ବାରିପଦା (ଦିଲ୍ଲୀପ ମହାନ୍ତି )- ସଙ୍ଗରୋଧ କେନ୍ଦ୍ରରୁ ଫେରି ନିଜ ଘରେ ସଙ୍ଗରୋଧ ରହୁଥିବା ଜଣେ ଯୁବକଙ୍କ ଆଜି ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ବେତନଟୀ ଥାନା ତାରାଶୋଳ ଗ୍ରାମର ପରେଶ ଚନ୍ଦ୍ର ମହାନ୍ତ (୫୫)। ପରେଶ ଗୁଜରାଟ ରାଜ୍ୟ ଉଚ୍ଚିମଣ୍ତଳରେ କାମ କରୁଥିଲେ ଏବଂ ଗତ ୧୭ ରେ ଗୁଜରାଟ(ସୁରଟ)ରୁ ଫେରି ବେତନଟୀରେ ପହଞ୍ଚି ସ୍ଥାନୀୟ ଆଦର୍ଶ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ସଙ୍ଗରୋଧରେ ସାତ ଦିନ ରହି ଗତ ୨୪ରେ ନିଜ ଗ୍ରାମ ତାରାଶୋଳରେ ନିଜ ଘରେ ସଙ୍ଗରୋଧରେ ରହିଥିଲେ । ଆଜି ସକାଳ ସମୟରେ ନିଜ ଘର ସମ୍ମୁଖରେ ଏକ ଖଟରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ପରେଶ ଙ୍କ ମୃତ୍ୟୁ ଖବର ଗ୍ରାମରେ ପ୍ରଚାରିତ ହେବା ପରେ ଗ୍ରାମବାସୀମାନଙ୍କ ମଧ୍ୟରେ ଏକ କୁକୁଆ ଭୟ ଖେଳାଇଯାଇଛି । ଗ୍ରାମ ରାସ୍ତା ଜନଶୂନ୍ଯ ହୋଇ ପଡିଛି । ଶବ ସତ୍କାର ନିମନ୍ତେ ଗ୍ରାମବାସୀମାନେ ଆସିନଥିଲେ । ଏହି ସମୟରେ ଆସିଥିବା ପ୍ରବଳ ବର୍ଷାରେ ପରେଶଙ୍କର ମୃତ ଶରୀର ଖଟ ଉପରେ ପଡି ଭିଜୁ ଥିବାର ଦେଖିବାକୁ ମିଳିଥିଲା । ଦିର୍ଘ ପାଞ୍ଚ ଘଣ୍ଟାଧରି ପରେଶର ମୃତ ଶରୀର ପଡିରହିଥିଲେ ମଧ୍ୟ କୌଣସି ପ୍ରସାଶନିକ ଅଧିକାରୀ ପହଞ୍ଚି ନଥିଲେ । ଏହି ଘଟଣାକୁ ନେଇ ପରେଶଙ୍କ ସ୍ତ୍ରୀ ସୋମବାରୀ ସ୍ଥାନୀୟ ସରପଞ୍ଚଙ୍କ ଜରିଆରେ ବେତନଟୀ ଥାନାରେ ଲିଖିତ ଜଣାଇଛନ୍ତି । ପ୍ରକାଶ ଥାଉକି, ଘରେ ପରେଶଙ୍କ ସ୍ତ୍ରୀ, ଝିଅ ରହିଥିବା ବେଳେ ସୁରଟରେ ପୁଅ ଘରକୁ ଫେରି ନ ପାରି ଅଟକି ଥିବାର ଜଣାପଡିଛି ।