ବାରିପଦା(ଦିଲ୍ଲୀପ ମହାନ୍ତି )-ଅନୁସୂଚିତଜାତି ଓ ଜନଜାତି ଅତ୍ୟାଚାର ନିରୋଧ ଆଇନ-୧୯୮୯ ଉପରେ ଉଚ୍ଚତମ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶକୁ ବିରୋଧକରି ସମ୍ବିଧାନ ବଞ୍ଚାଅ ସଂଘର୍ଷ କମିଟି ପକ୍ଷରୁ ଦିଆ ଯାଇଥିବା ଅପ୍ରେଲ ୨ ଭାରତ ବନ୍ଦ ଡ଼ାକରାକୁ ମୟୂରଭଞ୍ଜ ଜିଲ୍ଲା ସହିତ ସଦର ମହକୁମା ବାରିପଦାରେ ମିଳିଛି ଅଦ୍ଭୂତପୂର୍ବ ସଫଳତା । ଫଳରେ ଏହା ଜନଜୀବନକୁ ବେଶ ପ୍ରଭାବିତ କରାଇଥିଲା । ବାରିପଦା ସହରରେ ପରିବହନ ଓ ଗମନାଗମନ ବ୍ୟବସ୍ଥା, ବ୍ୟବସାୟ ପ୍ରତିଷ୍ଠାନ , ସମସ୍ତ ଶିକ୍ଷା ଅନୁଷ୍ଠାନ , ବ୍ୟାଙ୍କ, ବୀମା କମ୍ପାନୀ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ, କଚେରୀରେ କାମ କାର୍ଯ୍ୟ, ଡ଼ାକ ସେବା ଆଦି ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା । ରାସ୍ତାଘାଟ ଶୂନଶାନ୍ ରହିଥିଲା । ସମ୍ବିଧାନ ବଞ୍ଚାଅ ସଂଘର୍ଷ କମିଟି ପକ୍ଷରୁ ଦିଆ ଯାଇଥିବା ସକାଳ ୬ରୁ ସନ୍ଧ୍ୟାଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଭାରତ ବନ୍ଦ ଡ଼ାକରାକୁ ମୟୂରଭଞ୍ଜ ଜିଲ୍ଲାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଆଦି ରାଜ ନୈତିକ ଦଳ ସହିତ ହରିଜନ ସେବା ସଂଘ, ଭଞ୍ଜ ଦିଶମ୍ ପାରଗାନା, ମୂଳ ନିବାସୀ ସମତା ପରିଷଦ, ରାଇରଙ୍ଗପୁର-କରଞ୍ଜିଆ ଆଦିବାସୀ ମିଳିତ ମଞ୍ଚ, ଲୋଧା ଶବର ଉନ୍ନୟନ ପରିଷଦ, ସାନ୍ତାଳୀ ଲେଟେରାଚାର ଡେ଼ଭେଲାପମେଣ୍ଟ ସୋସାଇଟି, ହୋ ଭାଷା ବିକାଶ ମଞ୍ଚ, ଏସସି-ଏସଟି ଏକତା ମଞ୍ଚ, ଟ୍ରାଇବାଲ ରିସୋର୍ଚ୍ଚ ଭୂୟା-ବାଥୁଡ଼ି ଡେ଼ଭେଲାପମେଣ୍ଟ ସୋସାଇଟି, ଭାରତ ମୁଣ୍ଡା ସମାଜ, ପେସା ଗ୍ରାମ ସଭା, ଆମ୍ବେଦକର ସୋସାଇଟି, ମାସା, ମାରିସା, ଆଦିବାସୀ ଦରବାର, ଭାରତ ହୋ ଭାଷାକ୍ରିୟାନୁଷ୍ଠାନ କମିଟି, ଦିଶମ ମାଝି ପାରାଗାନା ଆଦି ୪୬ଟି ବିଭିନ୍ନ ସଂଗଠନ ପକ୍ଷରୁ ସିଧାସଳଖ ସମର୍ଥନ ଜଣାଇଛନ୍ତି । ସୋମବାର ପୂର୍ବାହ୍ନ ପ୍ରାୟ ସାଢେ଼ ୫ଟାରୁ ଜେଏମଏମର ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନାଙ୍କ ନେତୃତ୍ୱ ଜିଲ୍ଲା କମିଟି ସଭାପତି ଫାଗୁ ହାଁସଦାଃ, ସମ୍ପାଦକ ପ୍ରଭୂଦାନ ମାର୍ଣ୍ଡି, ଉପସଭାପତି ଦିଲ୍ଲୀପ ଦାସ, ଜିଲ୍ଲା ମୁଖପାତ୍ର ନିମାଇଁ ତ୍ରିପାଠୀ, ପିଣ୍ଟୁ ମାଇତି ପ୍ରମୁଖଙ୍କ ମିଳିତ ତତ୍ୱାବଧାନରେ ପ୍ରାୟ ଶତାଧିକ ଦଳୀୟ ନେତା, କର୍ମକର୍ତ୍ତା ଓ ସମର୍ଥକ ଏବଂ ଜିଲ୍ଲା ଯୁବ କଂଗ୍ରେସ ସଭାପତି ରାକେଶ ସିଂଙ୍କ ନେତୃତ୍ୱରେ ଶାଙ୍କ ମୁର୍ମୁ, ଅଂଶୁମାନ ଦାସ ପ୍ରମୁଖ ଶତାଧିକ କଂଗ୍ରେସ ନେତା ଓ କର୍ମକର୍ତ୍ତାମାନେ ବନ୍ଦ ପାଳନରେ ସାମିଲ ହୋଇଥିଲେ । ସୂଚନା ଯୋଗ୍ୟଯେ, ଭାରତର ଉଚ୍ଚତମ ନ୍ୟାୟାଳୟର ବିଚାରପତି ଆଦର୍ଶ ଗୋଏଲ ଓ ୟୁୟୁ ଲଳିତ ନେଇ ଗଠିତ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି, ଏସସି/ଏସଟି ଆଇନ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ବିରୋଧରେ ଦାୟର ହୋଇଥିବା ମାମଲାରେ ଅଭିଯୁକ୍ତଙ୍କୁ ତ୍ୱରିତ୍ ଗିରଫ କରାଯାଇ ପାରିବ ନାହିଁ । ଜଣେ ଡ଼ିଏସପି ପାହ୍ୟାର ପୁଲିସ ଅଧିକାରୀ ଅଭିଯୋଗ ଉପରେ ତଦନ୍ତ କରିବା ପରେ ତାଙ୍କର ରିପୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ସରକାରୀ କର୍ମଚାରୀଙ୍କୁ ଗିରଫ କରାଯାଇ ପାରିବ । ପୁଣି, ଏଥି ନିମନ୍ତେ ବିଭାଗୀୟ କତ୍ତୃପକ୍ଷଙ୍କ ଅନୁମତି ନେବାକୁ ପଡ଼ିବ । ଏସସି/ଏସଟି ଆଇନର ଦୁରୁପଯୋଗ ଉପରେ ।ଙ୍କୁଶ ଲଗାଇବା ନିମନ୍ତେ ଉଚ୍ଚ ନ୍ୟାୟାଳୟ ଗତ ମାସରେ ଏହି ରାୟ ପ୍ରଦାନ କରିଥିଲେ ।
