ପରମ୍ପରା, ସଂସ୍କୃତି, ପ୍ରାକୃତିକ ସମ୍ବଳ ଏବଂ ଜ୍ଞାନ ଓ ଭ୍ରାତୃତ୍ୱ ମନୋଭାବାପନ୍ନ ମାନବସମ୍ବଳ ନିମନ୍ତେ ଓଡ଼ିଶା ସୁପରିଚିତ

0

ଗାନ୍ଧୀନଗର ଓଡ଼ିଆ ସମାଜ ପକ୍ଷରୁ ଉତ୍କଳ  ଦିବସ ପାଳିତ

04-04-18-Odisha-State-Foundation-Day-inauguration-by-the-Governorshri-of-Gujarat.jpg - 991.27 kB

ଭୁବନେଶ୍ୱର : ନିଜ ନିଜର ଅନନ୍ୟ ସଂସ୍କୃତି ଏବଂ ବର୍ଷ ସାରା ଏସବୁ ସଂସ୍କୃତିର ଉତ୍ସବ ପାଳନ ନିମନ୍ତେ ଓଡ଼ିଶା ଏବଂ ଗୁଜରାଟ ସୁପରିଚିତ ବୋଲି ଗୁଜରାଟ ରାଜ୍ୟପାଳ ଓମ୍ ପ୍ରକାଶ କୋହଲୀ ମତବ୍ୟକ୍ତ କରିଛନ୍ତି । ଗୁଜରାଟର ଗାନ୍ଧୀନଗରଠାରେ ‘ଗାନ୍ଧୀନଗର ଓଡ଼ିଆ ସମାଜ’ ପକ୍ଷରୁ ୮୩ତମ ଉକ୍ରଳ ଦିବସ ପାଳନ ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗଦେଇ ସେ ଏହା କହିଛନ୍ତି । 

ଗାନ୍ଧୀନଗର, ଅହମ୍ମଦାବାଦ ଏବଂ ଗୁଜରାଟର  ଅନ୍ୟାନ୍ୟ ଅଞ୍ଚଳରେ ରହୁଥିବା ଓଡ଼ିଆମାନଙ୍କ ଉପସ୍ଥିତିରେ ମହାସମାରୋହରେ ପାଳନ କରାଯାଇଥିବା ଏହି ଉତ୍ସବରେ ରାଜ୍ୟପାଳ କହିଥିଲେ ଯେ, ନିଜର ପରମ୍ପରା, ସଂସ୍କୃତି, ପ୍ରାକୃତିକ ସମ୍ବଳ ଏବଂ ଜ୍ଞାନ ଓ ଭ୍ରାତୃତ୍ୱ ମନୋଭାବାପନ୍ନ ମାନବସମ୍ବଳ ନିମନ୍ତେ ଓଡ଼ିଶା ସୁପରିଚିତ । ସମ୍ମାନିତ ଅତିଥି ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତୀନ ଭାଇ ପଟେଲ ତାଙ୍କ ଅଭିଭାଷଣରେ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶା ବୋଲି ଦର୍ଶାଇ ଏହାର ବିବିଧତା ଉପରେ ଆଲୋଚନା କରିଥିଲେ ।

ଉତ୍ସବରେ ଗୁଜରାଟ ଶିଳ୍ପ ବିକାଶ ନିଗମ ଅଧ୍ୟକ୍ଷ ବଲୱନ୍ତ ସିଂହ ରାଜପୁତ, ରାଜ୍ୟ ସତର୍କତା ଆୟୁକ୍ତ ଏଚ୍. କେ. ଦାଶ, ଭାରତୀୟ ଷ୍ଟେଟବ୍ୟାଙ୍କ ସିଜିଏମ୍ ଦୁଃଖବନ୍ଧୁ ରଥ ଏବଂ ଗୁଜରାଟର ଅଫିସିଆଲ ଲିକ୍ୱିଡେଟର ଏମ୍. କେ. ସାହୁ ପ୍ରମୁଖ  ଅତିଥି ରୂପେ ଯୋଗଦେଇଥିଲେ । ଓଡ଼ିଶା ଓ ଗୁଜରାଟ ମଧ୍ୟରେ ଶୈକ୍ଷିକ ଏବଂ ସାଂସ୍କୃତିକ ସଂପର୍କ ସୁଦୃଢ଼ କରିବା ପାଇଁ ଓଡ଼ିଶାରେ ‘ଗୁଜରାଟ ମୈତ୍ରୀ ଭବନ’ ଏବଂ ଗୁଜରାଟରେ ‘ଓଡ଼ିଶା ଭବନ’ ପ୍ରତିଷ୍ଠା  କରାଯିବା ଉଚିତ ବୋଲି ଶ୍ରୀ ଦାଶ ମତବ୍ୟକ୍ତ କରିଥିଲେ ।

ଏହି ସମାରୋହରେ ହଡକୋ ନିର୍ଦ୍ଦେଶକ  ତଥା ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସଦସ୍ୟ ଡ. ଏସ୍ କେ ନନ୍ଦ ସଭାପତିତ୍ୱ କରିଥିବା ବେଳେ ଗାନ୍ଧୀନଗର ଓଡ଼ିଆ ସମାଜର ସଭାପତି ଏସ୍ କେ ମିଶ୍ର ସ୍ୱାଗତ ଭାଷଣ ଏବଂ ସଂପାଦକ ଡ. ନରୋତ୍ତମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । 

ଏହି ଅବସରରେ ସ୍ଥାନୀୟ ଓଡ଼ିଆ କଳାକାରଙ୍କ ସମେତ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଯାଇଥିବା ନୃତ୍ୟସୁଧା ଅନୁଷ୍ଠାନ  ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଓଡ଼ିଆ ମହିଳାମାନେ ପ୍ରସ୍ତୁତ କରିଥିବା ପାରମ୍ପରିକ ଓଡ଼ିଆ ପିଠା ଅତିଥିମାନଙ୍କୁ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ସର୍ବଶ୍ରୀ ଡ. ରମାକାନ୍ତ ପୃଷ୍ଟି, ବିଜୟ କୁମାର ନାୟକ, ଦୀପକ ମିଶ୍ର, ୱାଇ କେ ନନ୍ଦ, ମହେନ୍ଦ୍ର ଦାସ, ସତ୍ୟ ମିଶ୍ର , କିରଣ ଭାଇ ପଟେଲ, ବିଶ୍ୱରୂପ ମହାପାତ୍ର , ମନୋଜ ନାୟକ ଏବଂ ଅନ୍ୟମାନେ ପରିଚାଳନା କରିଥିଲେ ।

 

Leave A Reply

Your email address will not be published.