ଚିଟ ଫଣ୍ଡ ସମସ୍ୟାରୁ ରକ୍ଷା ପାଇବା ପାଇଁ ସଚେତନତା ଜରୁରୀ : ସେବି ସଦସ୍ୟ

0

ପରିଚାଳନା ଦିଗରେ ଘରର ମହିଳା ହିଁ ସର୍ବୋତ୍କୃଷ୍ଟ  ମ୍ୟାନେଜର : କୁଳପତି 

ଭୁବନେଶ୍ୱର,(ଶାସକ ପ୍ରଶାସକ)  : ଆମ ଦେଶରେ ବିଶେଷ ଭାବେ ଓଡ଼ିଶାରେ ଚିଟ୍ ଫଣ୍ଡ କାରବାର ଅନେକ ଗରିବ ଏବଂ ମଧ୍ୟବିତ ପରିବାରକୁ ସର୍ବସ୍ୱାନ୍ତ କରିଦେଇଛି । ଧନୀକ ଶ୍ରେଣୀ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି । ତେବେ ଲୋଭର ବଶବର୍ତୀ ନ ହୋଇ କୌଣସି  ଠକ ସଂସ୍ଥା କବଳରେ ପଡ଼ି ନିଜର ଅର୍ଜିତ ଅର୍ଥକୁ କିଭଳି ପୁଞ୍ଜିନିବେଶ କରିବେ ସେ ନେଇ ଲୋକମାନେ ସଚେତନ ହେବା ଜରୁରୀ ବୋଲି କହିଛନ୍ତି ସିକୁ୍ୟରିଟିସ୍ ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ ଇଣ୍ଡିଆ (ସେବି)ର ପୂର୍ଣ୍ଣକାଳୀନ ସଦସ୍ୟ ତଥା ନ୍ୟାସ୍ନାଲ୍ ଇନଷ୍ଟିଟ୍ୟୁଟ  ଅଫ୍ ସିକୁ୍ୟରିଟିଜ୍ ମାର୍କେଟ୍ସ (ଏନ୍ଆଇଏସ୍ଏମ୍) ର ନିର୍ଦ୍ଦେଶକ  ଶ୍ରୀ ସନ୍ତୋଷ କୁମାର ମହାନ୍ତି ।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ବିଶ୍ୱବିଦ୍ୟାଳୟ) ଅଧିନସ୍ଥ ଇନଷ୍ଟିଟ୍ୟୁଟ ଅଫ୍ ବିଜ୍ନେସ୍ ଆଣ୍ଡ କମ୍ପୁ୍ୟଟର ଷ୍ଟଡିଜ୍ (ଆଇବିସିଏସ୍) ପକ୍ଷରୁ ଆୟୋଜିତ ‘ସିକୁ୍ୟରିଟିଜ୍ ମାର୍କେଟ୍ସ’ ସମ୍ପର୍କିତ ଫ୍ୟାକଲ୍ଟି ଡେଭଲପ୍ମେଂଟ ପ୍ରୋଗ୍ରାମରେ  ଯୋଗ ଦେଇ ଏହା କହିଛନ୍ତି ଶ୍ରୀ ମହାନ୍ତି । ନିକଟରେ ଘଟିଥିବା ବିଭିନ୍ନ ଚିଟଫଣ୍ଡ ମାମଲାର ଉଦାହରଣ ଦେଇ ଶ୍ରୀ ମହାନ୍ତି କହିଥିଲେ ଯେ ଏଭଳି ସଂସ୍ଥାଗୁଡ଼ିକ ଲୋକଙ୍କୁ ଲୋଭର ବଶବର୍ତୀ କରାଇ ଭୁଲ ରାସ୍ତା ଦେଖାଇଥାନ୍ତି । ତେଣୁ ଯେଉଁମାନେ ପୁଞ୍ଜିନିବେଶ କରିବାକୁ ଚାହୁଁଛନ୍ତି ସେମାନେ  ସମସ୍ତେ ଏସବୁ ଠକଙ୍କ ଠାରୁ ସଚେତନ ରହିବା ଉଚିତ୍ । ଏ ବିଷୟରେ ବିଶେଷଜ୍ଞମାନେ ନିବେଶକମାନଙ୍କୁ ଉପଯୁକ୍ତ ଉପଦେଶ ଦେବା ଆବଶ୍ୟକ । ଗରିବ ଲୋକମାନେ ନିଜର କଷ୍ଟ ଅର୍ଜିତ ଧନକୁ ନିଶ୍ଚିତ ଭାବେ ପୁଞ୍ଜିନିବେଶ କରିବା ଉଚିତ୍ । କିନ୍ତୁ ଦଲାଲଙ୍କ କବଳରେ ନ ପଡ଼ି ଠିକ୍ ବାଟରେ ବିନିଯୋଗ କଲେ କେବେ ବି ଠକାମିର ଶିକାର ହେବେ ନାହିଁ ବୋଲି ସେ କହିଛନ୍ତି ।

ସେବି ସମ୍ପର୍କରେ ସୂଚନା ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ଏହାର ମୁଖ୍ୟ ଦାୟିତ୍ୱ ହେଉଛି ଅର୍ଥନୀତି କ୍ଷେତ୍ରରେ ଏବଂ ସେୟାର ମାର୍କେଟ୍ରେ ହେଉଥିବା କୌଵାସୀ  ପ୍ରକାର ଦୁର୍ନୀତି ଏବଂ ଅନିୟମିତତାକୁ ବନ୍ଦ କରିବା । 

ଏହି ଅବସରରେ ସୋଆର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ପରିଚାଳନା ଦିଗରେ ଘରର ମହିଳା ହିଁ ସର୍ବୋତ୍କୃଷ୍ଟ  ମ୍ୟାନେଜର । ଘରର ମହିଳାଙ୍କୁ ହୋମ୍ ମେକର କୁହାଯାଉଥିବା ବେଳେ ସେମାନେ ହିଁ ଉପଯୁକ୍ତ ପରିଚାଳନା କରିଥାନ୍ତି ।  ୧୯୯୧ ମସିହାର ହର୍ଷଦ୍ ମେହେତା ଦୁର୍ନୀତି ମାମଲାର ଉଦାହରଣ ଦେଇ ପ୍ରଫେସର ମହାପାତ୍ର କହିଥିଲେ ଯେ ଏହା ସବୁଠାରୁ ବଡ଼ ଦୁର୍ନୀତି ଥିଲା । କିନ୍ତୁ ସେତେବେଳେ ଯଦି ଏଭଳି ଦୁର୍ନୀତିକୁ ରୋକିବା ନିମନ୍ତେ  ସେବି ଭଳି ଉପଯୁକ୍ତ ସଂସ୍ଥା ଥାନ୍ତା ତେବେ ହୁଏତ ଏହାକୁ ରୋକାଯାଇ ପାରିଥାନ୍ତା ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସେବି ଓ ଏନ୍ଆଇଏସ୍ଏମ୍ର ଜେନେରାଲ ମ୍ୟାନେଜର ଶ୍ରୀ ସାହିଲ୍ ମଲ୍ଲିକ୍ ଏବଂ ଆଇବିସିଏସର  ଡିନ୍ ପ୍ରଫେସର ଅନୁପ୍ କୁମାର ସାମନ୍ତରାୟ ନିଜର ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.