ଏପଟେ ମୃତ୍ୟୁ ଦଣ୍ଡାଦେଶ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ, ସେପଟେ କେନ୍ଦ୍ର ମନ୍ତ୍ରୀ କହୁଛନ୍ତି ବଲାତ୍କାର ରୋକିବା ସମ୍ଭବ ନୁହେଁ
ଗୋଟେ ପଟେ ନାବାଳିକାଙ୍କ ବଲାତ୍କାରୀକୁ ଫାସୀ ଦଣ୍ଡାଦେଶ ସମ୍ପର୍କିତ ଅଧ୍ୟାଦେଶ ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ଲଗାଇ ଥିବା ବେଳେ ସେପଟେ ବିଜେପି ନେତା ତଥା କେନ୍ଦ୍ର ସରକାରଙ୍କ କେନ୍ଦ୍ର ଶ୍ରମ ଓ କର୍ମ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି ଯେ ଭାରତ ଭଳି ଦେଶରେ ବଳାତ୍କାରକୁ ରୋକାଯାଇ ପାରିବ ନାହିଁ |
ଦେଶର ବିଭିନ୍ନ ରାଜ୍ୟରେ ନାବାଳିକା ବଳାତ୍କାରକୁ ନେଇ ଏବେ ହଇଚଇ | ଏଭଳି ହଇଚଇ ଉପରେ ଆଙ୍କୁଶ ଲଗାଇବା ପାଇଁ | ତେଣୁ ତରବରିଆ ଭାବେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଜାରି କରିଥିବା ବେଳେ ଏହା ଉପରେ | ରବିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୨ ବର୍ଷ ବୟସରୁ କମ୍ ବର୍ଷୀୟ ଝିଅଙ୍କ ସହ ଦୁଷ୍କର୍ମ କରି ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀଙ୍କ ପାଇଁ ମୃତ୍ୟୁଦଣ୍ଡ ସମତେ ଅନ୍ୟାନ୍ୟ କଠୋର ଦଣ୍ଡବିଧାନ ପାଇଁ ଆଗତ ଅଧ୍ୟାଦେଶରେ ଦସ୍ତଖତ କରିଛନ୍ତି। ଶନିବାର ଦିନ କେନ୍ଦ୍ର କ୍ୟାବିନେଟ୍ ଏହି ଅଧ୍ୟାଦେଶକୁ ଅନୁମୋଦନ କରି ଅଦାଲତକୁ ଏ ଭଳି ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ ଦେବାକୁ ଅନୁମତି ଦେଇଥିଲେ। ଏ ଭଳି ମାମଲାର ବିଚାର ପାଇଁ ନୂତନ ଫାଷ୍ଟ୍-ଟ୍ରାକ୍ କୋର୍ଟ ଗଠନ କରାଯିବା ସହ ଦୁଷ୍କର୍ମ ମାମଲା ପାଇଁ ସବୁ ଥାନା ଓ ଡାକ୍ତରଖାନାକୁ ଦୀର୍ଘ ମିଆଦି ସୂତ୍ରରେ ସ୍ୱତନ୍ତ୍ର ଫରେନ୍ସିକ୍ କିଟ୍ ଦିଆଯିବ। ଅଧ୍ୟାଦେଶ ବଳରେ ୧୬ ଏବଂ ୧୨ରୁ କମ୍ ବର୍ଷୀୟ ବାଳିକାମାନଙ୍କ ସହ ଦୁଷ୍କର୍ମ କରୁଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯିବ। ବାଳିକା ୧୨ ବର୍ଷରୁ କମ୍ ହୋଇଥିଲେ ମୃତ୍ୟୁ ଦଣ୍ଡ ମଧ୍ୟ ଦିଆଯାଇ ପାରେ ।
ହେଲେ ବଳାତ୍କାର ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇ କେନ୍ଦ୍ର ସରକାର ଆଣିଥିବା ତଥା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଥିବା ଅଧ୍ୟାଦେଶ ଉପରେ ଆଶଙ୍କା ଚିହ୍ନ ଲଗାଇ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର | ରବିବାର ଏକ ବିବାଦୀୟ ମନ୍ତବ୍ୟ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଙ୍ଗଓ୍ଵାର୍ କହିଛନ୍ତି ଯେ ଭାରତ ଭଳି ବଡ଼ ଦେଶରେ ଗୋଟିଏ ବା ଦୁଇଟି ଦୁଷ୍କର୍ମ ମାମଲାକୁ ପ୍ରଘଟ କରିବା ଅନୁଚିତ। ଏ ଭଳି ଘଟଣା ଦୁଃଖଦାୟକ। ସେ ଯାହାହେଉ, ବେଳେ ବେଳେ ସେ ସବୁକୁ ରୋକି ହୁଏ ନାହିଁ। ସରକାର ସବୁଆଡ଼େ ଜାଗ୍ରତ, ତଦନ୍ତ ଚାଲିଛି। ଭାରତ ଭଳି ଏ ବଡ଼ ରାଷ୍ଟ୍ରରେ ଗୋଟିଏ ବା ଦୁଇଟି ଦୁଷ୍କର୍ମ ମାମଲାକୁ ପ୍ରଘଟ କରାଯିବା ଅନୁଚିତ।
ଦୁଷ୍କର୍ମ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଶାସକ ଦଳର ନେତା ଦେଇଥିବା ଏହା ପ୍ରଥମ ମନ୍ତବ୍ୟ ନୁହେଁ। ପୂର୍ବରୁ ଉନ୍ନାଓ ଦୁଷ୍କର୍ମ ମାମଲାରେ ଉତ୍ତର ପ୍ରଦେଶ ବୈରିଆର ବିଜେପି ସାଂସଦ ସୁରେନ୍ଦ୍ର ସିଂହ ମଧ୍ୟ ନିମ୍ନ ରୁଚିର ମନ୍ତବ୍ୟ ଦେଇ ଦେଶବ୍ୟାପୀ ସମାଲୋଚନାର ଶ୍ରାବ୍ୟ ହୋଇଥିଲେ | ସେ କହିଥିଲେ: ମୁଁ ମାନସିକ ଦୃଷ୍ଟିରୁ କହୁଛି; ତିନିଟି ପିଲାର ମାଆଙ୍କ ସହ କେହି ଦୁଷ୍କର୍ମ କରି ପାରିବେ ନାହିଁ। ଏହା ସମ୍ଭବ ନୁହେଁ, ଏହା କୁଳଦୀପ ସିଂହ ସେଙ୍ଗାରଙ୍କ ବିରୋଧରେ ଗୋଟାଏ ଷଡ଼ଯନ୍ତ୍ର।
କେବଳ ସେଠିକି ନୁହେଁ ବିଜେପି ନେତା ତଥା ତାମିଲନାଡୁ ରାଜ୍ୟପାଳ ଜଣେ ସାଂବାଦିକାଙ୍କ ଗାଲରେ ହାତ ମାରି ଦୁଃଖ ପ୍ରକାଶ କରିଥିବା ବେଳେ ସେହି ଘଟଣାରେ ରାଜ୍ୟପାଳଙ୍କ ସମର୍ଥନରେ ଆସି ମହିଳା ସାମ୍ବାଦିକଙ୍କୁ ଚରିତ୍ରହୀନ ବୋଲି କହି ବିଜେପିର ନେତା ଶେଖର ମଧ୍ୟ କ୍ଷମା ମାଗିଛନ୍ତି |
