ପ୍ରବାସୀ ଶ୍ରମିକଙ୍କ ପାଇଁ ଡ୍ରାଇଭର ସାଜିଲେ ମନ୍ତ୍ରୀ ସୁଶାନ୍ତ 

0

ବରଗଡ(ଶାସକ ପ୍ରଶାସକ)  :- କୋରୋନା ମହାମାରୀ ପାଇଁ ଲକଡାଉନ ତୃତୀୟ ପର୍ଯ୍ୟାୟରେ । ବାହାର ରାଜ୍ୟରେ ଥିବା ଓଡ଼ିଆ ଶ୍ରମିକମାନେ ଲକଡାଉନ ଫଳରେ କୋଣସି କାମଧନ୍ଦା ନପାଇ ଓ ମହାମାରୀ କରୋନା କବଳରୁ ନିଜକୁ ରକ୍ଷା କରିବା ପାଇଁ ସମସ୍ତେ ବର୍ତ୍ତମାନ ଯେକୌଣସି ଉପାୟରେ ରାଜ୍ୟକୁ ଫେରିବା ପାଇଁ ଚାହୁଁଛନ୍ତି ବା ଫେରୁଛନ୍ତି ।

    ଆଜି ସନ୍ଧ୍ୟା ସମୟରେ ସିକନ୍ଦରାବାଦରୁ ବୌଦ୍ଧ,କଣ୍ଟାମାଲ ଓ ସୋନପୁର ଅଞ୍ଚଳର 12 ଜଣ ଶ୍ରମିକ ଏକ ଟ୍ରକ ଯୋଗେ ସୋହେଲା ନିକଟସ୍ଥ ଆନ୍ତଃରାଜ୍ୟ ସୀମା ଲୁହୁରାଚଟିରେ ପହଂଚିଥିଲେ। ଶ୍ରମିକମାନଙ୍କର ପହଂଚିବା ଖବର ପାଇବା ମାତ୍ରେ ରାଜ୍ୟ ସରକାରଙ୍କର  କ୍ୟାବିନେଟ ମନ୍ତ୍ରୀ ଅଂଚଳର ପ୍ରିୟ ନେତା ଶ୍ରୀ ସୁଶାନ୍ତ ସିଂ ତୁରନ୍ତ ସୀମାକୁ ପହଂଚି ପ୍ରଥମେ ଶ୍ରମିକମାନଙ୍କୁ ବିସ୍କୁଟ ଓ ପାଣି ଦେଇଥିଲେ। ଏହାପରେ ସେମାନଙ୍କର ଖାଇବା ବ୍ୟବସ୍ଥା କରାଇଥିଲେ । ସେମାନେ ରାଜ୍ୟ ସରକାରଙ୍କ ପୋର୍ଟାଲରେ ନାମ ପଞ୍ଜିକରଣ କରିଛନ୍ତି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ | ଆନ୍ତଃରାଜ୍ୟ ଫାଟକ ପାଖରେ ଓଡିଶା ରାଜ୍ୟ ଅଧିକାରୀଙ୍କ ଦ୍ୱାରା ସେମାନଙ୍କ ନାମ ଦରଜ କରାଯିବା ସହ ଗନ୍ତବ୍ୟ ଜିଲ୍ଲାର ଜିଲ୍ଲା ପ୍ରଶାସନକୁ ସେମାନଙ୍କ ଆଗମନ ସଂପର୍କରେ ଅବଗତ କରାଯାଇଥିଲା | 

ଶ୍ରମିକମାନଙ୍କୁ ତୁରନ୍ତ ସୁରକ୍ଷିତ ଭାବରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ କିଛି ଗାଡିର ଯୋଗାଡ଼ ମଧ୍ୟ କରିଥିଲେ ମନ୍ତ୍ରୀ ଶ୍ରୀ ସିଂହ । ରାତି ସମୟ ହୋଇଥିବାରୁ ଗାଡିଚାଳକମାନେ ଯିବାପାଇଁ ରାଜି ନହେବାରୁ ପରିସ୍ଥିତିର ଗମ୍ଭୀରତାକୁ ହୃଦୟଙ୍ଗମ କରି ମନ୍ତ୍ରୀ ନିଜେ ଗୋଟେ ଗାଡି ଚଳାଇ ସୋନପୁର ଅଭିମୁଖେ ବାହାରିଥିଲେ । ତାଙ୍କ ପଛରେ ଅନ୍ୟ ଗାଡି ସବୁ ବାହାରିଥିଲା। ଏଠାରେ ସୂଚନାଯୋଗ୍ୟ ଯେ ମନ୍ତ୍ରୀ ଲକଡାଉନ ହେବା ପରଠାରୁ ନିଜର ଶାରୀରିକ ଅସୁସ୍ଥତା ସତ୍ତ୍ୱେ ସବୁବେଳେ ଦିନରାତି କାର୍ଯ୍ୟରତ  ଅଛନ୍ତି । ଅସହାୟ ଲୋକଙ୍କ ପାଖରେ ସହାୟତା ପହଂଚାଇବା ହେଉ ବା ଅସହାୟ ଅସୁସ୍ଥ ଲୋକଙ୍କୁ ନିଜ ଗାଡ଼ିରେ ବୋହିନେବାର ବହୁବାର ଦେଖିବାକୁ ମିଳିଛି । ଇତି ମଧ୍ୟରେ ବାହାର ରାଜ୍ୟରୁ ଓଡ଼ିଶାକୁ ସୋହେଲା ସୀମାଦେଇ ଫେରୁଥିବା ଲୋକଙ୍କ ପାଇଁ  ମନ୍ତ୍ରୀ ଶ୍ରୀ ସିଂହ ସବୁବେଳେ ଖାଦ୍ୟ ପାନୀୟର ସୁବ୍ୟବସ୍ଥା କରାଇବା ସହିତ ସେମାନଙ୍କର ସବୁପ୍ରକାର ସୁବିଧା ମଧ୍ୟ କରାଇ ଆସୁଛନ୍ତି | 

ସେହିପରି, ନିଜର ପେଟପାଟଣା ପାଇଁ ରାଜସ୍ଥାନରୁ ଆସିଥିବା ୪୦ ଜଣ ଶ୍ରମିକ ଲକ ଡାଉନ ଯୋଗୁଁ ବରଗଡ଼ ଜିଲ୍ଲାରେ ରହି ଯାଇଥିଲେ ।  ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଉଦ୍ୟମରେ ଆଜି ସନ୍ଧ୍ୟାରେ ଜିଲ୍ଲାପାଳ,ଜିଲା ଶ୍ରମ ଅଧିକାରୀ,ଥାନା ଅଧିକାରୀ,ସୋହେଲା ବିଡ଼ିଓଙ୍କ ଉପସ୍ଥିତିରେ ସେମାନଙ୍କୁ ରାଜସ୍ଥାନ ବସରେ ପଠାଗଲା । ସୀମାନ୍ତ ଲୁହୁରାଚାଟିରେ ମନ୍ତ୍ରୀ ଶ୍ରୀ ସିଂହଙ୍କ ଉପସ୍ଥିତିରେ ସମସ୍ତଙ୍କୁ ଖାଦ୍ୟପେୟ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.