ସୁଦାମ ହେଲେଣି କି କୃତଘ୍ନ ,କୁଆଡେ ଗଲା ତାଙ୍କର ତୁମ୍ଭିତୋଫାନ !!! ତାଙ୍କ ପାଇଁ ଲଟିଥିଲା ତିନି ଯବାନଙ୍କ ଅମୁଲ୍ୟ ଜୀବନ
ଘୁଞ୍ଚିଘୁଞ୍ଚି ଯାଉଛି ସହୀଦ ପରିବାରକୁ ଜମି ଯୋଗାଇ ଦେବା ଘୋଷଣାର ପଦ୍ମ
ସହିଦଙ୍କ ବଳିଦାନ ଓ ତ୍ୟାଗ ପ୍ରତି ପ୍ରଶାସନ ଉଦାସୀନ

ବାରିପଦାରୁ ଦିଲୀପ ମହାନ୍ତି – ପୁଲିସ କର୍ମଚାରୀମାନଙ୍କ ସେବା ଓ କାର୍ଯ୍ୟଦକ୍ଷତାକୁ ନେଇ ସରକାର ବିଭିନ୍ନ ସମୟରେ ସେମାନଙ୍କ ଉପରେ ପ୍ରଶଂସାର ପାହାଡ଼ ଅଜାଡ଼ି ଦେଉଥିବା ବେଳେ ସେମାନଙ୍କ ପରିବାରର ଦୁର୍ଦ୍ଧିନ, ଦୁଃଖ ବେଳେ ଦେଇଥିବା କଥା ଓ ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଥାନ୍ତି । ଯାହାକୁ ନେଇ ବିଭିନ୍ନ ମହଲରେ ସରକାରଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହିଭଳି ଘଟଣା ପରିଲକ୍ଷିତ ହୋଇଛି ମୟୂରଭଞ୍ଜରେ ମାଓବାଦୀଙ୍କ ଗୁଳିରେ ସହୀଦ ପୁଲିସ କର୍ମଚାରୀମାନଙ୍କ ପରିବାର କ୍ଷେତ୍ରରେ ।
୨୦୦୯ ଅକ୍ଟୋବର ୧୩ । ଚାନ୍ଦୁଆ ଥାନା ଅନ୍ତର୍ଗତ ବଣ୍ଡାବ ଗ୍ରାମ ଫୁଟବଲ ପଡ଼ିଆରେ ଚାଲିଥିଲା ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ । ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇଥିଲା ପୁରସ୍କାର ବିତରଣ ଉତ୍ସବ । ତତ୍କାଳୀନ ଜେଏମ୍ଏମ୍ର ରାଜ୍ୟ ସଭାପତି ତଥା ବର୍ତମାନ ବିଜଦର ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶତାଧିକ ଫୁଟବଲ ପ୍ରେମୀ ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ ଓ ରନର୍ସ ଅପ୍ ଟିମକୁ ଉତ୍ସାହିତ କରିବା ପାଇଁ ପ୍ରତୀକ୍ଷା କରିଥିଲେ । କେହି କିଛି ବୁଝିବା ପୂର୍ବରୁ ହଠାତ୍ ଫୁଟିଥିଲା ଗୁଳି । ଆରମ୍ଭ ହୋଇଥିଲା ମାଓବାଦୀଙ୍କର ତାଣ୍ଡବଳୀଳା । ଛତ୍ରଭଙ୍ଗ ଦେଇଥିଲେ ଶତାଧିକ ଫୁଟବଲ ପ୍ରେମୀଙ୍କ ସହ ଖେଳାଳୀ । ବିଧାୟକ ସୁଦାମଙ୍କୁ ସୁରକ୍ଷା ଦେବାକୁ ଯାଇ ଅଭେଦ୍ୟ ପାଚେରୀ ଭାବେ ଘେରି ହୋଇ ଜୀବନକୁ ବାଜି ଲଗାଇ ମାଓବାଦୀଙ୍କ ସହ ମୁକାବିଲା କରିଥିଲେ ସେଠାରେ ଡ଼ିଉଟିରେ ରହିଥିବା ମୟୂରଭଞ୍ଜ ପୁଲିସ । ଗୁଳି ସାମନାରେ ଛାତି ଦେଖାଇ ସହିଦ ହୋଇଥିଲେ ଚାନ୍ଦୁଆ ଥାନା ଏଏସ୍ଆଇ ନାରାୟଣ ଚନ୍ଦ୍ର ପ୍ରଧାନ, ହାବିଲଦାର ରାଜେନ୍ଦ୍ର ମହାନ୍ତ ଓ କନେଷ୍ଟବଳ ଗହ୍ମା ହେମ୍ବ୍ରମ । ଏହି ଦୁଃଖଦ ଘଟଣାକୁ ସାଢେ଼ ୮ ବର୍ଷ ଅତିକ୍ରାନ୍ତ ହୋଇ ସାରିଛି । ଉକ୍ତ ସହିଦ ପରିବାରଙ୍କୁ ରାଜ୍ୟ ସରକାର ଜମି ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ । ଏଥି ନିମନ୍ତେ ମୟୂରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କରାଯାଇ ରାଜ୍ୟ ସରକାରଙ୍କ ନିକଟକୁ ଆପ୍ରୋଭାଲ ପାଇଁ ସମସ୍ତ କାଗଜପତ୍ର ପଠା ଯାଇଥିଲେ ମଧ୍ୟ ସରକାରଙ୍କର ନାଲି ଫିତା ତଳେ ଚାପି ହୋଇ ସେଥିରେ ଅଳନ୍ଧୁ ଧରିଲାଣି । ବର୍ତମାନର ବିଜଦ ବିଧାୟକ ଶ୍ରୀମାର୍ଣ୍ଡି ଯେତେବେଳେ ଝାମୁମୋର ରାଜ୍ୟ ସଭାପତି ରହିଥିଲେ ସେହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲାକୁ ଅବହେଳା ପ୍ରଦର୍ଶନ କରୁଥିବାର ଅଭିଯୋଗ ଆଣି ମୟୂରଭଞ୍ଜ ଜିଲାରେ ରାଜନୈତିକ ତୁମ୍ବିତୋଫାନ ଛିଡ଼ା କରାଉଥିଲେ । ୨୦୦୯ ମସିହା ଅକ୍ଟୋବର ୧୩ରେ ବିଧାୟକ ଶ୍ରୀମାର୍ଣ୍ଡିଙ୍କୁ ମାଓବାଦୀଙ୍କ କବଳରୁ ଯେଉଁ ପୁଲିସ କର୍ମଚାରୀମାନେ ସୁରକ୍ଷା ଦେବାକୁ ଯାଇ ସହିଦ ହୋଇଥିଲେ ସେହି ପରିବାରର ଭଲମନ୍ଦରେ ସାମିଲ ହେବା ନିମନ୍ତେ ତାଙ୍କ ନିକଟରେ ଆଜି ସମୟ ନାହିଁ । ତାଙ୍କର ଯଦି ସହିଦ ପରିବାର ପ୍ରତି ଟିକିଏ ଆନ୍ତରିକତା ରହିଥାନ୍ତା ତେବେ ସହିଦ ଚାନ୍ଦୁଆ ଥାନା ଏଏସ୍ଆଇ ନାରାୟଣ ଚନ୍ଦ୍ର ପ୍ରଧାନ, ହାବିଲଦାର ରାଜେନ୍ଦ୍ର ମହାନ୍ତ ଓ କନେଷ୍ଟବଳ ଗହ୍ମା ହେମ୍ବ୍ରମଙ୍କ ପରିବାରକୁ ପ୍ରଶାସନ ଯେଉଁ ସହାୟତା ଯୋଗାଇ ଦେବାର ଘୋଷଣା କରିଥିଲେ ତାର ପଦ୍ମ ଘୁଞ୍ଚିଘୁଞ୍ଚି ଯାଉ ନଥାନ୍ତା । ପ୍ରଶାସନିକ ଅବହେଳା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ସହିଦ ପରିବାରକୁ ଅଣଦେଖାକୁ ମୟୂରଭଞ୍ଜ ଜିଲା କନେଷ୍ଟବଳ ଓ ହାବିଲଦାର ସଂଘ ପକ୍ଷରୁ ନାପସନ୍ଦ କରାଯାଇଛି । ସରକାରଙ୍କର ଯଦି ସହିଦ ପରିବାର ପ୍ରତି ଟିକିଏ ହେଲେ ଅନୁକମ୍ପା ବା ଆନ୍ତରିକତା ରହିଥାନ୍ତା ତେବେ ସହୀଦର ପରିବାରକୁ ଅସହାୟ ଅବସ୍ଥାରେ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ୁ ନ ଥାନ୍ତା । ଏଥିସାହିତା ବଣ୍ଡାବ ଘଟଣାକୁ ନେଇ ରାଜ୍ୟ ସରକାରଙ୍କର ନୈତିକତା ଓ ମାନବିକତାର ଅବକ୍ଷୟ ଘଟିଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।