ଓଡ଼ଗାଁ, ୦୭।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳରୁ ବିଭିନ୍ନ ସମୟରେ ନିଖୋଜ ହୋଇଥିବା ଦୁଇଜଣ ନାବାଳିକାଙ୍କୁ ଓଡ଼ଗାଁ ପୋଲିସ ସଫଳତାର ସହ ଉଦ୍ଧାର କରିଛି। ଆଇନଗତ ଓ ଆବଶ୍ୟକୀୟ ପ୍ରକ୍ରିୟା ସମ୍ପନ୍ନ କରିବା ପରେ ଉଭୟଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କ ନିକଟରେ ହସ୍ତାନ୍ତର କରାଯାଇଛି। ସାମ୍ପ୍ରତିକ ସମୟରେ ସାମାଜିକ ପରିବର୍ତ୍ତନ, ସୋସିଆଲ ମିଡିଆର ପ୍ରଭାବ ଓ ଅପରିପକ୍ୱ ବୟସର ଆବେଗପ୍ରବଣ ମାନସିକତା କାରଣରୁ ଅନେକ ନାବାଳକ ଓ ନାବାଳିକା ଭୁଲ୍ ନିଷ୍ପତ୍ତି ନେଇ ଘର ଛାଡ଼ି ଯାଉଥିବା ଘଟଣା ବଢ଼ିଚାଲିଛି। ପରବର୍ତ୍ତୀ ସମୟରେ ସେମାନେ ବିଭିନ୍ନ ପ୍ରକାର ବିପଦ ଓ ଅସୁବିଧାର ସମ୍ମୁଖୀନ ହେଉଥିବା ନଜିର ମଧ୍ୟ ରହିଛି। ତଥାପି ଏଭଳି ନିଖୋଜ ଘଟଣାର ସଂଖ୍ୟା କମିବାରେ ନାହିଁ। ସମାଜର ଏହି କୋମଳ କୁସୁମମାନଙ୍କ ପ୍ରତି ଅଭିଭାବକ, ଶିକ୍ଷକ, ସମାଜସେବୀ ଓ ପ୍ରଶାସନ ସମସ୍ତଙ୍କୁ ସଚେତନ ଓ ଦାୟିତ୍ୱବାନ ହେବାର ଆବଶ୍ୟକତା ରହିଛି। ନାବାଳକ ଓ ନାବାଳିକାଙ୍କ ମାନସିକ ଅବସ୍ଥା, ସେମାନଙ୍କ ଚାଲିଚଳନ ଓ ସଙ୍ଗସାଥୀ ପ୍ରତି ସମୟୋପଯୋଗୀ ନଜର ରଖି ସଠିକ୍ ପରାମର୍ଶ ଦେବା ଆବଶ୍ୟକ। ନଚେତ୍ ଭବିଷ୍ୟତରେ ଏହା ସମାଜ ଓ ସାମାଜିକ ବ୍ୟବସ୍ଥା ପାଇଁ ଏକ ଗୁରୁତର ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। ଏଭଳି ଘଟଣାକୁ ରୋକିବା ପାଇଁ କେବଳ ପୋଲିସ କିମ୍ବା ପ୍ରଶାସନ ନୁହେଁ, ବରଂ ସମଗ୍ର ସମାଜର ସକ୍ରିୟ ସହଯୋଗ ଓ ସଚେତନତା ହିଁ ସବୁଠାରୁ ଏଥିନିମନ୍ତେ ବଡ଼ ଆବଶ୍ୟକ।







