“ଭାଙ୍ଗିବନି ଶ୍ରୀମନ୍ଦିରର କୌଣସି ପରମ୍ପରା, ଅପରିବର୍ତ୍ତିତ ରହିବ ନୀତିକାନ୍ତି”

0

ଐତିହ୍ୟ କରିଡରକୁ ନେଇ ସୃଷ୍ଟ ସଂଶୟ ଉପରେ ସ୍ପଷ୍ଟ କଲେ ମୁଖ୍ୟ ପ୍ରଶାସକ ଡ଼ କୁମାର 

ଭୁୁବନେଶ୍ୱର: ମହାନ ଐତିହ୍ୟ କ୍ଷେତ୍ର ତଥା କୋଟି ଜନତାଙ୍କ ଆରାଧ୍ୟ ଦେବ ଶ୍ରୀଜଗନ୍ନାଥଙ୍କ ବିଜେସ୍ଥଳୀ ଶ୍ରୀମନ୍ଦିରର ଚତୁଃପାର୍ଶ୍ୱର ଉନ୍ନତିକରଣ ପରିପ୍ରେକ୍ଷୀରେ ଏହାକୁ ନେଇ ଜନମାନସରେ ଅନେକ ବିଭ୍ରାନ୍ତି ସୃଷ୍ଟି କରାଯାଉଥିବା ବେଳେ ରାଜ୍ୟ ସରକାରଙ୍କ ଏହି ମହତ୍ୱାକାଂକ୍ଷୀ ପଦକ୍ଷେପ ବା ପ୍ରସ୍ତାବିତ ଐତିହ୍ୟ କରିଡ଼ର ଯୋଗୁଁ ଶ୍ରୀମନ୍ଦିର ନୀତି ପରମ୍ପରା କୌଣସି ପରିସ୍ଥିତିରେ ବା କୌଣସି ପ୍ରକାରେ ପ୍ରଭାବିତ ହେବ ନାହିଁ । ଶ୍ରୀମନ୍ଦିର ନୀତିକାନ୍ତି ଓ  ପରମ୍ପରା ଯେମିତି ଚାଲୁଛି ସେମିତି ଚାଲିବ ବୋଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ପାରେ ଏ ବିଷୟରେ ସୂଚନା ଦେଇଛନ୍ତି  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ପୂର୍ତ୍ତସଚିବ ଡ. କ୍ରିଷନ୍ କୁମାର |

ପୁରୀ ଗଜପତି ମହାରାଜ ଦିବ୍ୟ ସିଂହ ଦେବ, ବିଭିନ୍ନ ନିଯୋଗ ପ୍ରତିନିଧି ଆଉ ବିସ୍ଥାପିତ ସହି ପରିବାର ଓ ସେବାୟତମାନଙ୍କ ପ୍ରତିନିଧି ମାନଙ୍କ ଉପସ୍ଥିତ ଏହି ଗୁରୁତ୍ୱପୂର୍ଣ ବୈଠକରେ ଐତିହ୍ୟ କରିଡର ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଭୂମିପୁତ୍ର କମ୍ପାନୀ ହ୍ୱିହନ ସମ୍ପର୍କରେ ସବିଶେଷ ଉପସ୍ଥାପନା ରାଖିଥିଲା | ଐତିହ୍ୟ କରିଡର କାର୍ଯ୍ୟକ୍ଷମ ହେଲେ କିଛି ପରମ୍ପରା ନୀତିକାନ୍ତି ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ କରିଥିଲେ ବୈଠକରେ ଉପସ୍ଥିତ କିଛି ପ୍ରତିନିଧି | ହେଲେ ସେଭଳି କିଛି ହେବାର ନାହିଁ ବୋଲି ମୁଖ୍ୟ ପ୍ରଶାସକ ସେମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ | 

