କରୋନା ପାଦ ଦେବା ପରେ ପ୍ରଶାସନ ହେଲା ଅଧିକ ତତ୍ପର

0

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଜିଲାକୁ କରୋନା ଛୁଇଁଛି। ଗୁଡଭେଲା ବ୍ଲକ୍‌ ରୁଷୁଡା ପଞ୍ଚାୟତ ଅନ୍ତର୍ଗତ ଲିଖିରିଆର ଦୁଇଜଣ ଯୁବକଙ୍କ ସ୍ବାବ୍‌ ଟେଷ୍ଟ କରୋନା ପଜିଟିଭ ବାହାରିଛି। ସେହି ଦୁଇ ଯୁବକ ପ୍ରାୟ ଦେଢ଼ମାସ ତଳେ ତାମିଲନାଡୁରୁ ଫେରିଥିଲେ। ଏହି ଖବର ମିଳିବା ପରେ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରଙ୍କ ଲକ ଡାଉନ ନିୟମକୁ କଡାକଡି ଭାବେ ପାଳନ କରାଯାଇ ଆସିଥିବା ବେଳେ ଆଜି ଦୁଇଜଣଙ୍କ ପଜିଟିଭ ଆସିବା ପରେ ଅଧିକ କ୍ରିୟାଶୀଳ ହୋଇପଡିଛି ପ୍ରଶାସନ ।

ଜିଲାପାଳ ଅରିନ୍ଦମ ଡାକୁଆ ତୁରନ୍ତ ଆନୁସଙ୍ଗିକ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଲିଖିରିଆ ଗାଁରେ ପହଞ୍ଚିଛି ରାପିଡ୍‌ ରେସ୍‌ପନ୍ସ ଟିମ୍‌। ସ୍ବାବ୍‌ ଟେଷ୍ଟ ପଜିଟିଭ ବାହାରିଥିବା ଦୁଇ ଯୁବକଙ୍କୁ ବଲାଙ୍ଗୀର କୋଭିଡ୍‌ ହସ୍‌ପିଟାଲକୁ ସ୍ଥାନାନ୍ତରଣ କରାଯିବା ବ୍ୟବସ୍ଥା ଆରମ୍ଭ ହୋଇଛି। ଏହା ସହିତ ସେହି ସଂକ୍ରମିତ ଯୁବକମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ଓ ସେମାନଙ୍କ ଭ୍ରମଣ ଇତିହାସ (ଟ୍ରାଭେଲ ହିଷ୍ଟ୍ରି) ସମ୍ପର୍କରେ ସ୍ବାସ୍ଥ୍ୟ ଅଧିକାରୀମାନେ ଉଭୟ ସଂକ୍ରମିତଙ୍କଠାରୁ ପଚାରି ବୁଝୁଛନ୍ତି। ଜିଲାପାଳ ଅରିନ୍ଦମ ଡାକୁଆ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଗତ ମାର୍ଚ୍ଚ ୧୭ ତାରିଖରେ ଏହି ଦୁଇ ସଂକ୍ରମିତ ଯୁବକ ତାମିଲନାଡୁରୁ ଫେରିଥିଲେ। ଫେରିବା ପରେ ୧୪ ଦିନ ପାଇଁ ସେମାନେ କ୍ୱାରାଣ୍ଟାଇନ୍‌ରେ ଥିଲେ। ଏହାପରେ ଗତ ଏପ୍ରିଲ ୨୮ ତାରିଖ ଦିନ ସେହି ଦୁଇ ଯୁବକଙ୍କ ଠାରୁ ସ୍ବାବ୍‌ କଲେକସନ୍‌ ହୋଇ ପରୀକ୍ଷା ପାଇଁ ପଠାଯାଇଥିଲା। ଉଭୟ ଯୁବକ କରୋନା ପଜିଟିଭ ଜଣାପଡିବା ପରେ ବର୍ତ୍ତମାନ୍‌ ଗୁଡଭେଲା ବ୍ଳକ୍‌ ବିଡିଓ, ତହସିଲଦାର ଓ ଏସ୍‌ଡିପିଡଙ୍କୁ ଗଁା କନଟେନ୍‌ମେଣ୍ଟ କରିବା ଓ ସିଲିଂ ପଏଣ୍ଟ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଭୟ ସଂକ୍ରମିତ ଯୁବକଙ୍କ ସଂସ୍ପର୍ଶ ତାଲିକା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସଂସ୍ପର୍ଶ ତାଲିକା ପ୍ରସ୍ତୁତି କରାଯାଉଛି। ସେ ସମସ୍ତଙ୍କ ସ୍ବାବ୍‌ ଟେଷ୍ଟ କରାଯିବ ବୋଲି ଜିଲାପାଳ ଡାକୁଆ କହିଛନ୍ତି।

Leave A Reply

Your email address will not be published.