
ବ୍ୟାସନଗର (JAYSHANKAR DASH ) :ସଡକ ସୁରକ୍ଷା ନିୟମକୁ ଉଲଂଘନ କରୁଥିବା ଚାଳକ ମାନଙ୍କ ଲାଇସେନ୍ସ ରଦ୍ଧ ସହ ଜୋରିମାନାକୁ କଡାକଡି କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ନିର୍ଦ୍ଦେଶ ଦେଇଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ସଡକ ସୁରକ୍ଷା ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାସ ୨୯ ତମ ସଡକ ସୁରକ୍ଷା ସପ୍ତାହ ଚଳିତ ମାସ ୨୩ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ପାଳନ କରାଯିବ ବୋଲି କହିଥିଲେ । ତେବେ ଆମ ସମସ୍ତଙ୍କ ପାଇଁ ପ୍ରତ୍ୟେକ ଦିନ ସଡକ ସୁରକ୍ଷା ଦିବସ ହେବା ଉଚିତ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରୁ ବ୍ୟାପକ ସଚେତନତା, ବକ୍ତୃତା, ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ, ଜିଲ୍ଲା ସଦର ମହକୁମା, ଚଣ୍ଡିଖୋଲ, ଯାଜପୁର ରୋଡ ଓ ଡୁବୁରୀ ଠାରେ ୨୩ ତାରିଖ ଦିନ ସଡକ ସୁରକ୍ଷା ସପ୍ତାହର ଊଦ୍ଘାଟନ, ଗାଡି ଚାଳକ ମାନଙ୍କ ଚକ୍ଷୁ ପରୀକ୍ଷା, ରାସ୍ତାରେ ଭଲଭାବରେ ହମ୍ଫସ୍ ନିର୍ମାଣ ହେଉଥିବାରୁ ତାହା ଦୁର୍ଘଟଣାକୁ ବଢାଊଥିବାରୁ ବିଜ୍ଞାନ ସମ୍ମତ ଭାବେ ହମ୍ପସ୍ ନିର୍ମାଣ କରିବା, ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ କରି ତାହାର ପ୍ରତିକାର ବ୍ୟବସ୍ଥା କରିବା, ସୂଚନା ପଂଳକ ଲଗାଇବା, ହମ୍ପସ୍ ମାନଙ୍କରେ ଉପଯୁକ୍ତ ରଙ୍ଗ ଲଗାଇ ଚାଳକଙ୍କୁ ସାବଧାନ କରିବାକୁ ଜିଲ୍ଳ୍ାପାଳ ପରାମର୍ଶ ଦେଇଥିଲେ । ଏହି ସପ୍ତାହ ମଧ୍ୟରେ ବିବିଧ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ସହ ଶେଷ ଦିନରେ କାର୍ଯ୍ୟକ୍ରମ ଗୁଡିକର ତର୍ଜମା କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ । ଓଭର ଲୋଡିଂ, ମଦ୍ୟ ପାନକରି ମୋବାଇଲ ଧରି ଗାଡି ଚାଳନା, କମ୍ ବୟସର ପିଲାମାନେ ଗାଡି ଚଳାଊଥିଲେ ତାଙ୍କୁ ଅଟକ ରଖି ଅଭିଭାବକଙ୍କୁ ଡକାଇ ସଚେତନ କରାଇବା, ହେଲମେଟ୍ ଓ ସିଟ୍ବେଲ୍ଟ ଯାଂଚ ନିରନ୍ତର କରିବା, ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ ନିୟମକୁ କଡାକଡି ପାଳନ କରିବା, ପ୍ରତ୍ୟେକ ପ୍ରେଟ୍ରୋଲ ପମ୍ପ ମାନେ ଯାତ୍ରୀ ବା ଚାଳକଙ୍କ ସୁବିଧା ନିମିତ୍ତ ପାନୀୟ ଜଳ, ଶୈାଚାଳୟ ଇତ୍ୟାଦି ମୈାଳିକ ସୁବିଧାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଥିଲେ । ସଡକ ସୁରକ୍ଷା