ବୈଠକ ପରେ ଡ଼ କୁମାର କହିଥିଲେ  ଯେ  ଐତିହ୍ୟ କରିଡ଼ର ନିର୍ମାଣ ଯୋଗୁଁ ସେବାୟତଙ୍କ ଅନ୍ତିମ ସତ୍କାର ପରମ୍ପରା ପାଳନ ହେବାରେ କୌଣସି ଅସୁବିଧା ହେବ ନାହିଁ । ସେହିପରି ଦାରୁ ପହଣ୍ଡି ଓ ଚଳନ୍ତି ପହଣ୍ଡି ପୂର୍ବପରି ବଳବତ୍ତର ରହିବ । କରିଡ଼ରରେ ଦୈନିକ ୫ ହଜାର ବ୍ୟକ୍ତି ମହାପ୍ରସାଦ ସେବନ କରିବା ଯୋଗ୍ୟ  ବ୍ୟବସ୍ଥା କରାଯିବ । ଏଥିନିମନ୍ତେ ରାଜ୍ୟ ସରକାରଙ୍କର ବିଶେଷ ଆଗ୍ରହ ଥିବା ସେ ଜଣାଇଛନ୍ତି ।

ଐତିହ୍ୟ କରିଡ଼ର ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ ହେବା ପରେ  ଶ୍ରୀମନ୍ଦିର ସାମ୍ନାରେ ଅନେକ କଳାକୃତି ଓ ବୃକ୍ଷଲତା ସ୍ଥାନ ପାଇବ । ଏଥିଯୋଗୁଁ ସାହି ପରମ୍ପରା ଅନୁଯାୟୀ ଅରୁଣ ସ୍ତମ୍ଭ ଆଗରେ ମୃତ୍ୟୁ ପରେ ଶେଷ ଦର୍ଶନ କରିବା ତଥା ଦେବତା ଓ ଚଳନ୍ତି ପ୍ରତିମାମାନଙ୍କ ପହଣ୍ଡି ହେବାରେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ । ସେହିଭଳି ରଥଖଳାରେ ରଥ ନିର୍ମାଣ, ନିଳାଦ୍ରୀ ବିଜେ ଇତ୍ୟାଦି ନିମନ୍ତେ ଆବଶ୍ୟକ ସ୍ଥଳ ଅତୁଟ ରହିବ ।

ଆଲୋଚନାରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ବଡ଼ଦାଣ୍ଡରେ ଶ୍ରୀମନ୍ଦିର କରିଡ଼ର ଅଞ୍ଚଳରେ ଏକ ଯଜ୍ଞଶାଳା ନିର୍ମାଣ କରିବାର ପ୍ରସ୍ତାବ ଦେଇଥିଲେ । ଅନ୍ୟପକ୍ଷରେ କରିଡ଼ରରେ ସ୍ଥାନିତ ହେବାକୁ ଥିବା ସମସ୍ତ କଳାକୃତିରେ ଉତ୍କଳୀୟ  ସ୍ଥାପତ୍ୟ ପରମ୍ପରାର ଝଲକ ରଖିବାକୁ ସ୍ଥପତି ପଦ୍ମଭୂଷଣ ରଘୁନାଥ ମହାପାତ୍ର ମତ ରଖିଥିଲେ । ଏହି ମତାମତକୁ ଯୋଜନାରେ ସାମିଲ କରାଯିବ ବୋଲି ଡ଼ କୁମାର ପ୍ରତିଶ୍ରୁତି ଦେଇଛନ୍ତି |

ତେବେ ଐତିହ୍ୟ କରିଡ଼ର ଯୋଜନାର କେବଳ ଚିଠା ପ୍ରସ୍ତାବକୁ ସାର୍ବଜନୀନ କରାଯାଇଛି । ଏହା ଚୂଡ଼ାନ୍ତ ଯୋଜନା ନୁହେଁ ବୋଲି ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର କହିଥିଲେ । ଅଂଶୀଦାରମାନେ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହାକୁ ଆଖି ଆଗରେ ରଖି ଯୋଜନାରେ କି ପ୍ରକାର ସଂଶୋଧନ ବା ପରିବର୍ତ୍ତନ କରାଯାଇପାରିବ ସେ ବିଷୟରେଏକ   କ୍ଷୁଦ୍ର  କମିଟି ନିଷ୍ପତ୍ତି ନେବ ବୋଲି ସେ ସୂଚନା ଦେଇଥିଲେ । 

Leave A Reply

Your email address will not be published.