ଲକ୍ଷ୍ୟ ହାସଲରେ ଜଗତସିଂହପୁର ଜିଲ୍ଲା ପଛରେ ପଡ଼ିବ !
ଜଗତସିଂହପୁର/ ଅଜୟ କୁମାର ଜେନା : ଜିଲ୍ଲାରେ ସ୍ୱଚ୍ଛଭାରତ ଅଭିଯାନରେ ୨୦୧୯ ସୁଦ୍ଧା ଲକ୍ଷ୍ୟ ରଖାଯାଇଥିବା ବାହ୍ୟ ମଳମୁତ୍ର ତ୍ୟାଗମୁକ୍ତ ଜିଲ୍ଲା ଘୋଷଣା କରିବାର ଆଶା – ଆଶଂଙ୍କାରେ ରହିଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ ଅନୁଯାୟୀ ସମଗ୍ର ଭାରତବର୍ଷର ପ୍ରତ୍ୟେକ ପରିବାର ବାହାରେ ଶୈାଚ ନହୋଇ ନିଜର ଶୈାଚାଳୟ ବ୍ୟବହାର କରିବା ଉପରେ ଗୁରୁତ୍ତ୍ଵ ଆରୋପ କରାଯାଇଥିଲା | ମାତ୍ର ପ୍ରଶାସନିକ ଅବହେଳା ଇଚ୍ଛାଶକ୍ତି ଅଭାବରୁ ଜଗତସିଂହପୁର ଜିଲ୍ଲାରେ ଦୀର୍ଘ ୪ବର୍ଷ ବିତିଯାଇଥିଲେ ମଧ୍ୟ ମାତ୍ର ୫୦ ରୁ ୫୫ ପ୍ରତିଶତ ପରିବାର ଶୈାଚାଳୟ ନିର୍ମାଣ କରିବାରେ ସକ୍ଷମ ହୋଇଛନ୍ତି । ଏଥିପାଇଁ କେନ୍ଦ୍ରସରକାର ପର୍ଯ୍ୟାପ୍ତ ଅର୍ଥଖର୍ଚ୍ଚ କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ବିଭିନ୍ନ ଆଳ ଦେଖାଇ କାର୍ଯ୍ୟ କରିପାରୁନାହାଁନ୍ତି । ସୂଚନା ଅନୁଯାୟୀ ଜିଲ୍ଲାର ୮ ଗୋଟି ବ୍ଲକ୍ ମଧ୍ୟରୁ ବିରିଡ଼ି ବ୍ଲକ୍ ସନ୍ତୋଷ ଜନକ କାର୍ଯ୍ୟ କରିବାରେ ସଫଳ ହୋଇଥିଲାବେଳେ ବାଲିକୁଦା ଏରସମାରେ ଅତି ନୈରାଶ୍ୟ ଜନକ ଫଳାଫଳ ସାଧାରଣରେ ଚର୍ଚ୍ଚା ହେଉଛି । କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ସରକାରୀ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ମୋଟ ଅର୍ଥର ଆପାତତଃ ୪ ପ୍ରତିଶତ ଅର୍ଥ ସଚେତନତାରେ ଖର୍ଚ୍ଚ ହେବାକଥା । କିନ୍ତୁ ବିଭାଗୀୟ ଅଧିକାରୀମାନେ ସଚେତନତା କାର୍ଯ୍ୟକ୍ରମର ଜଗତସିଂହପୁରରେ ଆବଶ୍ୟକ ନାହିଁ ବୋଲି ଦର୍ଶାାଇ ବ୍ୟକ୍ତିଗତ ପରିବର୍ତ୍ତନ କର୍ମୀମାନଙ୍କୁ ଚାରୋଟି ପର୍ଯ୍ୟାୟରେ ଆପାତତଃ ୩୦୦ ଯୁବକ ଯୁବତୀମାନଙ୍କୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ବିନିମୟରେ ତାଲିମ ପ୍ରଦାନ କରିଥିଲେ । କିନ୍ତୁ ସେଥିମଧ୍ୟରୁ ମାତ୍ର ୩୦ ରୁ ୪୦ ପ୍ରତିଶତ ଯୁବକ ଯୁବତୀ ମୋଟିଭେସନ୍ କାମ କରୁଛନ୍ତି । ଏବେସୁଦ୍ଧା ଆହୁରି ଅନେକ କାର୍ଯ୍ୟ ବାକି ରହିଛି । ୨୦୧୮ ଡ଼ିସେମ୍ବର ଏବଂ ୨୦୧୯ ମାର୍ଚ୍ଚ ପୂର୍ବରୁ ଶୌଚାଳୟ ନଥିବା ପ୍ରତ୍ୟେକ ପରିବାରକୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଶୈାଚାଳୟ ନିର୍ମାଣ କରିବାର ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ଦୂରକୁ ଦୂରକୁ ଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଏବେ ସୁଦ୍ଧା ଆହୁରି ୪୫ ପ୍ରତିଶତ ପରିବାରଙ୍କୁ ଶୈଚାଳୟ ଯୋଗାଇବା ବାକି ରହିଅଛି ବୋଲି ଆଲୋଚନା ହେଉଛି । ଏବେ ପ୍ରଶ୍ନ ଉଠୁଛି ୪ ବର୍ଷରେ ୫୫ ପ୍ରତିଶତ କାର୍ଯ୍ୟ ହୋଇଥିବାବେଳେ ଆଉ ମାତ୍ର ଗୋଟିଏ ବର୍ଷରୁ କମ୍ ସମୟ ମଧ୍ୟରେ ୪୫ ପ୍ରତିଶତ କାର୍ଯ୍ୟ ସମ୍ଭବ ହେବ କିପରି ? ପ୍ରକାଶ ଯୋଗ୍ୟଯେ, ଏବେ ଜିଲ୍ଲାରେ ୨୨୪ ଟି ଗ୍ରାମକୁ ବାହ୍ୟ ମଳମୁତ୍ରତ୍ୟାଗ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯାଇଅଛି । କିନ୍ତୁ ଏହାର ବାସ୍ତବତା ଅନେକ ଦୂରରେ ଅଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଜିଲ୍ଲାପାଳଙ୍କୁ ଅନ୍ଧାରରେ ରଖି ଏଭଲି ଚଂଚକତା ଚାଲିଥିବା ବେଳେ ଏଥିପ୍ରତି ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲାପାଳ ମହୋଦୟା ପ୍ରତ୍ୟକ୍ଷ ଅନୁଧ୍ୟାନ କରି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ସାଧରଣରେ ଦାବୀ କରାଯାଉଅଛି । ଅନ୍ୟଥା ବହୁ ପରିବାର ଏହି ସୁଯୋଗ ପାଇବାରୁ ବଞ୍ଚିତ ହେବା ସହିତ ମହାତ୍ମାଗାନ୍ଧୀଙ୍କର ଏକ ମହତ୍ତ୍ୱ ଇଚ୍ଛାକୁ ସଫଳ କରାଇବାରେ ଆମ୍ଭେମାନେ ବିଫଳ ହେବା । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବା ସମ୍ଭବ ହୋଇ ନଥିଲା ।