ତିରିଂ ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ ଅଭିଯୋଗ; ୪ ଗିରଫ, ଜଣେ ଫେରାର

0

ବାରିପଦା(ଦିଲ୍ଲୀପ ମହାନ୍ତି )-: ମୟୁରଭଞ୍ଜ ଜିଲ୍ଲା ତିରିଂ ବ୍ଲକର କନିଷ୍ଠ ଯନ୍ତ୍ରୀ ନନ୍ଦକିଶୋର ସୋରେନ  ଗତ ୨୧ ତାରିଖରେ ପଣ୍ଡୁପାଣି ଗ୍ରାମପଞ୍ଚାୟତ ଅଧିନସ୍ଥ ପଣ୍ଡୁପାଣି ଗ୍ରାମରେ ନିର୍ମାଣ ହେବାକୁଥିବା ଖଳା ଓ କୟମଡିହି ଗ୍ରାମର ମିଶନ ଶକ୍ତି ଗୃହ କାର୍ଯ୍ୟ ପରିଦର୍ଶନରେ ଯାଇଥିଲେ । ଏହି ସମୟରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀଙ୍କ ତିରିଂ ବ୍ଲକ ପ୍ରତିନିଧି ଏବଂ କେତେକ ବିଜେପି କାର୍ଯ୍ୟକର୍ତ୍ତା କନିଷ୍ଠ ଯନ୍ତ୍ରୀ ଶ୍ରୀ ସୋରେନ୍ ଙ୍କୁ ସାକ୍ଷାତ କରିବାକୁ ପଣ୍ଡୁପାଣି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅପେକ୍ଷା କରିଥିବାର ଖବର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯମୁନା ଟୁଡୁଙ୍କ ଠାରୁ ପାଇ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ତେବେ ସେଠାରେ ଆଲୋଚନା ସମୟରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ସୋରେନଙ୍କୁ ବିଧାୟକଙ୍କ ପ୍ରତିନିଧି ଓ ବିଜେପିର କାର୍ଯ୍ୟକାର୍ତ୍ତାମାନେ ଦୁର୍ବ୍ୟବହାର କରାଯାଇଥିଲେ । ଏହାକୁ ନେଇ  ତିରିଂ ଥାନାରେ କନିଷ୍ଠ ଯନ୍ତ୍ରୀ ଲିଖିତ ଅଭିଯୋଗ କରିବା ପରେ  ଥାନାରେ କେଶ୍ ନଂ ୫୬/୨୦ ଅନୁସାରେ  ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ତିରିଂଥାନା ପୋଲିସ ରାଇରଙ୍ଗପୁର ପୋଲିସ୍ ସହିତ ମିଳିତ ଚଢଉରେ ୫ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ଜଣଙ୍କୁ ଗିରଫ କରି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଅଟକ ରଖଥିଲେ ଏବଂ ଆଜି  ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ | ତେବେ ଜଣେ ଅଭିଯୁକ୍ତ ଫେରାର ଥିବା ସୂଚନା ଦେଇଛନ୍ତି ତିରିଂ ଥାନା ଅଧିକାରୀଣୀ ହିରୋଫିନା ହାଁସଦାଃ। କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ରାଇରଇଙ୍ଗପୁର ବିଧାୟକ  ନବଚରଣ ମାଝୀଙ୍କ ତିରିଂ ବ୍ଲକ ବିଧାୟକ ପ୍ରତିନିଧି ସାନ ସାଦମ ଗ୍ରାମର ରାମରାୟ ହାଁସଦାଃଙ୍କ ସହିତ ବିଜେପି ଦଳର ସକ୍ରୀୟ କର୍ଯ୍ୟକର୍ତ୍ତା ଓ ନେତା ଧରମଡିହି ଗ୍ରାମର ଫାଗୁ ମାର୍ଣ୍ଡି, ପଡା ଚାକଡି ଗ୍ରାମର ଶଙ୍କର ବିନ୍ଧାଣୀ ଓ ଜଂଘିଆ ଗ୍ରାମର ସୁନୀଲ ସାଉୟାଁଙ୍କୁ ଗିରଫ କରାଯାଇଥିବା ବେଳେ ପଣ୍ଡୁପାଣି ଗ୍ରାମର ଜଗନ୍ନାଥ ବାରିକ ଫେରାର ଥିବା ଜଣାଡିଛି ।  ତିରିଂବ୍ଲକରେ ବିଧାୟକଙ୍କ ପାଣ୍ଠିରୁ କାର୍ଯ୍ୟକାରୀ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ଦଳୀୟ କାର୍ଯ୍ୟକର୍ତ୍ତା’ଙ୍କୁ ଦିଆ ନଯାଇ କନିଷ୍ଠ ଯନ୍ତ୍ରୀ’ଙ୍କ ଦ୍ବାରା ଅନ୍ୟାନ୍ୟ ବ୍ୟକ୍ତିଙ୍କୁ ବଣ୍ଟନ କରାଯାଇଥିବାରୁ ଉକ୍ତ ବିବାଦୀୟ ପରିସ୍ଥିତି ଉପୁଜିଥିବା ଜଣାପଡିଛି। ତିରିଂ ବ୍ଲକ ଜୋନ୍ ନଂ ୨୦ର ଜିଲ୍ଲା ପରିଷଦ ସଭ୍ୟା  ସୀମା କାଲୁଣ୍ଡିଆ କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ ପାଲଟା ଅଭିଯୋଗ କରି ଥାନାରେ ମାମଲା ରୁଜୁ କରିଛନ୍ତି। ପଣ୍ଡୁପାଣି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ସୋରେନଙ୍କ ସହିତ ବିଧାୟକ ପାଣ୍ଠିରୁ ତାଙ୍କ ଅଞ୍ଚଳରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରୁଥିବା ବେଳେ ହଠାତ୍ ଉତ୍କ୍ଷିପ୍ତ ହୋଇ କୌଣସି ଦଳୀୟ ନେତା ମୋତେ ଚାକିରୀ ଦେଇ ନାହାନ୍ତି , ମୁଁ ସରକାରୀ ଅଧିକାରୀ ,  ଯାହା କରିଛି ଠିକ୍ କରିଛି , କେହି କିଛି ବିଗାଡି ପାରିବେ ନାହିଁ କହିବା ସହିତ ତାଙ୍କୁ ଟଣା ଓଟରା କରି ପିନ୍ଧା ଶାଢୀକୁ ଭିଡି ଧରିବା ଓ ଦୁର୍ବ୍ୟବହାର କରିବା ପାଲଟା ଅଭିଯୋଗରେ ଦର୍ଶାଇଛନ୍ତି।ଏନେଇ ତିରିଂ’ଥାନାରେ କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ କେଶ୍ ନଂ ୫୭/୨୦ରେ ଏକ ମାମଲା ରୁଜୁ ହୋଇଛି । ଏଥୁସହିତ ବିଜେପି ପକ୍ଷରୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ସୋରେନ୍’ଙ୍କ ଗିରଫ ଦାବି କରାଯାଇଛି। ତେବେ ଉକ୍ତ ଘଟଣାରେ କନିଷ୍ଠ ଯନ୍ତ୍ରୀ ଜଣକ ଦଳୀୟ ରାଜନୀତିର ଶିକାର ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ଛକ୍କାପଞ୍ଜା ଆରମ୍ଭ ହୋଇଯାଇଥିବା ଜଣା ଯାଉଛି।

Leave A Reply

Your email address will not be published.