ମୟୂରଭଞ୍ଜରେ ଶିଳ୍ପ  ପ୍ରତିଷ୍ଠା ପାଇଁ ସାଂସଦଙ୍କ ଗୁରୁତ୍ୱ : ଜିଲ୍ଲା ଶିଳ୍ପ ଅଧିକାରୀଙ୍କ ସହ ଆଲୋଚନା

0

ବାରିପଦା(ଦିଲ୍ଲୀପ ମହାନ୍ତି)-  ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ନୂତନ ଶିଳ୍ପ ପ୍ରତିଷ୍ଠା  ଉପରେ ମୟୂରଭଞ୍ଜ ଲୋକସଭା ସାଂସଦ ବିଶ୍ୱେଶ୍ୱର ଟୁଡୁ ଗୁରୁତ୍ୱାରୋପ ପ୍ରଦାନ କରିଛନ୍ତି । ଏଥି ନିମନ୍ତେ ଜିଲ୍ଲା ଶିଳ୍ପ ଅଧିକାରୀ ନୀଳମଣି ବେହେରାଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିବା ସହ ଜିଲ୍ଲାରେ କୌଶଳ ବିକାଶ, ଭିନ୍ନ ଭିନ୍ନ କ୍ଷେତ୍ରରେ ନୂତନ ଶିଳ୍ପ ପ୍ରତିଷ୍ଠାନ  ପ୍ରତିଷ୍ଠା କରାଯିବା କ୍ଷେତ୍ରରେ ପ୍ରଦାନ କରାଯାଇଥିବା ତାଲିମ ପ୍ରୋଗ୍ରାମଗୁଡ଼ିକୁ ଅଧିକ କ୍ରିୟାଶୀଳ କରାଇବା , ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କୁ ଅଧିକରୁ ଅଧିକ ସ୍ୱାବଲମ୍ବୀ କରାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ଜିଲ୍ଲା ପ୍ରଶାସନ ସହଯୋଗରେ ନୂତନ କୂଟୀର ଶିଳ୍ପର ପ୍ରତିଷ୍ଠା ସମ୍ଭବ ହୋଇ ପାରିଲେ ଜିଲ୍ଲାବାସୀଙ୍କ ସର୍ବାଙ୍ଗୀନ ବିକାଶ ସାଙ୍ଗକୁ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇ ପାରିବ ବୋଲି ମତପୋଷଣ କରିଥିଲେ । ବିଶେଷ କରି ଜିଲ୍ଲା ଶିଳ୍ପ କାର୍ଯ୍ୟାଳୟକୁ ଆସୁଥିବା ଯୁବ ପିଢ଼ି ଓ ନୂତନ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆଗ୍ରହୀ ଆଗନ୍ତୁକ ଶିଳ୍ପ ଉଦ୍ୟୋଗୀମାନଙ୍କ ନିମନ୍ତେ ଏକ ଅଗ୍ରଣୀ ସହାୟତା ଡେସ୍କ ବ୍ୟବସ୍ଥା କରାଇବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ ଆଲୋଚନାରେ ବିଜେପିର ବରିଷ୍ଠ ନେତା ଛୋଟଲାଲ ମହାନ୍ତ, ଲୋକସଭା ସାଂସଦଙ୍କ ଶିଳ୍ପ ପ୍ରତିଷ୍ଠାନ  ପ୍ରତିନିଧି ହେମନ୍ତ ଶାହାପ୍ରମୁଖ ଉପସ୍ଥିତ ରହିଥିଲେ ।

 

 

Leave A Reply

Your email address will not be published.