ସଂପର୍କରେ ଅନେକ ସଚେତନତା ସୃଷ୍ଟି କରାଗଲାଣି କିନ୍ତୁ ଲୋକଙ୍କ ମାନସିକତାକେ ପରିବର୍ତ୍ତନ ଘଟୁନାହିଁ । ତେଣୁ ଏଣିକି ଦଣ୍ଡବିଧାନକୁ କଡାକଡି କରିବାକୁ ଜିଲ୍ଲାପାଳ ଶ୍ରୀ ଦାସ କଡା ନିର୍ଦ୍ଦେଶ ଦେଇଚ୍ଥନ୍ତି । ପ୍ରାରମ୍ଭରେ ଚଣ୍ଡିଖୋଲ ଆଂଚଳିକ ପରିବହନ ଅଧିକାରୀ ଲାଲ ମୋହନ ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ସଡକ ସୁରକ୍ଷା ସପ୍ତାହରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଚଳିତ ମାସ ୨୨ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ଓ ଏଥିରେ ସ୍ୱେଚ୍ଚ୍ଥାକୃତ ଭାବେ ବ୍ୟକ୍ତି ବିଶେଷ, ଅନୁଷ୍ଠାନ କର୍ମକର୍ତ୍ତା ରକ୍ତଦାନ କରିବାକୁ ଅନୁରୋଧ କରାଯାଇଥିଲା । ସଡକ ସୁରକ୍ଷା କ୍ଷେତ୍ରରେ ଊଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ସମୟରେ ସମ୍ୱର୍ଦ୍ଧନା ଏବଂ ଦୁର୍ଘଟଣା ପରେ ଆହତଙ୍କୁ ଉଦ୍ଧାର ଓ ଚିକିତ୍ସା କରୁଥିବା ବ୍ୟକ୍ତି ବିଶେଷ ବା ସହାୟତାକାରୀଙ୍କୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ସଦସ୍ୟ ସତୀଶ କୁମାର ବିଶ୍ୱାଳ ସଡକ ସୁରକ୍ଷା ଆଇନକୁ କଡାକଡି ପାଳନ ସହ ନିୟମିତ ଯାଂଚ ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଅବଦୁଲ ଅଲିମ ଖାଁ, ସଦସ୍ୟ ପଦ୍ମନାଭ ଜେନା, ଯାଜପୁର ବସ୍ ମାଲିକ ସଂଘ ସଂପାଦକ ବିଜୟ କୁମାର ମହନ୍ତି, ସମସ୍ତ ତହସିଲଦାର , ବିଭିନ୍ନ ବିଭାଗର ଅଧିକାରୀ, ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସୂଚନା ଯୋଗ୍ୟ ଯେ, ଜାନୁୟାରୀ ଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ଦ୍ରୁତ ଗାଡି ଚାଳନା କ୍ଷେତ୍ରରେ ୧୧୫ ଜଣଙ୍କୁ ଧରାଯାଇ ୩୦୫୦୦, ମଦ୍ୟପାନ କରି ଗାଡି ଚାଳନା ଯୋଗୁ ୮୮ ଜଣଙ୍କୁ ଧରାଯାଇ ୧ ଲକ୍ଷ ୬ ହଜାର ଟଙ୍କା, ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର କ୍ଷେତ୍ରରେ ୨୭୩ ଜଣଙ୍କୁ ଧରାଯାଇ ୩୬ ହଜାର ୮୦୦ ଟଂକା, ଓଭର ଲୋଡିଂ କ୍ଷେତ୍ରରେ ୬୮ ଟି ଗାଡି ଧରାଯାଇ ୯,୮୮,୬୩୫ ଟଂକା, ଦ୍ରବ୍ୟ ପରିବହନ ଗାଡିରେ ଯାତ୍ରୀ ବୋହୁଥିବାରୁ ୬୩ ଟି ଗାଡି ଠାରୁ ୧,୩୪,୩୦୦ ଟଂକା ବିନା ହେଲ୍ମେଟ୍ କ୍ଷେତ୍ରରେ ୧୧୩୦୪ ଜଣଙ୍କ ଠାରୁ ୧୦,୮୦,୪୦୦ ଟଂକା, ବିନା ସିଟ୍ ବେଲ୍ଟ କ୍ଷେତ୍ରରେ ୯୯୭ ଜଣଙ୍କ ଠାରୁ ୩୧,୫୦୦ ଟଂକା ଜୋରିମାନା ଆକାରରେ ଆଦାୟ ହୋଇଚ୍ଥି ବୋଲି ଆଂଚଳିକ ପରିବହନ ବିଭାଗ ସୂତ୍ରରୁ ପ୍ରକାଶ ।