣ୍ଡି କିଛି ବର୍ଷ ପରେ ବନ୍ଦ ହୋଇ ଯିବେ ଏବଂ ବେସରକାରୀ ମଣ୍ଡି ଗୁଡ଼ିକ କୃଷକ ମାନଙ୍କଠାରୁ ନିଜ ମନମୁତାବକ  ଦାମରେ କୃଷିଜାତ ଦ୍ରବ୍ୟ କିଣିନେଇ ପାରିବ। ଏହି ବିଧେୟକଗୁଡ଼ିକ କେବଳ ଚାଷର କମ୍ପାନୀକରଣ ଛଡ଼ା ଆଉ କିଛି ନୁହେଁ। ଏହିସବୁ ଅଭିଯୋଗ ଆଣି ଝାରସୁଗୁଡ଼ା ଜିଲ୍ଲା କୃଷକ ସଂଗଠନ ଆଜି ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦେଇ ଏହି ବିଲ୍ କୁ ଫେରାଇ ନେବା ପାଇଁ ଦାବି କରିଛନ୍ତି।

Leave A Reply

Your email address will not be published.