ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ): – ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ଅନୁନ୍ନତ ଗାଁ ଗୁଡିକରେ କରୋନାର ଭୟାବହତା ଓ ଏହାର ନିରାକରଣ ସମ୍ୱନ୍ଧରେ ଅସଚେତନତା ଏବେ ଜିଲ୍ଲାବାସୀଙ୍କ ବିପଦ ସଂକେତ ସୃଷ୍ଟିକରିଛି ବୋଲି ଅଭିଯୋଗ କରିଛନ୍ତି ଜିଲ୍ଲାର ଜଣାଶୁଣା ସମାଜସେବୀ ଶାନ୍ତନୁ କୁସୁମ | ତାସହିତ ଉପାନ୍ତ ଅଞ୍ଚଳ ଗୁଡିକରେ ସଚେତନତା ସୃଷ୍ଟି କରିବା ନିମିତ୍ତ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିଛନ୍ତି | ଆଜି ଏହି ପରିପ୍ରେକ୍ଷୀରେ ସମାଜସେବୀ ଶ୍ରୀ କୁସୁମ ଅତିରିକ୍ତ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କୁ ସାକ୍ଷାତ କରିବା ସହିତ ଜିଲ୍ଲାର ଅନେକ ଉପାନ୍ତ ଅଞ୍ଚଳ ଗୁଡିକରେ ବର୍ତ୍ତମାନ ମଧ୍ୟ କିଭଳି ଅସଚେତନତା ଭରିରହିଛି ସେ ସମ୍ୱନ୍ଧରେ ଗୋଟି ଗୋଟି କରି ତଥ୍ୟ ଉପସ୍ଥାପନ କରିଥିବା ବେଳେ ଉପାନ୍ତ ଅଞ୍ଚଳର ଭୟ ଓ ଅସଚେତନା କିଭଳି ଜିଲ୍ଲାବାସୀଙ୍କ ବିପଦ ଆଣିବ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି | ଏହି ଅବସରରେ ଶ୍ରୀ କୁସୁମ କହିଛନ୍ତି ଯେ ବାଲିଶଙ୍କରା, ସବଡେ଼ଗା, ଲେଫ୍ରିପଡା, କୁତ୍ରା, ବିଶ୍ରା, ନୂଆଗାଁ, ଗୁରୁଣ୍ଡିଆ, କୋଇଡା ଆଦି ବ୍ଲକର ଅନେକ ଅପହଞ୍ଚ ଗାଁ ଗୁଡିକୁ ଏବେ ଗୋଆ, ମୁମ୍ବାଇ, ଦିଲ୍ଲୀ ଆଦି ସ୍ଥାନରେ ଦାଦନ ଶ୍ରମିକ ଭାବରେ କାମ କରୁଥିବା ଶ୍ରମିକମାନେ ଫେରୁଥିବା ବେଳେ ଭୟ ଓ ଅସଚେତନତା ଯୋଗୁଁ ସେମାନେ କରୋନା ପରୀକ୍ଷା କରୁନାହାନ୍ତି କି ଏକାନ୍ତବାସରେ ରହୁନାହାନ୍ତି ! ତାଛଡା ସମ୍ପୃକ୍ତ ଶ୍ରମିକ ମାନଙ୍କ ପରିବାର ଲୋକେ ମଧ୍ୟ ଏକଥାକୁ ଲୁଚାଉଥିବା ବେଳେ ସ୍ଥାନୀୟ ପ୍ରଶାସନର ଦୃଷ୍ଟିକୁ ଆଣିବାକୁ ଇଛାପ୍ରକାଶ କରୁନାହାନ୍ତି ! ସେମିତି ହେମଗିର ବ୍ଲକ ଅଞ୍ଚଳର ଏକ ପରିବାର କିଛିଦିନ ପୂର୍ବରୁ ନେପାଳକୁ ପାଞ୍ଚ ଦିନିଆଁ ଭ୍ରମଣରେ ଯାଇ ଘରକୁ ଫେରିଥିବା ବେଳେ ସେମାନେ ମଧ୍ୟ ପଞ୍ଜିକରଣ କରିନାହାନ୍ତି କି ଏକାନ୍ତବାସରେ ରହିନାହାନ୍ତି ! ଯାହା ଜିଲ୍ଲାବାସୀଙ୍କ ପାଇଁ ଏକ ବଡ଼ ବିପଦ ଆଣିବାର ସଂକେତ ଦେଇଛି | ଯଦି ଉପାନ୍ତ ଅଞ୍ଚଳ ଗୁଡିକରେ ସଚେତନତା ସୃଷ୍ଟି ନହେବ ତାହେଲେ କରୋନାକୁ ମୁକାବିଲା କରିବା କାଠିକର ସାବ୍ୟସ୍ତ ହେବା ସୁନିଶ୍ଚିତ | ତେଣୁ ଉପାନ୍ତ ଅଞ୍ଚଳ ଗୁଡିକରେ ସଚେତନତା ସୃଷ୍ଟି କରିବାକୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ସହିତ କରୋନା ମାର୍ଗଦର୍ଶିକାକୁ କଡାକଡି କାର୍ଯ୍ୟକାରୀ କରିବାକୁ ସମାଜସେବୀ ଶ୍ରୀ କୁସୁମ ଦାବୀ କରିଛନ୍ତି | ଅଭିଯୋଗକୁ ବିସ୍ତୃତ ଭାବରେ ଅନୁଧ୍ୟାନ କଲାପରେ ଅତିରିକ୍ତ ଜିଲ୍ଲାପାଳ ଏ ଦିଗରେ ଜିଲା ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରିବ ବୋଲି ଭରସା ଦେଇଛନ୍ତି | ଏହି ସାକ୍ଷାତ ଆଲୋଚନା କାଳରେ ଅନ୍ୟମାନଙ୍କ ମଧ୍ୟରେ ନେହେରୁ ପଟ୍ଟନାୟକ, ପ୍ରିତମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.